ମଧ୍ୟମ ବର୍ଗ, କୃଷକ ଏବଂ ଶ୍ରମିକମାନଙ୍କ ପାଇଁ କେନ୍ଦ୍ର ବଜେଟ ୨୦୧୯ ଏକ କ୍ରାନ୍ତିକାରି ବଜେଟ- ବସନ୍ତ ପଣ୍ଡା

ରାଜ୍ୟ ଖବର
  • 2019-02-02 18:06:42
  • 243

କାନଭାସ୍ ଓଡିଶା(ବ୍ୟୁରୋ) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କର ନେତୃତ୍ୱାଧୀନ କେନ୍ଦ୍ର ସରକାର ଆଜି ଆଣିଥିବା ଆର୍ଥୀକ ବଜେଟ ଆମ ଦେଶର ଆର୍ଥୀକ ପ୍ରଗତିକୁ ଆଗେଇ ନେବା ଭଳି ଏକ କ୍ରାନ୍ତିକାରି ବଜେଟ । ସଂସଦରେ କେନ୍ଦ୍ର ଅର୍ଥମନ୍ତ୍ରୀ ଶ୍ରୀ ପିୟୁଷ ଗୋୟାଲ ଆଣିଥିବା ଏହି ବଜେଟ ସବୁ ବର୍ଗକୁ ସୁହାଇଲା ଭଳି ବଜେଟ । ବିଶେଷ ଭାବେ ମଧ୍ୟମ ଆୟକାରି ବର୍ଗର ଲୋକମାନଙ୍କ ପାଇଁ ଏହି ବଜେଟ ବହୁତ ଲାଭ ଆଣିଛି । ସେହିପରି ଶ୍ରମିକ ମାନଙ୍କ ପାଇଁ ପ୍ରଥମ ଥର ପାଇଁ ପେନସନର ସୁବିଧା, କୃଷକମାନଙ୍କ ପାଇଁ ସାର୍ବଜାନିନ ସହୟତା ରାଶି ଆଦିର ସୁବିଧା ଏହି ବଜେଟକୁ ଏକ ଅନନ୍ୟ ଏବଂ ଅସାଧାରଣ ବଜେଟ ଭାବରେ ପ୍ରମାଣିତ କରିଛି ବୋଲି କହିଛନ୍ତି ରାଜ୍ୟ ସଭାପତି ବସନ୍ତ ପଣ୍ଡା । ଶ୍ରୀ ପଣ୍ଡା କହିଛନ୍ତି କି, ଏହି ବଜେଟ ଆସିବା ଦ୍ୱାରା ଦେଶର ଅର୍ଥନୀତିକୁ ସମୃଦ୍ଧ କରିବା ପାଇଁ ସବୁଠାରୁ ବଡ ଅବଦାନ ଥିବା ମଧ୍ୟମ ଆୟକାରୀ ବର୍ଗର ଲାଭ ହୋଇଛି । ଆୟକର ସୀମାକୁ ବାର୍ଷୀକ ୫ ଲକ୍ଷ ଟଙ୍କା ବୃଦ୍ଧି ହୋଇଛି । ଏହା ସହ ଆହୁରି ଅଧିକ ୧.୫ ଲକ୍ଷ ଟଙ୍କାର ବିନିଯୋଗ ବା ପୁଜିଂ ଲଗାଣ କଲେ ମଧ୍ୟ ଟିକସ ଛାଡ ହେବ । ସମୁଦାୟ ବାର୍ଷୀକ ୬.୫ ଲକ୍ଷ ଟଙ୍କା ରୋଜଗାର କରୁଥିବା ମଧ୍ୟମବିତ ପରିବାରଙ୍କ ପାଇଁ ଏହା ଏକ ବଡ ଆର୍ଥୀକ ରିହାତି । ୩ କୋଟି ମଧ୍ୟବିତ ପରିବାର ଏହାର ସୁବିଧା ପାଇବେ । ସେହିପରି କେନ୍ଦ୍ର ସରକାର ଆଜି ପ୍ରଧାନମନ୍ତ୍ରୀ କିସାନ ସମ୍ମାନ ନିଧି ଯୋଜନା ଘୋଷଣା କରିଛନ୍ତି । ୨ ହେକ୍ଟରରୁ କମ ଚାଷ ଜମି ଥିବା ଚାଷୀମାନଙ୍କୁ ୬୦୦୦ ଟଙ୍କାର ଅନୁଦାନ ମିଳିବ । ୧୨କୋଟିରୁ ଅଧିକ ଚାଷୀ ପରିବାର ଏହାର ଲାଭ ପାଇବେ । ଭାଗ ଚାଷୀ ଏବଂ ନାମମାତ୍ର ଚାଷିମାନେ ଏହି ଯୋଜନାରେ ଲାଭ ପାଇବେ । ଏହି ଯୋଜନାରେ ୭୫,୦୦୦ କୋଟି ଟଙ୍କାର ଆର୍ଥୀକ ପ୍ରାବଧାନ ରଖିଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି । ଶ୍ରୀ ପଣ୍ଡା କହିଛନ୍ତି କି ଅସଙ୍ଗଠିତ ଶ୍ରମିକମାନଙ୍କ ପାଇଁ ଆଗରୁ କୌଣସି ସରକାର ଚିନ୍ତା କରିନଥିଲେ । ଆଜିର ମୋଦିଙ୍କର ସରକାର ସେହି ଦିଗରେ ଚିନ୍ତା କରଛନ୍ତି । ଦେଶର ୪୨ କୋଟି ଅସଙ୍ଗଠିତ ଶ୍ରମିକ ମାନଙ୍କ ପାଇଁ ମାସିକ ୩୦୦୦ ଟଙ୍କାର ପେନସନର ବ୍ୟବସ୍ଥା କରିବା ଏକ ବଡ ପଦକ୍ଷେପ । ସେହିପରି ରାଷ୍ଟ୍ରୀୟ ଗୋକୁଳ ମିଶନରେ ଗୋସମ୍ପଦର ବିକାଶ ପାଇଁ ୭୫୦ କୋଟି, ଆସନ୍ତା ବର୍ଷ ସୁଦ୍ଧା ଉଜ୍ଜାଳା ଯୋଜନାରେ ୮ କୋଟି ମାଗଣା ଗ୍ୟାସ ସଂଯୋଗ ପାଇଁ ଲକ୍ଷ୍ୟ ଧାର୍ଯ୍ୟ , କ୍ଷୁଦ୍ର ଓ ମଧ୍ୟମ ଶିଳ୍ପ ପାଇଁ ଋଣରେ ବଡ ରିହାତି ଘୋଷଣା ଦେଶର ଅର୍ଥନୀତିକୁ ସମ୍ୃଦ୍ଧ କରିବ । ଦେଶର ଜିଡିପି ଅଭିବୃଦ୍ଧି ହାରରେ ବୃଦ୍ଧି ପାଇଛି । ଜିଡିପି ଅଭିବୃଦ୍ଧି ହାର ୭.୧ ପ୍ରତିଶତରୁ ବୃଦ୍ଧି ପାଇ ୮.୨ରେ ପହଂଚିଛିି । ଦରବୃଦ୍ଧି ନିୟନ୍ତ୍ରଣରେ ଏହି ସରକାର ସଫଳ ହୋଇଛନ୍ତି ବୋଲି ଶ୍ରୀ ପଣ୍ଡା କହିଛନ୍ତି ।