ଜାତିଭିତ୍ତିକ ଆଟ୍ରୋସିଟି ଆଇନ୍ ଉଚ୍ଛେଦ ଦାବିରେ ବିକ୍ଷୋଭ

ରାଜ୍ୟ ଖବର
  • 2018-09-09 08:07:31
  • 1674

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ମୋଦୀ ସରକାରଙ୍କଜାତିଭିତ୍ତିକ ଆଟ୍ରୋସିଟି ଆଇନ୍ ଅଧ୍ୟାଦେଶ ବିରୁଦ୍ଧରେ ଆଜି ଓଡିଶାର ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ରାଜଧାନୀ ଭୁବନେଶ୍ୱର ମାଷ୍ଟରକ୍ୟାଣ୍ଟିନ ଛକ ନିକଟରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଓବିସି ଓ ସାଧାରଣ ବର୍ଗ ଯୁବକ ମାନେ ସରକାରଙ୍କ ଏ ଦେଶ ବିଭାଜନକାରୀ କାର୍ଯ୍ୟ ବିରୋଧରେ ପ୍ରତିବାଦର ସ୍ୱର ଉତ୍ତୋଳନ କରିଥିଲେ । ସମାନ ଆଚାର ସଂହିତା ଓ ସମସ୍ତଙ୍କ ପାଇଁ ବିକାଶର କଥା କହି କ୍ଷମତାକୁ ଆସିଥିବା ମୋଦି ସରକାର ଆଜି କ୍ଷମତା ହାସଲ କରିବା ପରେ ବିଷମତାର ବିଷମଞ୍ଜି ବୁଣିବାରେ ଲାଗିଛି । ବିକାଶ ନାଆଁରେ ଖାଲି ଆତ୍ମ ପ୍ରଚାର କରି ଦେଶରେ ବିଦ୍ୱେଷବାତାବରଣ ସୃଷ୍ଟି କରିଛି ମୋଦୀ ସରକାର । ରଷ୍ଟ୍ରର ସାମଗ୍ରିକ ବିକାଶ ଲାଗି କଥା କହୁଥିବା ମୋଦୀ ସରକାର ଆଜି ଅନ୍ୟ ପାରମ୍ପରିକ ଦଳ କଂଗ୍ରେସ, କମ୍ୟୁନିଷ୍ଟ ଦଳମାନଙ୍କ ଭଳି ଜାତିଆଣ ରାଜନୀତିରେ ମାତି ଦେଶକୁ ଧ୍ୱଂସ ଆଡକୁ ଆଗେଇ ନେଉଛି । ରୁଦ୍ରନାରାୟଣ ସେନା ଆବାହକ ସୀତାରାମ ଶତପଥି ବିକ୍ଷୋଭରେ ଯୋଗଦେଇ ଏ ଆଟ୍ରୋସିଟି ଆଇନ ଏକ ଦେଶ ବିଭାଜନକାରୀ ଆଇନ୍ ବୋଲି କହି ଏହାକୁ ତୁରନ୍ତ ରଦ୍ଦ କରିବା ପାଇଁ ଦାବି କରିଥିଲେ । କେବଳ ହିନ୍ଦୁ ସମାଜକୁ ଖଣ୍ଡ ଖଣ୍ଡ କରି ବିଦେଶୀ ଶାସନ ବଳବତ୍ତର ରଖିବା ପାଇଁ ଏହା ଏକ ସୁଚିନ୍ତିତ ଦୀର୍ଘସୂତ୍ରୀ ଯୋଜନା ବୋଲି ମନ୍ତବ୍ୟ ଦେଇଥିଲେ । ସରକାରୀ ରେଭେନ୍ୟୁ ଅଧିକାରୀ ତହସିଲଦାଙ୍କଦ୍ୱାରା ନିଜେ ଜାତିଗତ ପ୍ରମାଣପତ୍ର ବାଣ୍ଟି କେନ୍ଦ୍ର ସରକାର ସେପଟେ ଦଳିତ ସଙ୍ଗଠନମାନଙ୍କ ଦ୍ୱାରା ବ୍ରାହ୍ମଣମାନେ ସମାଜକୁ ବାଣ୍ଟୁଛନ୍ତି କହି ଅପପ୍ରଚାର ଚଳାଇଛନ୍ତି ବୋଲି ସେ ଅଭିଯୋଗ କରିଥିଲେ । ଆଗାମୀ ଦିନରେ ରୁଦ୍ରନାରାୟଣ ସେନା ଏ ଜାତିଭିତ୍ତିକ ସଂରକ୍ଷଣଆଇନ ସହ ମିଛ ଆଟ୍ରୋସିଟି ଆଇନ୍ ଓ ଏ ଜାତିବାଦୀ ନେତାମାନଙ୍କ ଚେରମୂଳ ଉପାଡିବା ଭଳି ତୃଣମୂଳ ସ୍ତରରେ କାର୍ଯ୍ୟ କରିବ ବୋଲି ସେ ସୂଚନା ଦେଇଥିଲେ । ବିକ୍ଷୋଭରେ ଯୋଗଦେଇ ବିଶିଷ୍ଟ ସ୍ତମ୍ଭକାର ଭାଗୀରଥି ମହାସୁଆର ସରକାରଙ୍କ ଜାତିଭିତ୍ତିକ ଯୋଜନାଗୁଡିକର ତୀବ୍ର ସମାଲୋଚନା କରିଥିଲେ । ଏଇ ଜାତିଭିତ୍ତିକ ଯୋଜନାରେ ସମ୍ପୂର୍ଣ୍ଣ ସାମାଜିକ ସଂହତି ବିପର୍ଯ୍ୟସ୍ତ ହୋଇପଡିଛି । ଯେଉଁ ଆଦର୍ଶବାଦୀ ସମାଜ ସେବକ ମାନେ ଜାତିବିହୀନ ସମାଜର କଥା କହୁଛନ୍ତି ସେମାନେ ଏମିତି ସମୟରେ କେଉଁଠି ଆତ୍ମଗୋପନ କରୁଛନ୍ତି ସେ ପ୍ରଶ୍ନ କରିଥିଲେ । ଅନ୍ୟ ମାନଙ୍କ ମଧ୍ୟରେ ଯୁବ ସମାଜସେବୀ ରାଜେଶ ପୃଷ୍ଟି, ଇଂ ଦୀପକ ଜେନା, ଆଶିଷ କୁମାର ଲେଙ୍କା, ସ୍ୱାଗତ ଦାସ, ବିସ୍ମୟ ଦାଶ, ଡଃ ଜୟ ପ୍ରକାଶ ଦାସ, ସୁକାନ୍ତ ମହାନ୍ତି, ମହିଳା ସମାଜସେବୀ ବନଜାବାସିନୀ ତ୍ରିପାଠୀ, ଆରକ୍ଷଣ ବିରୋଧି କର୍ମୀ ସ୍ୱାଗତିକା ପତି, ଶୁଭ୍ରାଂଶୁ ଦାସ, ନବକିଶୋର ସାମଲ ପ୍ରମୁଖ ଯୋଗ ଦେଇଥିଲେ ।