ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି ସୋମବାର ୫୦ ହଜାର ଟଙ୍କା ଲାଞ୍ଚ ନେଇ ଗିରଫ

ଅପରାଧ
  • 2018-09-03 22:10:15
  • 440

କାନଭାସ୍ ଓଡିଶା(ବ୍ୟୁରୋ) : ଖୋର୍ଦ୍ଧା, ଭିଜିଲାନ୍ସ ଜାଲରେ ଥାନାଧିକାରୀ । କୌଣସି ଉପାନ୍ତ ଅଞ୍ଚଳର ନୁହେଁ ବରଂ ଭିଜିଲାନ୍ସ ହାତରେ ଧରାପଡିଛନ୍ତି କମିଶନରେଟ ପୋଲିସ ଅନ୍ତର୍ଗତ ଜଟଣୀ ଥାନା ଆଇଆଇସି ସଞ୍ଜୀବ ମହାନ୍ତି । ମିଳିଥିବା ସୂଚନା ଅନୁସାରେ ଲାଞ୍ଚ କାରବାର ସଂପର୍କରେ ବିଶ୍ୱସ୍ତ ସୂତ୍ରରୁ ସୂଚନା ମିଳିବା ପରେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ଯୋଜନା ପ୍ରସ୍ତୁତ କରିଥିଲେ। ଆଜି ଲାଞ୍ଚ ନେଉଥିବା ବେଳେ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ଥାନାରେ ପହଞ୍ଚି ଥିଲେ। ହଜାରେ କିମ୍ବା ଦୁଇ ହଜାର ନୁହେଁ,୫୦ ହଜାର ଟଙ୍କା,ଥାନାଧିକାରୀ ଜଣଙ୍କ ଜଟଣୀ ସ୍ଥିତ କୁଦିଆରି ଅଞ୍ଚଳର ସୁମିତ ମଙ୍ଗରାଜଙ୍କ ଉପରେ ଲାଗିଥିବା ଏକ ଦଫା ୧୧୦ ଉଠାଇବାକୁ ୧ ଲକ୍ଷ ଟଙ୍କା ଲାଞ୍ଚ ମାଗିଥିଲେ । ଏପରିକି ସୁମିତ ମଙ୍ଗରାଜ ଙ୍କ ଏକ ଦାମୀ ସ୍ମାର୍ଟ ଫୋନ ମଧ୍ୟ ଥାନାଧିକାରୀ ରଖିଦେଇଥିଲେ । ଲକ୍ଷେ ଟଙ୍କା ଦେଲେ ଫୋନ ଫେରାଇବା ସହ ଦଫା ଉଠାଇବାର ପ୍ରତିଶୃତି ଦେଇଥିଲେ । ତେବେ ଲାଞ୍ଚ ଦେବା ପରିବର୍ତ୍ତେ ଅଭିଯୋଗକାରୀ ଜଣଙ୍କ ଏ ସମ୍ପର୍କରେ ଭିଜିଲାନ୍ସ କୁ ଅବଗତ କରାଇଥିଲେ । ପୂର୍ବ ସୂଚନା ଅନୁଯାୟୀ ଭିଜିଲାନ୍ସ ବିଭାଗର ଅଧିକାରୀମାନେ ସଞ୍ଜୀବ ମହାନ୍ତିଙ୍କୁ ଗିରଫ କରିବା ପାଇଁ ବ୍ଲୁ ପ୍ରିଣ୍ଟ ପ୍ରସ୍ତୁତ କରିଥିଲେ ଓ ଏଥିରେ ସଫଳ ମଧ୍ୟ ହୋଇଥିଲେ । ଥାନାଧିକାରୀ ଙ୍କ ବାସଭବନ ରେ ଚଢ଼ାଉ ଚାଲିଥିବା ବେଳେ ତାଙ୍କୁ ଗିରଫ କରାଯାଇଥିବା ଭିଜିଲାନ୍ସ ର ଜନୈକ ବରିଷ୍ଠ ଅଧିକାରୀ ସୂଚନା ଦେଇଛନ୍ତି ।