ଚିଟଫଣ୍ଡ କେଳେଙ୍କାରୀରେ ବାଲେଶ୍ୱର ସାଂସଦ ରବିନ୍ଦ୍ର ଜେନା ଆଗୁଆ ଜାମିନରେ ନାହାଁନ୍ତି କି?- ଲେଖାଶ୍ରୀ ସାମନ୍ତସିଂହାର

ରାଜନୀତି
  • 2019-02-09 12:37:55
  • 250

କାନଭାସ୍ ଓଡିଶା(ବ୍ୟୁରୋ) : ରାଜ୍ୟ ସରକାର ଜାଣିଶୁଣି ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କ ସଂଖ୍ୟା ସେମାନଙ୍କଠୁ ଲୁଟ୍ ହୋଇଥିବା ଅର୍ଥ, ଠକେଇରେ ସମ୍ପୃକ୍ତ ଓ ଅଭିଯୁକ୍ତ ବ୍ୟକ୍ତି ଓ ସଂସ୍ଥାଙ୍କ ନାମ ଓ ସେମାନଙ୍କ ନାଁରେ ନିର୍ଦ୍ଦିଷ୍ଟ ଅଭିଯୋଗ ଓ ଠକେଇର ଶିକାର ଲୋକଙ୍କ ସଂଖ୍ୟା ଜାଣିଶୁଣି ପ୍ରକାଶ କରୁନାହାନ୍ତି । ଚିଟ୍ଫଣ୍ଡର ସମସ୍ତ ତଥ୍ୟ ସର୍ବଜନୀନ କରିବା ପାଇଁ ଦଳ ତରଫରୁ ଏକ ଆରଟିଆଇ କ୍ୟାମ୍ପେନ ଆରମ୍ଭ କରାଯିବ ବୋଲି ଏକ ସାମ୍ବାଦିକ ସମ୍ମିଳନରେ ଉଦବୋଧନ ଦେଇ କହିଛନ୍ତି ବିଜେପି ରାଜ୍ୟ ସମ୍ପାଦିକା ଡ଼.ଲେଖାଶ୍ରୀ ସାମନ୍ତସିଂହାର । ରାଜଧାନୀ ଭୁବନେଶ୍ୱରରେ ବିଜେପିର ୫୦ ନେତା ଓ କର୍ମୀ ସୂଚନା କମିଶନଙ୍କ କାର୍ଯ୍ୟାଳୟରେ ସୂଚନା ଅଧିକାର ଆଇନ ଅନୁସାରେ ଦରଖାସ୍ତ ଦାଖଲ କରିଛନ୍ତି । ବାଲେଶ୍ୱର ସମେତ ସାରା ରାଜ୍ୟରେ ଏହି ଅଭିଯାନକୁ ବ୍ୟାପକ କରାଯିବ ବୋଲି ସେ କହିଛନ୍ତି । ନବୀନ ସରକାର ଓ ବିଜେଡ଼ିର ମନ୍ତ୍ରୀ,ସାଂସଦ,ବିଧାୟକ ଓ ନେତାମାନଙ୍କ ପ୍ରତ୍ୟକ୍ଷ ଭାଗିଦାରୀ ଓ ପୃଷ୍ଠପୋଷକତାରେ ଓଡ଼ିଶାରେ ହୋଇଥିବା ମହା ଚିଟ୍ଫଣ୍ଡ କେଳେଙ୍କାରୀରେ କ୍ଷତିଗ୍ରସ୍ତ ଲକ୍ଷ ଲକ୍ଷ ଓଡ଼ିଆ ଆଜି ରାଜ୍ୟ ସରକାରଙ୍କ ଦ୍ୱାରା ପ୍ରତାରଣାର ଶିକାର ହୋଇଛନ୍ତି । ଓଡ଼ିଶାର ଲକ୍ଷ ଲକ୍ଷ ଚିଟଫଣ୍ଡ କ୍ଷତିଗ୍ରସ୍ତଙ୍କୁ ସେମାନଙ୍କର କଷ୍ଟ ଅର୍ଜିତ ଅର୍ଥ ଫେରସ୍ତ ଓ ଦୋଷୀଙ୍କୁ କଠୋର ଦଣ୍ଡ ଓଡ଼ିଶାବାସୀଙ୍କ ଦାବି ବୋଲି ଡ଼. ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି । ଲେଖାଶ୍ରୀ ସାମନ୍ତସିଂହାର କହିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ଗସ୍ତ ସମୟରେ ଓଡ଼ିଶାରେ ଦୁର୍ନୀତିର ଦାନବକୁ ରାଜ୍ୟସରକାର ଦାନାପାଣି ଦେଉଥିବା ଅଭିଯୋଗ କରିଥିଲେ । ନବୀନ ନିବାସ ଭିତରେ ରହି ବିଜେଡ଼ି ତରଫରୁ ଅଧିକୃତ ଦସ୍ତଖତକାରୀ ସରୋଜ ସାହୁ ଚିଟଫଣ୍ଡ କେଳେଙ୍କାରୀରେ ସାମିଲ ରହି ପ୍ରଚୁର ଅର୍ଥ ନେଣଦେଣରେ ସିବିଆଇ ଜେରା କରିଥିଲା । ମାତ୍ର ମୁଖ୍ୟମନ୍ତ୍ରୀ ନବୀନ ନିବାସର ଏହି ସନ୍ଦିଗ୍ଧ ବ୍ୟକ୍ତି ସହ ତାଙ୍କର ସମ୍ପର୍କ କଣ ସେଥି ନେଇ ବାରମ୍ବାର ସ୍ପଷ୍ଟିକରଣ ମଗା ଗଲେ ମଧ୍ୟ ନୀରବ ରହିବା ଅନେକ ପ୍ରଶ୍ନ ତିଆରି କରିଛି । ବିଜେଡ଼ିର ଅନେକ ନେତା, ସାଂସଦ, ବିଧାୟକ ଜେଲ୍ ଯାଇଛନ୍ତି ଅନେକ ବେଲ୍ ରେ ଅଛନ୍ତି । ବାଲେଶ୍ୱରର ବିଜେଡ଼ି ସାଂସଦ ରବିନ୍ଦ୍ର ଜେନା ଚିଟପଣ୍ଡ ମହା କେଳେଙ୍କାରୀ ମାମଲାରେ ବେଲ୍ରେ ଅଛନ୍ତି । ସ୍ୱାଭିମାନୀ ବାଲେଶ୍ୱରବାସୀଙ୍କ ସ୍ୱାଭିମାନ ଓ ସମ୍ମାନ ଉପରେ ରବିନ୍ଦ୍ର ଜେନା ଏକ କଳଙ୍କ ବୋଲି ଲେଖାଶ୍ରୀ କହିଛନ୍ତି । ୨୦୧୪ ନିର୍ବାଚନ ପୂର୍ବରୁ ରାଜ୍ୟସରକାର ଗଠନ କରିଥିବା ୩୦୦ କୋଟି ଟଙ୍କାର କର୍ପସ ଫଣ୍ଡ କୁଆଡ଼େ ଗଲା? କର୍ପସ ଫଣ୍ଡ ଓ ଠକ, ଲୁଟେରା ଚିଟଫଣ୍ଡ କମ୍ପାନୀର ଜବତ ଅର୍ଥ ଓ ସମ୍ପତିର ଅର୍ଥ କ୍ଷତିଗ୍ରସ୍ତ ଜମାକାରୀଙ୍କୁ ବାଂଟିବା ପାଇଁ ରାଜ୍ୟସରକାର କାହିଁକି ପଛଘୁଂଚା ଦେଉଛନ୍ତି । ଚିଟଫଣ୍ଡ ତଦନ୍ତ ପାଇଁ ଗଠିତ ଜଷ୍ଟିସ ଏମଏମ୍ ଦାସ କମିଶନ କାର୍ଯ୍ୟକାଳକୁ ୬ ମାସ ବୃଦ୍ଧି କରି ରାଜ୍ୟସରକାର କମିଶନ ଆଳ ଦେଖାଇ ନିଜର ସ୍ଥାଣୁତା ଅପାରଗତାକୁ ନିର୍ବାଚନ ପୂର୍ବରୁ ଲୁଚାଇବା ପାଇଁ ଏକ ଷଡ଼ଯନ୍ତ୍ର କରିଛନ୍ତି ବୋଲି ଲେଖାଶ୍ରୀ ଅଭିଯୋଗ କରିଛନ୍ତି ।