ରତ୍ନଭଣ୍ଡାରର ସୁରକ୍ଷା କରିପାରୁନଥିବା ସରକାର ରାଜ୍ୟର ସୁରକ୍ଷା କିପରି କରିବ- ଅମିତ ଶାହ

ରାଜ୍ୟ ଖବର
  • 2019-01-30 00:53:14
  • 286

କାନଭାସ୍ ଓଡିଶା(ବ୍ୟୁରୋ) : ଭାରତ ମୋଦିଙ୍କ ନେତୃତ୍ୱରେ ବିଶ୍ୱ ଆଗକୁ ବଢୁଛି । ମଧୁବାବୁ ଇଂରେଜ ଶାସନରେ ଓଡିଶା ଭାଷା, ରାଜ୍ୟ ପାଇଁ ସାରା ଜୀବନ ଲଢିଛନ୍ତି । ଏହି ଲଢେଇ ଇଂରେଜଙ୍କ ନିକଟରେ ପହଁଚିଥିଲା । ଆଗାମୀ ନିର୍ବାଚନରେ ରାଜ୍ୟରେ ଓଡିଆ ଭାଷା କହୁଥିବା ମୁଖ୍ୟମନ୍ତ୍ରୀ ହେବା ଦରକାର । ବକ୍ସି ଜଗବନ୍ଧୁ ଆଦି ସହିଦଙ୍କ ସ୍ୱପ୍ନକୁ ସାକାର କେବଳ ମୋଦି ହିଁ କରିପାରିବେ । ବିଜେପି ଅନ୍ୟ ଦଳଠାରୁ ଭିନ୍ନ । କାରଣ ଏହା କର୍ମୀଙ୍କ ଦଳ ନେତାଙ୍କ ନୁହେଁ । ସଂଗଠନର ବିସ୍ତାର କର୍ମୀଙ୍କ ଆଧାରରେ ହୋଇଥାଏ । କେନ୍ଦ୍ରରେ ବିଜେପି ସରକାର ସହ ଓଡିଶାରେ ବି ବିଜେପିର ସରକାର ହେବ । ବିଜେପି ସରକାର ଗରୀବ, ଆଦିବାସୀ, ଦଳିତଙ୍କ ସରକାର । ରାଜ୍ୟରେ ବିଜେପିର ସରକାର ହେଲେ ଓଡିଶାକୁ ଦେଶର ଏକ ନମ୍ବର ରାଜ୍ୟ କରିବୁ ବୋଲି କହିଛନ୍ତି ରାଷ୍ଟ୍ରୀୟ ସଭାପତି ଅମିତ ଶାହ । ସାଲେପୁରରେ ଆୟୋଜିତ ଏକ ବୁଥ ସ୍ତରୀୟ କାର୍ଯ୍ୟକର୍ତା ବୈଠକରେ ଯୋଗଦେଇ ଶ୍ରୀ ଶାହ କହିଛନ୍ତି ଦେଶର ରାହୁଲ ବାବାଙ୍କ ଚାରୋଟି ପିଢୀ ଶାସନ କରିଛି କିନ୍ତୁ ଗରୀବଙ୍କ ଘରେ ଗ୍ୟାସ ପହଁଚି ନଥିଲା । କିନ୍ତୁ ମୋଦି ଏବଂ ଧର୍ମେନ୍ଦ୍ର ପ୍ରଧାନ ଏହାକୁ ସାକାର କରିଛନ୍ତି । ସେହିପରି ବିଜେପି ସରକାର ସମସ୍ତ ଘରକୁ ଶୌଚାଳୟ ଦେଇଛନ୍ତି । ପ୍ରତି ଘରକୁ ବିଜୁଳି, ମହିଳାଙ୍କ ସୁରକ୍ଷା ମୋଦି ସରକାର କରିଛନ୍ତି । କିନ୍ତୁ ଅନେକ ଯୋଜନା ନବୀନ ସରକାର ତଳ ସ୍ତରରେ ପହଂଚିବାକୁ ଦେଉ ନାହାନ୍ତି । ଆୟୁଷ୍ମାନ ଯୋଜନାକୁ ରାଜ୍ୟରେ ଲାଗୁ କରୁନାହାନ୍ତି । ଓଡିଶାର ମୁଖ୍ୟମନ୍ତ୍ରୀ କାହିଁକି ଗରିବ ଲୋକଙ୍କୁ ଆୟୁଷ୍ମାନ ଯୋଜନାର ଲାଭ ଦେଉ ନାହାନ୍ତି ବୋଲି ଶାହା ପ୍ରଶ୍ନ କରିଛନ୍ତି । ଏହା ପଛରେ ଏକ କାରଣ ରହିଛି । ନବୀନଙ୍କ ମନରେ ଭୟ ରହିଛି । କାରଣ ଏଥିପାଇଁ କାଳେ ମୋଦି ଲୋକପ୍ରିୟ ହୋଇଯିବେ । ଅମିତ କହିଛନ୍ତି କି ବିଜେପିର ଶକ୍ତି ବୃଦ୍ଧି ଘଟିଛି । ପଂଚାୟତ ନିର୍ବାଚନରେ ଫଳାଫଳରୁ ଏକଥା ସ୍ପଷ୍ଟ କି ଓଡିଶାରେ ଆଗାମୀ ସରକାର ବିଜେପିର ସରକାର ହେବ । ବିଶ୍ୱରେ ସବୁଠାରୁ ଅଧିକ ଓ ଉଚ୍ଚମାନର ଖଣିଜ ସମ୍ପଦ ଓଡିଶାର ରହିଛି । କିନ୍ତୁ ଓଡିଶାବାସୀ ଗରିବ । ଏହାର କାରଣ କଣ ବୋଲି ଶାହା ପ୍ରଶ୍ନ କରିଛନ୍ତି । ସାରା ଦେଶକୁ ଆଗକୁ ନେବା ପାଇଁ ଯାହା ଉତ୍ପାଦନ ହେଉଛି ସେଥିରେ ଓଡିଶାର ଅବଦାନ ରହିଛି । କିନ୍ତୁ ଓଡିଶାର ବିକାଶ ହେଉନାହିଁ । କାରଣ ରାଜ୍ୟ ସରକାର ବିକାଶ କରିବା ଜାଣି ନାହାନ୍ତି । କିନ୍ତୁ ବିଜେପି ସରକାରକୁ ଆସିଲେ ଓଡିଶାକୁ ନମ୍ବର ୧ କରିବ । ମୋଦିଙ୍କ ନେତୃତ୍ୱରେ ନୂଆ ଓଡିଶା ଗଠନ କରିବ । କେହି ବେକାର ରହିବେନି, କେହି ଗରୀବ ରହିବେନି, ଯାହା କେବଳ ମୋଦିଙ୍କ ନେତୃତ୍ୱରେ ହିଁ ହୋଇ ପାରିବ । ପୁର୍ବରୁ କେନ୍ଦ୍ରରେ ଥିବା କଂଗ୍ରେସ ସରକାରରେ ଓଡିଶାକୁ ୭୯୦୦୦ କୋଟି ମିଳିଥିଲା । କିନ୍ତୁ ମୋଦି ସରକାରରେ ରାଜ୍ୟକୁ ୨,୧୧,୫୧୦ କୋଟି ଟଙ୍କା ରାଜ୍ୟର ବିକାଶ ପାଇଁ ଦେଇଛନ୍ତି । ଏହା ବାଦ ୫୧,୦୦୦ କୋଟିର ଅତିରିକ୍ତ ଅର୍ଥ ମଧ୍ୟ ରହିଛି । ରେଳ ପାଇଁ ୨୦,୦୦୦ କୋଟି, ଜଳ ପାଇଁ ୨୦୦୦ କୋଟି, ମେଡିକାଲ ପାଇଁ ୧୬,୦୦୦ କୋଟି, ପୁରୁଣା ମେଡିକାଲ ପାଇଁ ୪୦୦୦କୋଟି, ପୁରୀ ସହରର ବିକାଶ ପାଇଁ ୧୭୦୦କୋଟି, ପାରାଦ୍ୱୀପକୁ ୩୩୦୦ କୋଟି ଏପରି ମୋଟ ୫୧୦୦୦ କୋଟି ଟଙ୍କା ରାଜ୍ୟକୁ ମିଳିଛି । ଏହାବାଦ ୩୩୦୦୦ କୋଟିର ଋଣ ମଧ୍ୟ ମିଳିଛି । ଏହାବାଦ ପେଟ୍ରୋଲିୟମ ସହ ଡିଏମଏଫ ପାଣ୍ଠିସହ ମୋଟ ୫ଲକ୍ଷ ୧୩୦୦୦ କୋଟି ଓଡିଶାକୁ ମିଳିଛି । କିନ୍ତୁ ଏହି ଟଙ୍କା ଗ୍ରାମରେ ପହଁଚି ନାହିଁ ବୋଲି ଶ୍ରୀ ଶାହ କହିଛନ୍ତି । ଓଡିଶାର ଗ୍ରାମରେ ଆଜି ମଧ୍ୟ ୨୪ ଘଂଟା ବିଜୁଳି , ପାଣି , ହସ୍ପିଟାଲରେ ଡାକ୍ତର ନାହାନ୍ତି । ୪୦ ପ୍ରତିଶତ ଲୋକଙ୍କ ପକ୍କାଘର ନାହି । ୩୮ ପ୍ରତିଶତ ପରିବାର ପାଖରେ ବିଶୁଦ୍ଧ ପିିଇବା ପାଣି ନାହିଁ । ଶ୍ରୀ ଶାହ କହିଛନ୍ତି ବିଜେପି ସରକାରକୁ ଆସିବା ପରେ ଆମ ଦେଶ ଶକ୍ତିଶାଳୀ ହୋଇଛି । ଯାହା ପାକିସ୍ତାନକୁ ଅଡୁଆରେ ପକାଇଛି । ମୋଦିଜୀ ବିଶ୍ୱରେ ଭାରତର ସମ୍ମାନ ବୃଦ୍ଧି କରିଛନ୍ତି । ପାକିସ୍ତାନକୁ ସର୍ଜିକାଲ ଷ୍ଟ୍ରାଇକ କରି ଜବାବ ଦେଇଛନ୍ତି । ପୂର୍ବରୁ ଡିଏମଏଫ ଶିଳ୍ପପତିଙ୍କ ନିକଟକୁ ଯାଉଥିଲା । କିନ୍ତୁ ବର୍ତମାନ ଏହା ଆଦିବାସୀଙ୍କ ଘରେ ପହଁଚିଛି । ୪୦୦୦ କୋଟିରୁ ଅଧିକ ଅର୍ଥ ଓଡିଶା ପାଇଁ ଆସିଛି । ବ୍ଲକ ପିଛା ୧୦ କୋଟି, ଏକଲବ୍ୟ ସ୍କୁଲ, ବନବନ୍ଧୁ ଯୋଜନାରେ ଆଦିବାସୀଙ୍କ ବିକାଶ ପାଇଁ କେନ୍ଦ୍ର ସରକାର ବ୍ୟବସ୍ଥା କରିଛନ୍ତି । ୨୦୧୯ରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଦେଶବାସୀଙ୍କ ଆଶୀର୍ବାଦ ମାଗୁଛନ୍ତି । ସେ କହିଛନ୍ତି କି ୧୯ ବର୍ଷର ନବୀନ ସରକାରକୁ ଓଡିଶା ଲୋକ ୧୯ରେ ସମାପ୍ତ କରନ୍ତୁ । ଓଡିଶାବାସୀଙ୍କୁ ଅପିଲ କି କଂଗ୍ରେସକୁ ସୁଯୋଗ ଦେଲେ, ୧୯ ବର୍ଷ ବିଜେଡିକୁ ସୁଯୋଗ ଦେଲେ କିନ୍ତୁ ରାଜ୍ୟର ବିକାଶ ହେଲା ନାହିଁ । ୫ ବର୍ଷ ବିଜେପିକୁ ଦିଆଗଲେ ରାଜ୍ୟର ବିକାଶ ହେବ । ବିଜେଡି ଏବଂ କଂଗ୍ରେସ ଗୋଟିଏ ମୁଦ୍ରାର ଦୁଇଟି ପାଖ । ଓଡିଶାର ବିକାଶ ଏତେ ବର୍ଷରେ ହୋଇନାହିଁ । ଗୋଟିଏ ଗଲେ ଆଉ ଜଣେ ଆସିବେ କିନ୍ତୁ କିଛି ଫାଇଦା ହେବନାହିଁ । ଓଡିଶାରେ ଗୋଟିଏ ସୁଯୋଗ ମୋଦିଙ୍କୁ ଦେବାକୁ ସେ କହିଛନ୍ତି । ସେ ଆହୁରି କହିଛନ୍ତି କି, ୧୯ରେ ଦେଶର ଜନତା ମୋଦିଙ୍କ ସରକାରଙ୍କୁ ଚାହୁଁଛନ୍ତି । ପରିଣାମ ସ୍ପଷ୍ଟ ଜଣାପଡୁଛି । ସରକାରରେ ମୋଦୀଙ୍କ ହିଁ ବସିବେ । କିନ୍ତୁ ନରେନ୍ଦ୍ର ମୋଦୀଙ୍କ ସରକାର ପାଇ଼ଁ ଓଡିଶାବାସୀ ଏବଂ ଜଗନ୍ନାଥଙ୍କ ଆଶୀର୍ବାଦ ଦରକାର । ପୂର୍ଣ୍ଣ ବହୁମତ ଦରକାର । ବିଜେପିର କର୍ମୀମାନେ ବିଜେପିକୁ ଜିତାଇବା ପାଇଁ ଦିନ ରାତି ଏକ କରନ୍ତୁ । ନିର୍ବାଚନ ଗଣତି ନସରିଲା ଯାଏଁ ଆରାମ କରନ୍ତୁ ନାହିଁ । ରତ୍ନଭଣ୍ଡାର ପ୍ରସଙ୍ଗରେ ଶାହା କହିଛନ୍ତି କି, ଓଡିଶା ସରକାର ଜଗନ୍ନାଥଙ୍କ ରତ୍ନଭଣ୍ଡାରର ରକ୍ଷଣାବେକ୍ଷଣ କରିପାରୁ ନାହାନ୍ତି । ରତ୍ନଭଣ୍ଡାର ସୁରକ୍ଷା ରାଜ୍ୟର ସମୃଦ୍ଧି ଉପରେ ପ୍ରଶ୍ନ । ଆଗାମୀ ଦିନରେ ମୋଦିଙ୍କ ନେତୃତ୍ୱରେ ରାଜ୍ୟରେ ନିର୍ବାଚନ ଲଢାଯିବ । କିନ୍ତୁ ମହାମେଂଟ କଂଗ୍ରେସକୁ ନେଇ ହୋଇଛି । ଯାହାର ନେତା ଏବଂ ନିତି ନାହିଁ । ଓଡିଶାରେ ମୋଦୀଙ୍କ ନେତୃତରେ ବାଧ୍ୟବାଧ୍ୟକତାର ସରକାର ନୁହେଁ ବରଂ ଏକ ବିକାଶମୁଖି ଏବଂ ମଜବୁତ ସରକାର ଗଠନ ହେବ ।