ଗର୍ଭବତୀ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଆଣୁଥିବାବେଳେ ୧୦୨ ଆମ୍ବୁଲାନ୍ସ କାଦୁଅରେ ଫସିଗଲା

ତାଜା ଖବର
  • 2018-09-09 08:25:13
  • 549

କାନଭାସ୍ ଓଡିଶା(ବ୍ୟୁରୋ) : ମାଲକାନଗିରି/ମାଥିଲି, କାଦୁଅ ଶୋଚନୀୟ ରାସ୍ତାରେ ଫସିଲା ଆମ୍ବୁଲାନ୍ସ । ଗର୍ଭବତୀ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଆଣୁଥିବାବେଳେ ୧୦୨ ଆମ୍ବୁଲାନ୍ସ କାଦୁଅରେ ଫସିଯାଇଥିବା ଦେଖିବାକୁ ମିଳିଥିଲା । ପରେ ସ୍ଥାନୀୟ ଯୁବକମାନେ ଆମ୍ବୁଲାନସକୁ ଠେଲି କାଦୁଅରୁ ଗାଡିକୁ ବାହାର କରିଥିଲେ । ମାଲକାନଗିରି ଜିଲା ମାଥିଲି ବ୍ଲକରେ ଦେଖିବାକୁ ମିଳିଛି । ବ୍ଲକ ଅନ୍ତର୍ଗତ ସିନ୍ଧାବେଡା ମୁଖ୍ୟରାସ୍ତା ଠାରେ ଚେଡେଙ୍ଗା ପଞ୍ଚାୟତରୁ ଗର୍ଭବତୀ ମହିଳାଙ୍କୁ ନେଇ ସ୍ବାସ୍ଥ୍ୟକେନ୍ଦ୍ର ଆଣୁଥିବା ୧୦୨ ଆମ୍ବୁଲାନ୍ସ ଶୋଚନୀୟ ରାସ୍ତାରେ ଦବି ଯାଇଥିଲା । ବହୁ ଚେଷ୍ଟା ସର୍ତ୍ତେ ମଧ୍ୟ ଶୋଚନୀୟ ରାସ୍ତାରୁ ଗାଡି ବାହାରିପାରୁନଥିଲା । ଗାଡି ଦବି ଯାଇଥିବା ଦେଖି ସିନ୍ଧାବେଡା ଗ୍ରାମର କିଛି ଯୁବକ କାଦୁଅରୁ ଗାଡିକୁ ବାହାର କରିବାକୁ ପ୍ରୟାସ କରିଥିଲେ । ସମସ୍ତେ ଏକାଠି ହୋଇ କାଦୁଅ ଭିତରେ ପଶି ଗାଡି ପଛପଟେ ଠେଲିଥିଲେ । ଏବଂ କିଛି ସମୟ ପରେ ଆମ୍ବୁଲାନ୍ସ ଦବି ଯାଇଥିବା ସ୍ଥାନରୁ ବାହାରିଥିଲା । ପରେ ଗର୍ଭବତୀ ମହିଳାଙ୍କୁ ଆଣି ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟକେନ୍ଦ୍ରରେ ଭର୍ତ୍ତି କରାଯାଇଥିଲା । ଏହା ପ୍ରଥମ ଥର ନୁହେଁ ବାରମ୍ବାର ଅନ୍ୟାନ୍ୟ ଭାରି ଯାନବାହାନ ମଧ୍ୟ ଅନୁରୂପ ଭାବେ ଏହି ରାସ୍ତାରେ ଫସିଯାଉଥିବା ସିନ୍ଧାବେଡା ଗ୍ରାମର ଯୁବକମାନେ ଗଣମାଧ୍ୟମ ସମ୍ଭୁଖରେ ପ୍ରକାଶ କରିଛନ୍ତି । ମାଥିଲି ଠାରୁ କାଳିଆଗୁଡା ପର୍ଯ୍ୟନ୍ତ ରାସ୍ତା ଅତି ଶୋଚନୀୟ ହୋଇପଡିଛି । ପଚ୍ପଚ୍ କାଦୁଅରେ ଲୋକେ ଦେହଗୁଞ୍ଜ ହୋଇପଡୁଛନ୍ତି । ବାରମ୍ବାର ଗଣମାଧ୍ୟମରେ ରାସ୍ତା ମରାମତି ପାଇଁ ଖବର ପ୍ରସାରଣ ହେଉଛି । କିନ୍ତୁ ଜିଲା ପ୍ରଶାସନ ତରଫରୁ ଏହାକୁ ଖାତିର କରାଯାଉନଥିବା ଗ୍ରାମବାସୀ ଅଭିଯୋଗ କରିଛନ୍ତି । ପୂର୍ବରୁ ବହୁ ଗୁହାରି କରି ନିରାଶ ହେବା ପରେ ଦାମାପଡା ଗ୍ରାମର ଯୁବକ ସଂଘର ସଦସ୍ୟମାନେ କିଛି ଦୂର ରାସ୍ତାରୁ କାଦୁଅ ବାହାର କରିଥିଲେ । ଏହି ରାସ୍ତା ଦେଇ ମାଥିଲି ଉତ୍କଳମଣୀ ଗୋପବନ୍ଧୁ ମହାବିଦ୍ୟାଳୟ ଏବଂ ସରକାରୀ ଉଚ୍ଚ ବିଦ୍ୟାଳୟ ଆଦି ରହିଛି । ପ୍ରତିଦିନ ଛାତ୍ରୀଛାତ୍ରମାନେ ଯାତୟତ କରି ବହୁ ଅସୁବିଧାର ସମ୍ମୁଖୀନ ହେଉଥିଲେ । ଏହି ସମସ୍ୟାରୁ ମୁକୁଳିବା ପାଇଁ ତଳସାହି ସ୍କୁଲ ଠାରୁ କଲେଜ ପର୍ଯ୍ୟନ୍ତ ୨୦୦ ମିଟର ରାସ୍ତା ଶୁକ୍ରବାର ମାଥିଲି ଉତ୍କଳମଣୀ ଗୋପବନ୍ଧୁ ଡିଗ୍ରୀ ମହାବିଦ୍ୟାଳୟର ଛାତ୍ରୀଛାତ୍ରମାନେ ସଜାଡିଥିଲେ । ଏଥିପ୍ରତି ଜିଲା ପ୍ରଶାସନ ଦୃଷ୍ଟି ଦେଇ ତୁରନ୍ତ ରାସ୍ତା ମରାମତି କରାଯିବାକୁ ସାଧାରଣରେ ଦାବି ହୋଇଛି ।