OMFED ଘୋଟାଲାର ମହାଭିଯୋଗ ଆଣିଲେ କଂଗ୍ରେସର ମିଡିଆ ସେଲ୍ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ ।

ରାଜନୀତି
  • 2018-09-11 13:59:14
  • 504

କେମିତି ହୋଇଛି ଘୋଟାଲା ? ୨୦୧୫ରୁ ୨୦୧୬ ମଧ୍ୟରେ ହୋଇଥିଲା ଏହି ମହାଘୋଟାଲା । IDMC ଲିମିଟେଡ୍ ନାମକ ଏକ ସଂସ୍ଥାକୁ OMFED ଅହେତୁକ ଅନୁକମ୍ପା ଦେଖାଇଛି ବୋଲି ସ୍ପଷ୍ଟ ଭାବେ ଲେଖିଥିଲେ ମଧୁସୂଦନ ପାଢ଼ୀ । ବିନା ଟେଣ୍ଡରରେ ସଂପୃକ୍ତ କମ୍ପାନୀଠାରୁ ଚଢ଼ା ଦରରେ କିଣାଯାଇଛି ପଲି ରୋଲ୍ । ସମାନ ପଲି ଫିଲ୍ମକୁ ଆଉ ତିନିଟି ସଂସ୍ଥା, ଇନ୍ଦୁ ପ୍ୟାକେଜିଂ, ରେନବୋ ପ୍ୟାକେଜିଂ ଏବଂ ରିସବ ପ୍ୟାକେଜିଂ କିଲୋ ପିଛା ୧୬୦ ଟଙ୍କା ୧୩ ପଇସା ଦରରେ ଯୋଗାଉଥିବାବେଳେ OMFED IDMC ଠାରୁ ପଲିଥିନ୍ କିଲୋ ପିଛା ୨୧୯ ଟଙ୍କା ୩୪ ପଇସା ଦରରେ କିଣିଛି । OMFEDକୁ ଦୈନିକ ୪ ଲକ୍ଷ ଲିଟର କ୍ଷୀର ସପ୍ଲାଏ ପାଇଁ ପ୍ରତିଦିନ ଅଢ଼େଇ ଲକ୍ଷ ଟଙ୍କା କ୍ଷତି ସହିବାକୁ ପଡ଼ିଛି ବୋଲି କହିଛନ୍ତି ମଧୁସୂଦନ ପାଢ଼ୀ । ଏପରିକି ଏ ସମ୍ପର୍କିତ ଅଭିଯୋଗ ଫାଇଲ୍ ରାଜ୍ୟ ସରକାରଙ୍କ ବିଭାଗକୁ ଯାଇଥିବା ସତ୍ବେ ବିଭାଗ ନିରବ ରହିବା ଏବଂ ଚୁକ୍ତି ବାତିଲ୍ କରିବା ପାଇଁ ନିର୍ଦ୍ଦେଶ ନ ଦେବା ସମ୍ପର୍କରେ ମଧୁସୂଦନ ପାଢ଼ୀ ଦେଇଛନ୍ତି ଅତି ଗୁରୁତ୍ବପୂର୍ଣ୍ଣ ମନ୍ତବ୍ୟ । ତାହା ହେଲା IDMCର OMFED ଏବଂ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ଉପରେ ଯାଦୁକରୀ ପ୍ରଭାବ । ମଧୁପାଢ଼ୀ ଆହୁରି ମଧ୍ୟ ଉଲ୍ଲେଖ କରିଛନ୍ତି ଯେ IDMC ପ୍ରଥମେ ସିଧାସଳଖ OMFEDକୁ ପଲିଥିନ୍ ଯୋଗାଣ କରୁଥିଲା । କିଛି ମାସ ପରେ ହଠାତ୍ ସର୍ତ୍ତ ରଖିଲା ଯେ ସିଧାସଳଖ OMFEDକୁ ପଲି ଫିଲ୍ମ ନ ଦେଇ କଟକର କମ୍ଲା ଏଜେନ୍ସି ମାଧ୍ୟମରେ ପଲିଥିନ୍ ଯୋଗାଇବ । ତେବେ ପରେ ଜଣାପଡ଼ିଲା ଯେ IDMC କଟକର କମ୍ଲା ଏଜେନ୍ସିକୁ ୧୯୩ ଟଙ୍କା ୧୬ ପଇସାରେ ପଲି ଫିଲ୍ମ ଯୋଗାଉଛି, ଆଉ କମ୍ଲା ଏଜେନ୍ସି ସେହି ପଲି ପ୍ୟାକ୍କୁ OMFEDକୁ କିଲୋ ପିଛା ୨୩୭ ଟଙ୍କା ୮୩ ପଇସାରେ ଯୋଗାଉଛି । ଏହାଛଡ଼ା OMFED କେବଳ କ୍ଷତିରେ ପଡ଼ିଲା ତାହା ନୁହେଁ, ବରଂ IDMC ଓ କମ୍ଲା ଏଜେନ୍ସି ରାଜ୍ୟ ସରକାରଙ୍କୁ କୋଟି କୋଟି ଟଙ୍କାର ଭାଟ୍ ମଧ୍ୟ ଠକିଛନ୍ତି । ଆହୁରି ମଧ୍ୟ ବିଭାଗୀୟ ସଚିବ ଯୁକ୍ତି ବାଢ଼ିଲେ ଯେ IDMC ଠାରୁ ଅମୁଲ ମଧ୍ୟ ପଲି ଫିଲ୍ମ କିଣୁଛି, ତେଣୁ ଏହା ନିଶ୍ଚିତ ଭାବେ ସର୍ବୋତ୍ତମ । କଂଗ୍ରେସର ପ୍ରଶ୍ନ ୧) ଏଡେବଡ ଦୁର୍ନୀତିର ଅଭିଯୋଗ ଜଣେ ବରିଷ୍ଠ ଆଇଏଏସ୍ ଅଧିକାରୀଙ୍କ ଠାରୁ ପାଇବା ପରେ ମୁଖ୍ୟମନ୍ତ୍ରୀ ଓ ମୁଖ୍ୟ ଶାସନ ସଚିବ ଭିଜିଲାନ୍ସ ନିର୍ଦ୍ଦେଶାଳୟକୁ ତଦନ୍ତ ପାଇଁ ସୁପାରିଶ ନକରି ବିଭାଗ ଦ୍ୱାରା ତଦନ୍ତ କରାଇ ଚୁପ୍ ବସିପଡିଲେ କାହିଁକି? ୨) ମଧୁସୂଦନ ପାଢ଼ୀଙ୍କ ଚିଠିରୁ ସ୍ପଷ୍ଟ ଯେ ମତ୍ସ୍ୟ ଓ ପଶୁସମ୍ପଦ ବିକାଶ ବିଭାଗର ଭୂମିକା ଏ ଦୁର୍ନୀତିରେ ସନ୍ଦେହପୂର୍ଣ୍ଣ । ତା ସତ୍ୱେ ତଦନ୍ତ ପାଇଁ ସେହି ବିଭାଗକୁ ଦାୟିତ୍ୱ ଦେଲେ କାହିଁକି? ୩) IDMC ଯୋଗାଉଥିବା ପଲି ଫିଲ୍ମ ସର୍ବୋତ୍ତମ ବୋଲି କେମିତି ଜାଣିଲା OMFED ? ୪) OMFED ଏହି ପଲିଫିଲ୍ମର କ୍ବାଲିଟି ଟେଷ୍ଟ କରାଇଛି କି ? ୫) ବିନା ଟେଣ୍ଡରରେ କାହିଁକି କରାଗଲା ପଲି ଫିଲ୍ମ ପ୍ରକ୍ୟୋରମେଣ୍ଟ ? ୬) ରାଜ୍ୟ ସରକାରଙ୍କର ପ୍ରକ୍ୟୋରମେଣ୍ଟ ନିୟମ ବିନା ଟେଣ୍ଡରରେ କିଣିବା ପାଇଁ କହୁଛି କି ? ୭) ଯଦି ଅମୁଲ OMFED ପାଇଁ ଆଦର୍ଶ ତେବେ ଅମୁଲ କମ୍ପାନୀ ବିନା ଟେଣ୍ଡରରେ ପଲି କିଣୁଛି କି ? ୮) ଅମୁଲ କେତେ ଟଙ୍କା ମୂଲ୍ୟରେ ପଲି ଫିଲ୍ମ କିଣୁଛି ସେ ବାବଦରେ କାହିଁକି କହିଲେ ନାହିଁ ଯୁଗ୍ମ ସଚିବ ? ୯) ମଧୁସୂଦନ ପାଢ଼ୀଙ୍କ ଚିଠି, ଏବଂ ସେଥିରେ ଉଚ୍ଚ ସ୍ତରୀୟ ତଦନ୍ତ କଥା ସୁପାରିଶ କରିବା ସତ୍ବେ କାହିଁକି ଭିଜିଲାନ୍ସକୁ ତଦନ୍ତ ଦାୟିତ୍ବ ଦେଲେ ନାହିଁ ମୁଖ୍ୟମନ୍ତ୍ରୀ ? ୧୦) ଆଇନ ଅନୁସାରେ ଅପରାଧୀଙ୍କୁ ସହଯୋଗ କରିଥିବା ଓ ଆଶ୍ରୟ ଦେଇଥିବା ବ୍ୟକ୍ତି ବି ଅପରାଧୀ । ଏହି କ୍ରମରେ ମୁଖ୍ୟଶାସନ ସଚିବ ଆଦିତ୍ୟ ପ୍ରସାଦ ପାଢ଼ୀ, ବିଭାଗୀୟ ମନ୍ତ୍ରୀ ପ୍ରଦୀପ ମହାରଥୀ ଓ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ OMFED ଘୋଟାଲାରେ ଦୋଷୀ ନୁହନ୍ତି କି ?