ଏ.ଏସ.ଓ ପରୀକ୍ଷା ତାରିଖ ପରିବର୍ତନ କରିବା ନେଇ ରାଜ୍ୟପାଳଙ୍କ ହସ୍ତକ୍ଷେପ ଲୋଡିଲା ବିଜେପି ଯୁବମୋର୍ଚ୍ଚା

ରାଜନୀତି
  • 2019-01-11 12:01:37
  • 212

କାନଭାସ୍ ଓଡିଶା(ବ୍ୟୁରୋ) : ଆଗାମୀ ୨୦ ତାରିଖରେ ଏ.ଏସ.ଓ ପରୀକ୍ଷା ତାରିଖକୁ ଘୁଂଚାଇବା ପାଇଁ ରାଜ୍ୟର ହଜାର ହଜାର ଯୁବକ ଯୁବତୀ ଦାବି କରିଆସୁଛନ୍ତି । ଏହି ଦିନ କେନ୍ଦ୍ର ସରକାରଙ୍କ ଦ୍ୱାରା ପୂର୍ବରୁ ସ୍ଥିରିକୃତ ଅନ୍ୟ ତିନୋଟି ପରୀକ୍ଷା ଯଥା- ଭାରତୀୟ ରେଳ ଏ.ଏଲ.ପି, ଆଇ.ବି.ପ.ିଏସ୍ ଏବଂ ଆଇ.ଏସ୍.ଆର୍.ଓ ସଂସ୍ଥା ମାନଙ୍କର ପରୀକ୍ଷା ଅନୁଷ୍ଠିତ ହେବ । ଏଥି ସହ ଏ.ଏସ.ଓ ପାଇଁ ଆବେଦନ କରିଥିବା ପ୍ରାୟ ସାଢେ ୩ ଲକ୍ଷ ଆଶାୟୀଙ୍କ ମଧ୍ୟରୁ ୨ ଲକ୍ଷରୁ ଉଦ୍ଧ୍ୱର୍ ଆଶାୟୀ ଏହି ତିନୋଟି ପରୀକ୍ଷାରେ ମଧ୍ୟ ଆବେଦନ କରିଛନ୍ତି । ରାଜ୍ୟର ଯୁବକ ଯୁବତୀଙ୍କ ସ୍ୱାର୍ଥକୁ ଦୃଷ୍ଟିରେ ରଖି ଏ.ଏସ.ଓ ପରୀକ୍ଷା ତାରିଖ ପରିବର୍ତନ କରିବା ଲାଗି ଯୁବମୋର୍ଚ୍ଚା ରାଜ୍ୟ ସାଧାରଣ ସଂପାଦକ ବିଶ୍ୱରଜଂନ ବଡଜେନାଙ୍କ ନେତୃତ୍ୱରେ ଏକ ପ୍ରତିନିଧୀ ଦଳ ମହାମହିମ ରାଜ୍ୟପାଳଙ୍କୁ ଭେଟି ସ୍ମାରକ ପତ୍ର ପ୍ରଦାନ କରିଛି । ଓଡିଶା ସରକାରଙ୍କ ଓପିଏସସି ସଂସ୍ଥା ଦ୍ୱାରା ୫୦୦ ଏ.ଏସ.ଓ ପଦବୀ ପାଇଁ ବିଗତ ଦିନରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ୨୦୧୨ ମସିହା ପରେ ୬ ବର୍ଷ ବ୍ୟବଧାନରେ ୨୦୧୮ ମସିହାରେ ଏହି ବିଜ୍ଞପ୍ତି ପ୍ରକାଶ ପାଇଛି । ପ୍ରଥମେ ପରୀକ୍ଷା ତାରିଖ ୨୩ ଡିସେମ୍ବର ୨୦୧୮ରେ ନିର୍ଦ୍ଧାରିତ ହୋଇଥିବା ବେଳେ ବର୍ତମାନ ତାକୁ ଘୁଂଚାଇ ରାଜ୍ୟ ସରକାର ୨୦ଜାନୁଆରୀ ୨୦୧୯ ତାରିଖ ଧାର୍ଯ୍ୟ କରିଛନ୍ତି । ଓଡିଶାର ୩.୫ ଲକ୍ଷ ଆଶାୟୀ ଯୁବକ ଯୁବତୀ ଏହି ପରୀକ୍ଷା ପାଇଁ ଆବେଦନ କରିଛନ୍ତି ଶ୍ରୀ ବଡଜେନା କହିଛନ୍ତି । ରାଜ୍ୟ ସରକାରଙ୍କୁ ବାରମ୍ବାର ନିବେଦନ କରିବା ସତ୍ୱେ ପରୀକ୍ଷାକୁ ଘୁଂଚାଇବା ପାଇଁ କୌଣସି ପଦକ୍ଷେପ ଗ୍ରହଣ କରୁନାହାଁନ୍ତି । ପରୀକ୍ଷା ତାରିଖ ପରିବର୍ତନ ହେଲେ ଓଡିଶାର ଚାକିରୀ ଆଶାୟୀ ମାନେ ଭିନ୍ନ ଭିନ୍ନ ପରୀକ୍ଷା ଦେଇପାରିବେ । ଦୀର୍ଘଦିନ ଧରି ବିଭିନ୍ନ ପରୀକ୍ଷା ଲାଗି ପ୍ରସ୍ତୁତି କରିଥିବା ଯୁବକ ଯୁବତୀମାନେ ପରୀକ୍ଷା ନଦେଇପାରିଲେ ସେମାନଙ୍କୁ ମାନସିକ ଆଘାତ ଲାଗିବ ବୋଲି ଶ୍ରୀ ବଡଜେନା କହିଛନ୍ତି । ଏହି ପ୍ରତିନିଧୀ ଦଳରେ ଯୁବମୋର୍ଚ୍ଚା ରାଜ୍ୟ ସଂପାଦକ ଦୀପକ ଗୋଚ୍ଛାୟତ, ଓମ ପ୍ରକାଶ ମିଶ୍ର, ଅର୍ପିତା ବଡଜେନା, ରାଜ୍ୟ ସଂଯୋଜକ ବିଶ୍ୱଜିତ ଷଡଙ୍ଗୀ, ହିତେଶ ସାହୁଙ୍କ ସମେତ ଏଏସଓ ଆବେଦନକାରୀ ପରୀକ୍ଷାର୍ଥୀ ସାମିଲ ଥିଲେ ।