ପଥ ଉତ୍ସବରେ ନିଶା ନିବାରଣର ବାର୍ତ୍ତା

ଟ୍ୱିନ୍ ସିଟି
  • 2019-02-03 18:29:26
  • 322

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ସମଗ୍ର ଭାରତକୁ ନିଶାମୁକ୍ତ କରି ଏକ ସୁସ୍ଥ ସ୍ୱାବଲମ୍ବୀ ସମ୍ପନ୍ନ ଭାରତ ଗଠନ ଉଦ୍ଦେଶ୍ୟ ନେଇ ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ତତ୍ତ୍ୱାବଧାନରେ ଓଡ଼ିଶା ଭ୍ରମଣ କରିଥିବା 'ବ୍ୟସନ ମୁକ୍ତ ଭାରତ ଯାତ୍ରା' ରଥ ଆଜି ଭୁବନେଶ୍ୱର ମହାନଗରରେ ଚାଲିଥିବା ପଥ ଉତ୍ସବରେ ସଚେତନତାର ବାର୍ତ୍ତା ପ୍ରଚାର କରିଥିଲା । ଏଥିରେ ଓଡ଼ିଶାର ଅନ୍ୟ ସମାଜିକ ସଙ୍ଗଠନମାନେ ମଧ୍ୟ ସ୍ଵତଃସ୍ପୁର୍ତ୍ତ ସମର୍ଥନ ଜଣାଇଥିଲେ । ନିଜର ବକ୍ତବ୍ୟ ରଖି ଅଖିଳ ବିଶ୍ୱ ଗାୟତ୍ରୀ ପରିବାର ପ୍ରତିନିଧି ବିଚିତ୍ରାନନ୍ଦ ସାହୁ ନିଶା ସେବନର ଦୁଷ୍ପରିଣାମ ଉପରେ ଆଲୋକପାତ କରିଥିଲେ । କିଭଳି ପାନ, ବିଡ଼ି, ସିଗାରେଟ ଭଳି ଛୋଟ ଛୋଟ ନିଶା ଧୀରେ ଧୀରେ ପରିବାରର ତଥା ବ୍ୟକ୍ତିର ଆର୍ଥିକ ସ୍ଥିତିକୁ ବିଗାଡ଼ି ଦିଏ ତାହା ବର୍ଣ୍ଣନା କରିଥିଲେ । ଓଡ଼ିଶାରୁ ମଦ ବନ୍ଦ କରିବା ପାଇଁ କାର‌୍ୟ୍ୟ କରୁଥିବା ଅନ୍ୟତମ ପ୍ରମୁଖ ସଙ୍ଗଠନ 'ସମ୍ଭବ' ପକ୍ଷରୁ ସମାସ ଷଡ଼ଙ୍ଗୀ କିଭଳି ମଦ ପିଇ ରାସ୍ତାରେ ଦୁର୍ଘଟଣା ଘଟାଉଥିବା ବ୍ୟକ୍ତିଙ୍କ ଯୋଗୁଁ ମଦ ନପିଉଥିବା ବ୍ୟକ୍ତିଟି ଶୀକାର ହୁଏ ତାହା କହିଥିଲେ । ମଦ ବନ୍ଦ ହେଲେ ଓଡ଼ିଶାରୁ ୫୦ ପ୍ରତିଶତ ଅପରାଧ କମିଯିବ ବୋଲି କହିଥିଲେ । ରାଜସ୍ବ ବାହାନା କରି ମଦ ଦୋକାନକୁ ପ୍ରୋତ୍ସାହିତ କରୁଥିବା ରାଜ୍ୟ ସରକାରମାନେ ବୁଝନ୍ତୁ ଯେ ମଦ ବନ୍ଦ ହେଲେ ଓଡ଼ିଶାର କୌଣସି ରାଜସ୍ୱ ହାନି ନହୋଇ ଓଲଟା ଅନେକ ପରିବାର ଉଜୁଡ଼ିବାରୁ ବର୍ତ୍ତିଯିବ ବୋଲି କହିଥିଲେ । ଓଡ଼ିଶା ମହିଳା ଅଧିକାର ମଞ୍ଚ ଅଧ୍ୟକ୍ଷ୍ୟା ବନଜାବାସିନୀ ତ୍ରିପାଠୀ ମଦ ଯୋଗୁଁ ଉଜୁଡ଼ି ଯାଉଥିବା ସଂସାରଗୁଡ଼ିକ ପ୍ରତି ସରକାର ସମ୍ବେଦନଶୀଳ ହେବା ପାଇଁ ଅନୁରୋଧ କରିଥିଲେ । ମଦ ଯୋଗୁଁ ରାସ୍ତା ଦୁର୍ଘଟଣା ସହ ହସଖୁସିର ପରିବାରଗୁଡ଼ିକ ନଷ୍ଟ ହୋଇଯାଉଛି ବୋଲି ସେ ଅଭିଯୋଗ କରିଥିଲେ । ଯୁବ ଯୋଗାଚାର‌୍ୟ୍ୟ ଡ଼ଃ ବିଶ୍ଵରଞ୍ଜନ ରଥ ଓଡ଼ିଶାରୁ ମଦ ଦୋକାନକୁ ସମ୍ପୂର୍ଣ୍ଣ ବନ୍ଦ କରିବା ପାଇଁ ଆହ୍ୱାନ ଦେଇଥିଲେ ଏବଂ କହିଛନ୍ତି ଯେ ମହିଳାମାନଙ୍କ ପାଇଁ ୩୩% ଆରକ୍ଷଣ ଅପେକ୍ଷା ମଦ ଦୋକାନ ବନ୍ଦ କରିବା ଅଧିକ ଗୁରୁତ୍ୱପୂର୍ଣ୍ଣ । ଯେଉଁ ସରକାର ସବୁବେଳେ ନାରୀର ସମ୍ମାନ କଥା କହୁଛନ୍ତି ସେ ନାରୀଙ୍କ ଅସମ୍ମାନର କାରଣ ମଦ ଦୋକାନ ବୋଲି ପ୍ରଥମେ ବୁଝନ୍ତୁ ବୋଲି କହିଥିଲେ । ଅନ୍ୟମାନଙ୍କ ମଧ୍ୟରେ ମହିଳା କର୍ମୀ ପ୍ରଭାତୀ ପରିଚ୍ଛା, ପୁଷ୍ପା ଆଚାର‌୍ୟ୍ୟ, ହରିଶ ଭାଈ, ମାନସରଞ୍ଜନ ପଟ୍ଟନାୟକ, ଦୀନବନ୍ଧୁ ଷଡ଼ଙ୍ଗୀ, ପ୍ରକାଶ ଚନ୍ଦ୍ର ବାରିକ, କୃପାସିନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଉପସ୍ଥିତ ଥିଲେ ।