ବରୀରେ ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ

ସ୍ୱାସ୍ଥ୍ୟ/ଜୀବନଚର୍ଯ୍ୟା
  • 2019-01-18 20:02:32
  • 249

କାନଭାସ୍ ଓଡିଶା(ବ୍ୟୁରୋ) : ବରୀ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପରିସରରେ ଗୁରୁବାର ମାନସିକ ରୋଗୀ ଚିକିତ୍ସା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି ଶିବିରରେ ୮୪ ଜଣ ମାନସିକ ରୋଗୀ ଚିକିତ୍ସିତ ହୋଇଥିବା ଜଣାପଡିଛି । ଡାକ୍ତର ବ୍ରଜ କିଶୋର ଗିରି,ଡାକ୍ତର ଗୋପାଳ ଚନ୍ଦ୍ର ମଲିକ ମାନସିକ ରୋଗୀମାନଙ୍କୁ ଏହି ଶିବିରରେ ଚିକିତ୍ସା କରି ମାଗଣାରେ ଔଷଧ ପ୍ରଦାନ କରିଥିବା ସୂଚନା ମିଳିଛି । ଜିଲ୍ଲା ସ୍ୱାସ୍ଥ୍ୟ ସମିତି ଆନୁକୁଲ୍ୟରେ ଆୟୋଜିତ ମାନସିକ ରୋଗୀ ଚିକିତ୍ସା ଶିବିର ପାଇଁ ୩ ଦିନ ଧରି ଡାକବାଜି ଦ୍ୱାରା ପ୍ରଚାର ପ୍ରସାର କରିବାର ନିୟମ ରହିଥିଲାବେଳେ ଗୋଟିଏ ଦିନ ଗୋଷ୍ଠି ସ୍ୱାସ୍ଥ୍ୟକେନ୍ଦ୍ର ପାଖରୁ ୨ କି.ମି ପରିସରରେ ପ୍ରଚାର ପ୍ରସାର କରି ବିଭାଗୀୟ କର୍ମଚାରୀ ୬ ହଜାର ଟଙ୍କା ବିଲ କରି ନେଇଥିବା ଜଣାପଡିଛି ।ଯାହାଫଳରେ ପ୍ରଚାର ପ୍ରସାର ନିୟମାନୁଯାୟୀ ହୋଇ ନଥିବାରୁ ଶିବିରରେ ରୋଗୀଙ୍କ ସଂଖ୍ୟା କମିଯାଇଥିବା ଅଭିଯୋଗ ହୋଇଛି । ଆହୁରି ଅନେକ ମାନସିକ ରୋଗୀ ଚିକିତ୍ସାରୁ ବଂଚିତ ହୋଇଥିବା ଜଣାପଡିଛି । ଏହି ଶିବିରକୁ ସୁଚାରୁ ରୁପେ ପରିଚାଳନା କରିବା ପାଇଁ ବରୀ ଗୋଷ୍ଠି ସ୍ୱାସ୍ଥ୍ୟ କେନ୍ଦ୍ରକୁ ୩୯ ହଜାର ୭ଶହ ୪୮ ଟଙ୍କା ଆସିଥିବା ଜିଲ୍ଲା ସ୍ୱାସ୍ଥ୍ୟ ସମିତି କାର୍ଯ୍ୟାଳୟରୁ ଜଣାପଡିଛି । ବ୍ୟାପକ ଅବବ୍ୟବସ୍ଥା ଭିତରେ ଶିବିର ପରିଚାଳନା ହୋଇଥିବାରୁ ସାଧାରଣରେ ଅସନ୍ତୋଷ ପ୍ରକାଶ ପାଇଛି । ଏହି ଗୋଷ୍ଠିସ୍ୱାସ୍ଥ୍ୟ କେନ୍ଦ୍ର ଅଧିନରେ ୨୪ ଗୋଟି ଉପ କେନ୍ଦ୍ର ରହିଥିଲାବେଳେ ୩୮ ଜଣ ସ୍ୱାସ୍ଥ୍ୟ କର୍ମୀ କାର୍ଯ୍ୟ କରୁଛନ୍ତି । ଏହି ସ୍ୱାସ୍ଥ୍ୟ କର୍ମୀଙ୍କ ଜରିଆରେ ମାନସିକ ରୋଗୀଙ୍କୁ ଶିବିରକୁ ଆଣି ଚିକିତ୍ସା କରାଇବାର ନିୟମ ରହିଥିଲା ବେଳେ କେତେକ ସ୍ୱାସ୍ଥ୍ୟ କର୍ମୀଙ୍କ ଅସହୋଯୋଗ ଯୋଗୁଁ ଶିବିର ଏକ ପ୍ରକାର ଫିକା ପଡିଯାଇଛି । ଏହି ଶିବିର ପରିଚାଳନା ଦାୟିତ୍ୱରେ ବ୍ଲକ ପ୍ରୋଜେକ୍ଟ ମ୍ୟାନେଜର ବିନୋଦ ବିହାରୀ ସାହୁ ରହିଛନ୍ତି । ସାହୁଙ୍କୁ ପଚାରିବାରୁ ୮୪ ଜଣ ମାନସିକ ରୋଗୀ ଚିକିତ୍ସିତ ହୋଇ ମାଗଣାରେ ଔଷଧ ନେଇଛନ୍ତି ବୋଲି କହିଥିଲେ । ପ୍ରଚାର ପ୍ରସାର ଦାୟିତ୍ୱରେ ଜନସ୍ୱାସ୍ଥ୍ୟ ସମ୍ପ୍ରସାରଣ ଅଧିକାରୀ ପ୍ରଫୁଲ କୁମାର ନାୟକ ରହିଛନ୍ତି । ନାୟକଙ୍କୁ ପଚାରିବାରୁ ୩ ଦିନ ଡାକବାଜି ଦ୍ୱାରା ପ୍ରଚାର କରାଯାଇଥିଲା ବୋଲି କହିଛନ୍ତି । ଏହି ରୋଗୀମାନଙ୍କୁ ୧୦ ଦିନ ପାଇଁ ଔଷଧ ମିଳିଥିବା ସୂଚନା ମିଳିଛି । ଆସନ୍ତା ଫ୍ରେବୁଆରୀ ମାସ ୧ ତାରିଖରେ ଏହି ରୋଗୀମାନେ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟରେ ଚିକିତ୍ସା ହେବା ପାଇଁ ଉପସ୍ଥିତ ରହିବାକୁ କୁହାଯାଇଛି । ତେବେ ସ୍ୱାସ୍ଥ୍ୟ ବିଭାଗର ଏଭଳି ଖାମଖିଆଲି ମନୋଭାବ ପାଇଁ ଏଭଳି ଏକ ଗୁରୁତ୍ୱ ପୂର୍ଣ୍ଣ ଶିବିରରେ ଅବବ୍ୟବସ୍ଥା ପରି ଲିଖିତ ହୋଇଥିବା ବୃଦ୍ଧିଜୀବି ମହଲରେ ଚର୍ଚ୍ଚା ହୋଇଛି ।