ଏହି ୫ଟି ଜିନିଷ ପ୍ରତି ହୋଇଯାଆନ୍ତୁ ସଜାଗ, ନହେଲେ ଆପଣ ସଂକ୍ରମଣର ଶିକାର ହୋଇପାରନ୍ତି

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା
  • 2019-01-20 08:50:04
  • 353

କାନଭାସ୍ ଓଡିଶା(ବ୍ୟୁରୋ) : ଦୈନନ୍ଦିନ ଜୀବନରେ ଆମେ ସମସ୍ତେ ଜଣେ ଅନ୍ୟ ଜଣଙ୍କର କେତେକ ସମ୍ପୂର୍ଣ୍ଣ ବ୍ୟକ୍ତିଗତ ସାମଗ୍ରୀ ବ୍ୟବହାର କରିଥାଉ ଏପରି କରିବା କେତେ ଦୂର ଠିକ କିମ୍ବା ଭୁଲ ତାହା ଆମ୍ଭେ ଜାଣି ନଥାଉ । ଆସନ୍ତୁ ଆଜି ଜାଣିବା ଏବିଷୟରେ କିଛି ନୂଆ କଥା .... ୧. ଇୟରଫୋନ: ଅନ୍ୟ ଜଣଙ୍କର ଇୟର ଫୋନ ବ୍ୟବହାର କରିଲେ କାନରେ ବାକ୍ଟେରିଆ ବୃଦ୍ଧିର ସମ୍ଭାବନା ଅଧିକ ହୋଇଥାଏ । ବ୍ୟାୟାମ କରିବା ସମୟରେ ଅନ୍ୟ ଜଣଙ୍କର ଇୟରଫୋନ ବ୍ୟବହାର କରିବା କେବେବି ଉଚିତ ନୁହେଁ । ଯଦି ଆପଣ ଅଜାଣତରେ ଅନ୍ୟର ଇୟରଫୋନ ବ୍ୟବହାର କରନ୍ତି, ତେବେ କାନରେ ସଂକ୍ରମଣ ହେବା, କାନ ପୀଡ଼ାହେବାର ସମ୍ଭାବନା ରହିଥାଏ । କେବଳ ନିଜର ଇୟରଫୋନ ବ୍ୟବହାର କରିବା ଉଚିତ ଏବଂ ଏହାକୁ ଅନ୍ୟ କେହି ଯେପରି ବ୍ୟବହାର ନକରନ୍ତି ସେଠିପ୍ରତି ଯତ୍ନବାନ ହେବା ଆବଶ୍ୟକ । ଯଦି କେବେ ଅନ୍ୟର ଇୟରଫୋନ ବ୍ୟବହାର କରିବା ନିହାତି ଆବଶ୍ୟକ ହୁଏ, ତେବେ ଏହାକୁ କପଡ଼ାରେ ଭଲରେ ପୋଛି କରି ବ୍ୟବହାର କରନ୍ତୁ । ୨. ଟାୱେଲ : ସମସ୍ତ ସଂକ୍ରମଣର ଏନ୍ତୁଡ଼ିଶାଳ ହେଉଛି ଟାୱେଲ । ସାଧାରଣତଃ କାଛୁକୁଣ୍ଡିଆ, ଚର୍ମରୋଗ, ଆକ୍ଷିଧରା ରୋଗ ଇତ୍ୟାଦି ଟାୱେଲର ବ୍ୟବହାର ଦ୍ୱାରା ବହୁଳମାତ୍ରାରେ ହୋଇଥାଏ । ତେଣୁ, ଟାୱେଲକୁ ସବୁବେଳେ ଭଲଭାବରେ ପରିସ୍କାର କରି ଶୁଖାଇବା ଦରକାର । ନିଜର ଟାୱେଲ ଯେପରି ଅନ୍ୟକେହି ବ୍ୟବହାର ନକରନ୍ତି ସେଥିପ୍ରତି ସଜାଗ ରହିବା ଦରକାର । ୩. ପାନିଆଁ: କେବେବି ନିଜର ପାନିଆଁକୁ ଅନ୍ୟ ଜଣେ ବ୍ୟବହାର କରିବା ପାଇଁ ଦିଅନ୍ତୁ ନାହିଁ । ପାନିଆଁ ଦ୍ୱାରା ବହୁତ ପ୍ରକାରର କେଶ ଜନିତ ରୋଗ ହୋଇଥାଏ । ଯଦି ଦୈବାତ ଅନ୍ୟ ଜଣେ ଆପଣଙ୍କର ପାନିଆଁ ବ୍ୟବହାର କରିଲେ, ତେବେ ଏହାକୁ ଭଲ ଭାବରେ ପରିସ୍କାର କରନ୍ତୁ । ୪. ସାବୁନ: ପ୍ରତିଥର ସାବୁନର ବ୍ୟବହାର ପରେ ଏହା ଉପରେ ଅନେକ କ୍ଷୁଦ୍ରାଦିକ୍ଷୁଦ୍ର କୀଟାଣୁ ସବୁ ଜମି ଯାଇଥାନ୍ତି । ଏହି ସାବୁନ ହେଉଛି ଅନେକ ସାଙ୍ଘାତିକ ଭୁତାଣୁର ବାହକ । ତେଣୁ, ଏବେ ଆପଣ ଅନ୍ୟର ସାବୁନ ବ୍ୟବହାର କରିବା ପୂର୍ବରୁ ସାବଧାନ ହୋଇଯାନ୍ତୁ ଏବଂ ଅନ୍ୟକୁ ନିଜର ସାବୁନ ବ୍ୟବହାର କରିବାକୁ ବାରଣ କରନ୍ତୁ । ଏହି ସବୁ କାରଣରୁ ଲିକ୍ୱିଡ଼ ସୋପ ଏକ ଭଲ ବିକଳ୍ପ ଅଟେ । ୫. ନେଲକଟର: ଆମର ନଖ କୋଣରେ ହଜାର ହଜାର ସଂଖ୍ୟାରେ ଜୀବାଣୁ ଭର୍ତି ହୋଇ ରହିଥାନ୍ତି ଯାହାକି ଆମର ଖାଲି ଆଖିକୁ ଦେଖାଯାନ୍ତି ନାହିଁ, ଅନ୍ୟର ନେଲକଟର ବ୍ୟବହାର କରିବା ଦ୍ୱାରା କେତେକ ସାଙ୍ଘାତିକ ଭୁତାଣୁ ଜନିତ ରୋଗ ସଂକ୍ରମଣ ହେବାର ସମ୍ଭାବନା ରହିଛି । ତେଣୁ, ଆପଣ ନିଜେ ବ୍ୟକ୍ତିଗତ ଭାବରେ ନିଜର ନେଲକଟର ବ୍ୟବହାର କରନ୍ତୁ । ସୁଗ୍ୟାନ କୁମାର ନାୟକ