୬ଷ୍ଠ ରାଷ୍ଟ୍ରୀୟ ଏକକ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟା

ମନୋରଞ୍ଜନ
  • 2018-09-12 08:06:55
  • 615

କାନଭାସ୍ ଓଡିଶା(ବ୍ୟୁରୋ) : ମିରର ଥିଏଟର ପକ୍ଷରୁ ଭଞ୍ଜକଳା ମଣ୍ଡପଠାରେ ଅନୁଷ୍ଠିତ ତିନିଦିନିଆ ୬ଷ୍ଠ ରାଷ୍ଟ୍ରୀୟ ଏକକ ନାଟକ ମହୋତ୍ସବର ଦ୍ୱିତୀୟ ସନ୍ଧ୍ୟାରେ ୨ଟି ଏକକ ନାଟକ ପରିବେଷଣ ହେଇଯାଇଛି । ପ୍ରଥମେ କଳ୍ପତରୁ ଆର୍ଟ ଆଣ୍ଡ କ୍ରାଫ୍ଟସ୍ ପକ୍ଷରୁ ନାଟକ ‘ସେ ଆଉ ମୁଁ’ ମଞ୍ଚସ୍ଥ ହୋଇଥିଲା । ସ୍ରଷ୍ଟାର ଭାବଗର୍ଭରେ ସୃଷ୍ଟିମନସ୍କ ଭୃଣଟି କଷ୍ଟ ଦେଉଥାଏ । କବି, ଗାଳ୍ପିକ, ନାଟ୍ୟକାର, ଚିତ୍ରକର ସମସ୍ତ ସର୍ଜନାକାରମାନେ ଅନୁଭବ କରିଥାନ୍ତି ନିଜ ଭାବ-ପ୍ରସବର ବେଦନାକୁ । ଠିକ୍ ଜଣେ ଗର୍ଭବତୀ ମା’ପରି । ଶିଳ୍ପୀଟେ ଅନ୍ତର୍ନିହିତ ଭାବକୁ ଚିତ୍ର ମାଧ୍ୟମରେ ପରିପ୍ରକାଶ କରିବାକୁ ଯାଇ ସାମ୍ନାକରୁଛି ତା’ ସୃଷ୍ଟିର ଅକୁହା କଥାସବୁକୁ...ଅନେକ ପ୍ରଶ୍ନକୁ...ା ଶିଳ୍ପୀର ଚିତ୍ରପଟ୍ଟଟି କ’ଣ ତା ସୃଷ୍ଟିକର୍ତ୍ତାର ଉପସ୍ଥାପିତ ଯୁକ୍ତିକୁ ମାନିନିଏ ? ନା ଚିତ୍ରର ପ୍ରଶ୍ନରେ ଶିଳ୍ପୀ ଭାବାନ୍ତର ହୁଏ ? ଏଭଳି ଏକ କାହାଣିକୁ ରଚନା, ନିର୍ଦେଶନା ସାଙ୍ଗକୁ ଅଭିନୟରେ ଥିଲେ ଚିନ୍ତାମଣି ବିଶ୍ୱାଳ । ପରେ ଗଞ୍ଜାମରୁ ଆସିଥିବା ସଂସ୍କୃତି ବିକାଶ ସଂସଦ ପପକ୍ଷରୁ ଲୋକନାଟ୍ୟ ‘ଜାନୁଘଣ୍ଟ ପର୍ଶୁରାମ’ ମଞ୍ଚସ୍ଥ ହୋଇଥିଲା । ଏହାର ନିର୍ଦେଶନା ଓ ଅଭିନୟରେ ଥିଲେ ଗୋଲକ ଦାଶ । ସନ୍ଧ୍ୟାରେ ଅତିଥିଭାବେ ନାଟ୍ୟନିର୍ଦେଶକ ବୈକୁଣ୍ଠନାଥ ପାଣିଗ୍ରାହୀ, ପୂର୍ବତନ ରାଷ୍ଟ୍ରଦୂତ ଅବସର ବେଉରିଆ, ମିରରର ସମ୍ପାଦକ ଶିବଶଙ୍କର ତ୍ରିପାଠୀ ଏବଂ ନିର୍ଦେଶକ ଅନନ୍ତ ମହାପାତ୍ର ଯୋଗଦେଇଥିଲେ ।