ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ରଙ୍କ ବିସ୍ପୋରକ ବୟାନ ରାଫେଲ୍ ଯୁଦ୍ଧବିମାନ କିଣା ମାମଲାରେ ରହିଛି କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ

ରାଜନୀତି
  • 2019-01-18 18:42:36
  • 1300

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର/ ବଲାଙ୍ଗୀର, ଦେଶର ପ୍ରତିରକ୍ଷା ସାମଗ୍ରୀ ବିଶେଷ ଭାବରେ ରାଫେଲ୍ ଯୁଦ୍ଧ ବିମାନ କିଣା ମାମଲାରେ କଂଗ୍ରେସ ଓ ବିଜେଡିର ଭିତିରି ସମ୍ପର୍କ ନେଇ ବିସ୍ପୋରକ ବୟାନ ଦେଇଛନ୍ତି ବିଜେପି ରାଷ୍ଟ୍ରୀୟ ମୁଖପାତ୍ର ସମ୍ବିତ ପାତ୍ର । ବଲାଙ୍ଗୀର ଠାରେ ଆୟୋଜିତ ବିଶାଳ ଜନସଭାରେ ଉଦବୋଧନ ଦେଇ ଶ୍ରୀ ପାତ୍ର କହିଛନ୍ତି ସଂସଦରେ ବିଜେଡି ସଦସ୍ୟ କଳିକେଶ ସିଂହଦେଓ ରାଫେଲ ବଦଳରେ ୟୁରୋ ଫାଇଟର ଭାରତକୁ ଯୁଦ୍ଧ ବିମାନ ଯୋଗାଇବା ପାଇଁ ଯୋଗ୍ୟ ଓ କାହିଁକି ୟୁରୋ ଫାଇଟର ଠାରୁ ଯୁଦ୍ଧ ବିମାନ କିଣାଗଲା ନାହିଁ ପ୍ରଶ୍ନ ଉଠାଇଥିଲେ । ଯୁଦ୍ଧ ବିମାନ ଯୋଗାଇବା ନେଇ ୟୁରୋ ଫାଇଟର ଭାରତ ସରକାରଙ୍କୁ ଚିଠି ଲେଖିଥିଲା ବୋଲି ସଂସଦରେ ବିଜେଡି ସଦସ୍ୟ ତଥ୍ୟ ଉପସ୍ଥାପନ କରିଥିଲେ । କେନ୍ଦ୍ରରେ କଂଗ୍ରେସ ସରକାର ଥିବା ବେଳେ ୟୁରୋ ଫାଇଟର ଏହି ପ୍ରକଳ୍ପ ପାଇଁ ଚିଠି ଲେଖିବା ନେଇ କିଏ କଳିକେଶକୁ ସୂଚନା ଦେଇଥିଲେ ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ବିଜେଡିର କଳିକେଶ କଣ ସୋନିଆ ଓ ରାହୁଲ ଗାନ୍ଧିଙ୍କ ପରି ଖ୍ରୀଷ୍ଟ୍ରିଆନ ମିସେଲ୍ର ଦରବାରୀ ହୋଇଯାଇଛନ୍ତି କି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି । ସଂସଦରେ ୟୁରୋ ଫାଇଟର ସପକ୍ଷରେ ଯୁକ୍ତି ବାଢିବା ପାଇଁ ନବୀବ ବାବୁ କଳିକେଶଙ୍କୁ ଟ୍ୟୁସନ କରି ପଠାଇଥିଲେ କି ବୋଲି ସେ ପ୍ରଶ୍ନ କରିଛନ୍ତି । ଏହି ମାମଲାରେ କଂଗ୍ରେସ ଓ ବିଜେଡି ଭିତରେ ଭିତିରି ବୁଝାମଝା ରହିଛି କି ଓ ଏଥିପାଇଁ କଂଗ୍ରେସ ଓ ବିଜେଡି ମଧ୍ୟରେ ମୋଟା ଅର୍ଥ କାରବାର ହୋଇଛି କି ବୋଲି ବିଜେଡି ସନ୍ଧ୍ୟା ସୁଦ୍ଧା ସ୍ପଷ୍ଟ କରିବା ପାଇଁ ଶ୍ରୀ ପାତ୍ର ଆହ୍ୱାନ କରିଛନ୍ତି । ଶ୍ରୀ ପାତ୍ର କହିଛନ୍ତି ଖ୍ରୀଷ୍ଟ୍ରିଆନ ମିସେଲ୍ ରାହୁଲ ଗାନ୍ଧୀଙ୍କ ଦଲାଲ ମାମୁଁ । ସେ କେବଳ ଟଙ୍କା କାରବାର ପାଇଁ ଆସିଥିଲେ । ଅଗସ୍ତା ସହ ୟୁରୋଫାଇଟରର ମଧ୍ୟସ୍ଥି କରିବା ପାଇଁ ସେ ଭାରତ ଆସିଥିଲେ । ବିଜେଡି ଖ୍ରୀଷ୍ଟ୍ରିଆନ ମିସେଲ୍ଙ୍କ ବ୍ୟବସାୟରେ ସହଯୋଗ କରି କଂଗ୍ରେସର କାର୍ଯ୍ୟସିଦ୍ଧି ସହ କଂଗ୍ରେସ ଯୋଜନାରେ ସାମିଲ ହୋଇ ଆର୍ଥିକ ଲାଭ ହାସଲ କରିବାକୁ ବିଜେଡି ଚାହୁଁଚି କି ବୋଲି ଶ୍ରୀ ପାତ୍ର ପ୍ରଶ୍ନ କରିଛନ୍ତି ।