OMFED ଦୁର୍ନୀତିକୁ ଚାପି ଦେଲେ ମୁଖ୍ୟମନ୍ତ୍ରୀ, ଖୁଲାସା କଲା କଂଗ୍ରେସ

ତାଜା ଖବର
  • 2018-09-11 17:35:00
  • 477

କାନଭାସ୍ ଓଡିଶା(ବ୍ୟୁରୋ) : • OMFED ଘୋଟାଲାରେ ଧରିପଡିଲା ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀଙ୍କ ସଂପୃକ୍ତି । • ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶକ୍ରମେ ଭିଜିଲାନ୍ସକୁ ଦିଆଗଲା ନାହିଁ ତଦନ୍ତ ଦାୟିତ୍ୱ । • ଅଭିଯୁକ୍ତ ଯିଏ ବିଚାରପତି ସିଏ । • ୨୪ କୋଟି ଟଙ୍କା ଘୋଟାଲାର ଅଭିଯୁକ୍ତଙ୍କୁ ଖସେଇ ଦେଲେ ମୁଖ୍ୟମନ୍ତ୍ରୀ । • ଯେଉଁ ମତ୍ସ୍ୟ ଓ ପଶୁସମ୍ପଦ ବିଭାଗ ବିରୁଦ୍ଧରେ ଅଭିଯୋଗ ଭିଜିଲାନ୍ସ ବଦଳରେ ତାକୁ ହିଁ ଦିଆଗଲା ତଦନ୍ତର ଦାୟିତ୍ୱ । OMFED ଘୋଟାଲାରେ ସାମ୍ନାକୁ ଆସିଛି ସାଂଘାତିକ ତଥ୍ୟ । OMFED ଦପ୍ତରରୁ ସଚିବାଳୟର ତୃତୀୟ ମହଲା ମୁଖ୍ୟମନ୍ତ୍ରୀଙ୍କ ଦପ୍ତର ଯାଏଁ ଲମ୍ବିଛି ଜୁନ୍ ୨୦୧୫ରୁ ୨୦୧୬ ମଧ୍ୟରେ ହୋଇଥିବା ୨୪ କୋଟି ଟଙ୍କା ଘୋଟାଲାର ଚେର । ଏ ଘୋଟାଲା ନେଇ ପ୍ରଦେଶ କଂଗ୍ରେସ ହାତରେ ଯେଉଁ ଦସ୍ତାବିଜ୍ ଲାଗିଛି, ତାହା ସ୍ପଷ୍ଟ ପ୍ରମାଣ କରୁଛି ଯେ ପଲି ଫିଲ୍ମ କିଣା ଏବଂ ଅନ୍ୟାନ୍ୟ କେଳେଙ୍କାରୀର ମାଷ୍ଟରମାଇଣ୍ଡ କେବଳ OMFED ର ତତ୍କାଳୀନ ପରିଚାଳନା ନିର୍ଦ୍ଦେଶକ(ଏମ୍ଡି) ନ ଥିଲେ ବରଂ ମୁଖ୍ୟ ଶାସନ ସଚିବଙ୍କଠାରୁ ନେଇ ମୁଖ୍ୟମନ୍ତ୍ରୀଙ୍କ ଜାଣତରେ, ନିର୍ଦ୍ଦେଶରେ ଓ ସହଯୋଗିତାରେ ଏହି ମହା ଘୋଟାଲା ହେବା ସହ ପରବର୍ତ୍ତୀ ସମୟରେ ଏହାକୁ ମଧ୍ୟ ଚାପି ଦିଆଗଲା । ସରକାରୀ ନୀତି ନିୟମ ଓ ଟେଣ୍ଡର ପ୍ରକ୍ରିୟାକୁ ଦଳି ମକଚି ଦଲାଲ୍, ମିଡିଲ୍ ମ୍ୟାନ୍, ପଲିଫିଲ୍ମ ମାଫିଆଙ୍କ ମାର୍ଫତରେ ଚାଲିଥିଲା ଘୋଟାଲା । ଏମାନଙ୍କ ପୁରା କବ୍ଜାରେ ଥିଲା OMFED । କେବଳ ଗୋଟିଏ ବର୍ଷରେ ୨୪ କୋଟି ଟଙ୍କାର ଘୋଟାଲାର ଲେଖାଯୋଖା ପ୍ରମାଣ ହେଲା ପରବର୍ତ୍ତୀ ସମୟରେ OMFED ଏମ୍ଡି ମଧୁସୂଦନ ପାଢ଼ୀ ୧ ଡିସେମ୍ବର ୨୦୧୬ରେ ମୁଖ୍ୟ ଶାସନ ଆଦିତ୍ୟ ପ୍ରସାଦ ପାଢ଼ୀଙ୍କୁ ବିସ୍ତାର ଭାବେ ଏ କେଳେଙ୍କାରୀର ତଥ୍ୟ ପ୍ରମାଣ ଦେଇ ଲେଖିଥିବା ୫ ପୃଷ୍ଠାର ଚିଠି । ସବୁଠାରୁ ଗୁରୁତ୍ବପୂର୍ଣ୍ଣ କଥା ହେଲା କେଳେଙ୍କାରୀ ସାମ୍ନାକୁ ଆସିବା ପରେ କିଛି ଦିନ ତଳେ ବିଧାନସଭାରେ ମନ୍ତ୍ରୀ ପ୍ରଦୀପ ମହାରଥୀ ଏ ମାମଲାକୁ ରଫା ଦଫା କରିବାକୁ ଯାଇ କହିଲେ, ଯେ ଏଥିରେ ସରକାରଙ୍କର ମତ୍ସ୍ୟ ଓ ପଶୁସମ୍ପଦ ବିଭାଗର କୌଣସି ଭୂମିକା ନାହିଁ । OMFED ଏକ ନିଗମ, ଯାହା କିଛି ହୋଇଛି ସେଥିପାଇଁ OMFED ହିଁ ଦାୟୀ । କିନ୍ତୁ ପ୍ରଦେଶ କଂଗ୍ରେସ ହାତରେ ଯେଉଁ ପ୍ରମାଣ ଲାଗିଛି ତାହା ସ୍ପଷ୍ଟ କରୁଛି ଯେ କେବଳ ବିଭାଗୀୟ ମନ୍ତ୍ରୀ ନୁହନ୍ତି, ମୁଖ୍ୟ ଶାସନ ସଚିବ ଓ ମୁଖ୍ୟମନ୍ତ୍ରୀ ଏହି ମାମଲାର ଟିକିନିଖି ଅନିୟମିତତା ସମ୍ପର୍କରେ ଅବଗତ ଥିଲେ । ଗୁରୁତ୍ବପୂର୍ଣ୍ଣ କଥା ହେଲା ମଧୁସୂଦନ ପାଢ଼ୀ ତାଙ୍କ ଚିଠିରେ କହିଲେ, ଯେ ଏହା ଏକ ଅତି ଗୁରୁତର ମାମଲା । ତେଣୁ ଏକ ଉପଯୁକ୍ତ ଓ ଉଚ୍ଚସ୍ତରୀୟ କମିଟି ଦ୍ବାରା ଏହି ମାମଲାର ତଦନ୍ତ କରାଯାଇ ଅଭିଯୁକ୍ତଙ୍କ ବିରୋଧରେ କାର୍ଯାନୁଷ୍ଠାନ ନିଆଯାଉ । କାରଣ ଏହା ଦ୍ବାରା ରାଜ୍ୟର ୩ ଲକ୍ଷ ଦୁଗ୍ଧ ଚାଷୀଙ୍କ ଜୀବିକା ସହ ଖେଳ ଖେଳାଯାଇଛି । ମୁଖ୍ୟ ଶାସନ ସଚିବଙ୍କୁ ମଧୁସୂଦନ ପାଢ଼ୀଙ୍କ ଚିଠିର ୫ ମାସ ପରେ ମତ୍ସ୍ୟ ଓ ପଶୁ ସମ୍ପଦ ବିଭାଗର ଯୁଗ୍ମ ସଚିବ ରଘୁନନ୍ଦନ ମିଶ୍ର ୨୦୧୭ ଏପ୍ରିଲ ୨୫ ତାରିଖର ଚିଠି ନଂ ୫୦୩୦ରେ ତାଙ୍କୁ ଜବାବ୍ ଫେରାଇଲେ । ଏହି ଚିଠିରେ ସ୍ପଷ୍ଟ ଭାବେ ଲେଖାଗଲା, ଯେ ଓମ୍ଫେଡ୍ ଘୋଟାଲା ସମ୍ପର୍କିତ ଚିଠି ପାଇବା ପରେ ବିଭାଗୀୟ ମନ୍ତ୍ରୀ ଓ ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ କ୍ରମେ ଏକ ବିଭାଗୀୟ ତଦନ୍ତ କମିଟି ଗଠନ କରାଯାଇ, ମାମଲାର ତଦନ୍ତ କରାଯାଇଛି । ଅର୍ଥାତ୍ କୋଟି କୋଟି ଟଙ୍କାର ଘୋଟାଲା ଓ ୩ ଲକ୍ଷ ଚାଷୀଙ୍କ ଧୋକା ହୋଇଥିବା ମାମଲାକୁ ଦୁର୍ନୀତି ନିବାରଣ ନିର୍ଦ୍ଦେଶାଳୟକୁ ତଦନ୍ତ ପାଇଁ ଦେବାକୁ ଉଚିତ ମଣିଲେ ନାହିଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆଉ ବିଭାଗୀୟ ତଦନ୍ତ କରି ରଫାଦଫା କରିବାକୁ ବାଟ ଖୋଲିଦେଲେ ।