ଓଡିଶା ସାହିତ୍ୟ ଏକାଡେମି ପକ୍ଷରୁ ପଣ୍ଡିତ ନୀଳକଣ୍ଠ ଦାସଙ୍କ ସ୍ମାରକୀ ବକୃତା କାର୍ଯ୍ୟକ୍ରମ ଅନୁଷ୍ଠିତ

ସାହିତ୍ୟ
  • 2018-09-07 17:14:02
  • 260

କାନଭାସ୍ ଓଡିଶା(ବ୍ୟୁରୋ) : ନୀଳକଣ୍ଠ ଦାସ (୧୮୮୪-୧୯୬୭) ଓଡ଼ିଶାର ପୁରୀ ଜିଲ୍ଲାର ସାକ୍ଷୀଗୋପାଳଠାରେ ୧୮୮୪ରେ ଜନ୍ମିତ ଜଣେ ଲେଖକ, ସାମ୍ବାଦିକ ଓ ସ୍ଵାଧିନତା ସଂଗ୍ରାମୀ । ତାଙ୍କୁ ଶ୍ରଦ୍ଧାରେ ପଣ୍ଡିତ ନୀଳକଣ୍ଠ ଦାସ ବୋଲି ମଧ୍ୟ ଡକାଯାଇଥାଏ । ପଣ୍ଡିତ ନୀଳକଣ୍ଠ ଦାସ ଜଣେ ମେଧାବୀ ଛାତ୍ର ଥିଲେ । ଭର୍ଣ୍ଣାକୁଲାର ପରୀକ୍ଷାଠାରୁ ଆରମ୍ଭ କରି ରେଭେନ୍ସା କଲେଜର ବି.ଏ. ପରୀକ୍ଷା ପର୍ଯ୍ୟନ୍ତ ସେ ଓଡ଼ିଶାରେ ପ୍ରଥମ ହୋଇଆସିଥିଲେ ।ଦର୍ଶନ ଶାସ୍ତ୍ର ଓ ରସାୟନ ବିଜ୍ଞାନ ବିଷୟକୁ ନେଇ ବି॰ଏ॰ ପରୀକ୍ଷାରେ ଉତ୍ତିର୍ଣ ହୋଇଥିଲେ । ପରେ ମାସିକ ବୃତ୍ତି ପାଇ ନୀଳକଣ୍ଠ ଦର୍ଶନ ଶାସ୍ତ୍ର କଲିକତା ବିଶ୍ୱବିଦ୍ୟାଳୟରୁ ସ୍ନାତକୋତ୍ତର ଉପାଧି ହାସଲ କରିଥିଲେ । ସେତେବେଳେ ତାହାର ମାନ ଖୁବ ଅଧିକ ଥିବାରୁ ତାଙ୍କୁ ଫିରିଙ୍ଗି ସରକାରଙ୍କ ଅଧିନରେ ଅନେକ ଉଚ୍ଚ ବେତନଯୁକ୍ତ ଚାକିରି ମିଳିଥିଲା,କିନ୍ତୁ ପଣ୍ଡିତ ଗୋପବନ୍ଧୁ ,ଆଚାର୍ଯ ହରିହର ଓ ପଣ୍ଡିତ ନୀଳକଣ୍ଠ ଭାର୍ଗବୀ ନଈରେ ବଢିପାଣିରେ ହଇଜାରେ ମରି ଭାସି ଯାଉଥିବା ଶବଗୁଡିକୁ ଦେଖି ଶପଥ ନେଇଥିଲେ ,' ସରକାରୀ ଚାକିରି କରିବା ନାହିଁ,ଏଇଲେ ଦେଶକୁ ଯେମିତି ଦେଖୁଛେ ମଲା ବେଳକୁ ଆହୁରି ଭଲ ଦେଖି ମରିବା ।' ଅନଗ୍ରସର , ମୂକ ଓଡ଼ିଆ ଜାତିର ପାଟିରେ ଭାଷା ଦେବା ପାଇଁ ସତ୍ୟବାଦୀ ବନବିଦ୍ୟାଳୟ ୧୯୦୯ରେ ପ୍ରତିଷ୍ଠା ହେଲା ଓ ମାସିକ ୩୦ଟଙ୍କା ବେତନରେ ସତ୍ୟବାଦୀ ବନ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଭାବରେ କାମ ଆରମ୍ଭ କରିଥିଲେ । ପଣ୍ଡିତ ନୀଳକଣ୍ଠ କବିତା, ପ୍ରବନ୍ଧ ଓ ଶିଶୁ ସାହିତ୍ୟ, ସାମ୍ବାଦିକତା କ୍ଷେତ୍ରରେ ନିଜର ଅବଦାନ ଛାଡିଯାଇଛନ୍ତି । ଶିଶୁ ସାହିତ୍ୟ କ୍ଷେତ୍ରରେ ତାଙ୍କର ଅବଦାନ ଦୃଷ୍ଟିରୁ ବିଶିଷ୍ଟ ସାହିତ୍ୟିକ ସୁରେନ୍ଦ୍ର ମହାନ୍ତି ତାଙ୍କୁ ଶିଶୁ ସାହିତ୍ୟର ଆଦ୍ୟସ୍ରଷ୍ଟା ବୋଲି କହିଛନ୍ତି । ଭାଷାବିତମାନଙ୍କ ମତରେ ପଣ୍ଡିତ ନୀଳକଣ୍ଠ ଦାସ ପ୍ରଥମ ଓଡ଼ିଆ ଭାଷାବିଜ୍ଞାନୀ । ସେ ଭାରତର ସ୍ଵାଧିନତା ଆନ୍ଦୋଳନରେ ଜଣେ ସକ୍ରିୟ କର୍ମୀ ଭାବରେ ଅଂଶ ଗ୍ରହଣ କରି ୩ ଥର ( ୨ ବର୍ଷ ୨ ମାସ ) ହଜାରୀ ବାଗ ଜେଲରେ କାରାବରଣ କରିଥିଲେ । "କେନ୍ଦ୍ର ବିଧାନ ସଭା" ଓ ଓଡ଼ିଶା ବିଧାନ ସଭାରେ ତାଙ୍କର ଓଜସ୍ଵିନୀ ଭାଷଣ ଅନେକଙ୍କୁ ଦେଶସେବା ଆଡ଼କୁ ମୁହାଁଇଥିଲା । ସେ ଏକାଧାରରେ ଜଣେ ଦେଶ ସେବକ, ସୁବକ୍ତା, ସୁଲେଖକ, ବାଗ୍ମୀ ଓ ଭାଷାବିତ(ଦ) ଥିଲେ । ଜଣେ ସକ୍ରିୟ ସ୍ଵାଧୀନତା ସଂଗ୍ରାମୀ ଭାବରେ ସେ ଛୁଆଁ ଅଛୁଆଁ ଭେଦଭାବ ଓ ନାନାଦି ସାମାଜିକ କୁସଂସ୍କାର ବିରୋଧରେ ସ୍ଵର ଉଠାଇଥିଲେ । ପଣ୍ଡିତ ନୀଳକଣ୍ଠ ଜାତିଭେଦ ମାନୁନଥିଲେ ଓ ନିଜ ଛାତ୍ରମାନଙ୍କୁ ମଧ୍ୟ ସେହି ଶିକ୍ଷା ଦେଉଥିଲେ । ସେତେବେଳେ ବ୍ରାହଣ ସମାଜରେ, ଦାଢୀ କାଟି ନିଶ ରଖିବା ମନା ଥିଲା । ଏହାର ପ୍ରତିବାଦ କରି, ସେ ଦାଢୀ କାଟି ନିଶ ରଖିଥିଲେ । ଏଥିପାଇଁ ତାଙ୍କୁ ଶାସନୀ ବ୍ରାହ୍ମଣ ସମାଜର ଘୋର ବିରୋଧର ସମ୍ମୁଖିନ ହୋଇଥିଲେ ଓ ତାଙ୍କୁ ଦାଢୀ ହେବାକୁ ପଡିଥିଲା । ଏହି ପ୍ରଥାକୁ ବିଦ୍ରୁପ କରି, ସେ ମୋ ନିଶ ନାମରେ ପ୍ରବନ୍ଧ ଲେଖିଥିଲେ । ଜଣେ କବି ଭାବରେ କାବ୍ୟ ସୃଷ୍ଟିରେ ସେ ମୈାଳିକତା ପ୍ରଦର୍ଶନ କରିଛନ୍ତି । ‘କୋଣାର୍କେ’ ତାଙ୍କର ଏକ ଅନବଦ୍ୟ ସାର୍ଥକ ସୃଷ୍ଟି । ଜଣେ ସଫଳ ଅନୁବାଦକ ଓ ଶିଶୁ ସାହିତ୍ୟିକ ଭାବେ ମଧ୍ୟ ଯଶସ୍ୱୀ । ସେ ନବଭାରତର ପ୍ରେସ୍ ପ୍ରତିଷ୍ଠା ସହ ‘ନବଭାରତ’ ମାସିକ ସାହିତ୍ୟ ପତ୍ରିକା ସମ୍ପାଦନା କରି ଓଡିଶାର ସାମ୍ବାଦିକତା ଓ ସାହିତ୍ୟ କ୍ଷେତ୍ରରେ ଏକ ବିପ୍ଲବ ସୃଷ୍ଟି କରିଥିଲେ । ପଣ୍ଡିତ ଗୋପବନ୍ଧୁଙ୍କ ଦ୍ୱାରା ସମ୍ପାଦିତ ‘ସତ୍ୟବାଦୀ’ ସାହିତ୍ୟ ପତ୍ରରେ ସେ ଥିଲେ ନିୟମିତ ଲେଖକ । ତାଙ୍କ ରଚନାବଳୀ ମଧ୍ୟରେ ‘ଖାରବେଳ’, ‘ଦାସ ନାଏକ’, ‘ପ୍ରଣୟିନୀ’ ଆଦି କାବ୍ୟ ଏବଂ ‘ଓଡିଆ ସାହିତ୍ୟର କ୍ରମ ପରିଣାମ’, ‘ସଂସ୍କୃତ ଓ ସଂସ୍କୃତି’, ‘ଭଗବଦ୍ ଗୀତା’, ‘ଲାବଣ୍ୟବତୀ’, ‘ପିଲାଙ୍କ ଭାଗବତ’, ‘ପିଲାଙ୍କ ରାମାୟଣ’, ‘ପିଲାଙ୍କ ମହାଭାରତ’ ଓ ‘ଆତ୍ମଜୀବନୀ’ ଗ୍ରନ୍ଥ ଉଲ୍ଲେଖଯୋଗ୍ୟ । ଏହି ଜ୍ଞାନତପସ୍ୱୀ ସାରସତ୍ୱ ପୁରୁଷ ଓଡିଆ ଜାତିର ଚିର ନମସ୍ୟ ।