ଅଭିଯୁକ୍ତ ପୁଅକୁ ଗିରଫ କଲା ପୋଲିସ

ଅପରାଧ
  • 2019-01-09 15:56:57
  • 234

କାନଭାସ୍ ଓଡିଶା(ବ୍ୟୁରୋ) : ଏକଇର ବଳା ପୁଅକୁ ନେଇ ବାପା ମାଁ ବେଶ୍ ଖୁସିରେ ଥିଲେ । ପୁଅ ଯେତେବେଳେ ଯାହା ଅଝଟ କରେ କୌଣସି ପ୍ରକାରେ ତାକୁ ପୁରଣ କରି ଆସିଛନ୍ତି ବାପା ମାଁ । ହେଲେ ଦିନେ ସେହି ପୁଅ ମାତୃହନ୍ତା ସାଜିବ ଏଭଳି କଥା ସ୍ବପ୍ନରେ ବି କେହି ଭାବିନଥିଲେ । ଏଭଳି ଏକ ଅଭାବନୀୟ ଘଟଣା ଘଟିଯାଇଛି ମାଲକାନଗିରି ଜିଲ୍ଲା ମୋଟୁ ଥାନା ଅନ୍ତର୍ଗତ ଏମ.ପି.ଭି.୫୫ ଗ୍ରାମରେ । ପୈତୃକ ସମ୍ପତ୍ତିକୁ ନେଇ ବାପା ମାଁ ସହିତ ସବୁବେଳେ ଝଗଡା କରଆସୁଥିଲା ପୁଅ ତାପସ ମଣ୍ଡଳ । ଗତ ୨୦୧୭ ମସିହା ମେ ମାସରେ ନିଜ ବାପା ତାରକ ମଣ୍ଡଳଙ୍କ ଉପରେ ସଶସ୍ତ୍ର ଆକ୍ରମଣ କରି ଆଙ୍ଗୁଠି କାଟି ଦେଇଥିଲା । ଏହି ଘଟଣାରେ ପୋଲିସ ତାପସକୁ ଗିରଫ କରି ଜେଲ ମଧ୍ୟ ପଠାଇଥିଲା । ପୁଅ ଏଭଳି ଆଚରଣ ଦେଖି ବାପା ଗାଁ ଛାଡି ଚାଲିଯାଇଛନ୍ତି । ଗତ ଶୁକ୍ରବାର ୪ତାରିଖ ଅପରାହ୍ନ ପ୍ରାୟ ୪ଟା ସମୟରେ ପୈତୃକ ସମ୍ପତ୍ତିକୁ ନେଇ ଝଗଡା କରିବା ପରେ ହତ୍ୟା କରିବାକୁ ପଛାଇଲା ନାହିଁ ନିଜ ଜନ୍ମଦାତ୍ରୀ ମାଁକୁ । ଘରୁ ଘୋସାରି ଘୋସାରି ନେଇ ବିଟ୍ ରାସ୍ତା ଉପରେ ଏକ ସିମେଣ୍ଟ ଇଟାରେ ମାଁ ମୁଣ୍ଡକୁ ଆଘାତ କରି ହତ୍ୟା କରିଥିଲା ତାପସ । ଏତିକିରେ ବି ରାଗ ଶାନ୍ତ ହେଲା ନାହିଁ ମାଁର ମୃତ ଶରୀରକୁ କୁଟାରେ ଘୋଡାଇ ଦେଇ ସେଥିରେ ସଂଯୋଗ କରିଥିଲା ନିଆଁ । ଏହି ସବୁ ଘଟଣା ବେଳେ ଗାଁଲୋକେ କେହି ଦେଖିନଥିବା କହିଛନ୍ତି । ମାଁକୁ ହତ୍ୟା କରିବା ପରେ ନିଜ ମନର ରାଗକୁ ଶାନ୍ତ କରିପାରିଥିଲା ମାତୃହନ୍ତା ତାପସ ମଣ୍ଡଳ । ଗାଁଲୋକେ ଜାଣିବା ପରେ ଘଟଣା ସ୍ଥଳରେ ଏକାଠି ହୁଅନ୍ତି । ସେତିକି ବେଳୁ ଭୟରେ ଗାଁରୁ ଫେରାର ହୋଇଯାଏ ଅଭିଯୁକ୍ତ ପୁଅ । ଆଖପାଖ ଖୋଜାଖୋଜି କରିବା ପରେ ଗାଁଲୋକେ ଆଉ ପାଇନଥିଲେ ତାପସକୁ । ପୋଲିସକୁ ସୂଚନା ଦେବା ପରେ ପୋଲିସ ପହଞ୍ଚି ତଦନ୍ତ ଆରମ୍ଭ କରିଥିଲା । ତେବେ ପାହାନ୍ତିଆ ୪ଟା ବେଳେ ତାଗରକୋଟା ନିକଟରେ ଏକ ଡଙ୍ଗାରେ ଆନ୍ଧ୍ରକୁ ଫେରାର ହେଉଥିବା ବେଳେ ପୋଲିସ ତାକୁ ଗିରଫ କରିଥିବା ସୂଚନା ଦେଇଛନ୍ତି ମାଲକାନଗିରି ଏସ.ପି. । ଅଭିଯୁକ୍ତ ତାପସ ମଣ୍ଡଳ ତ ଗିରଫ ହେଲା ଓ ତା ଜୀବନ ଜେଲରେ ହିଁ କଟିବ । ଏବେ ଦୁଇ ଛୁଆଁଙ୍କୁ ନେଇ ଭବିଷ୍ୟତ କେମିତି ଗଢିବି ବୋଲି ଚିନ୍ତାରେ ରହିଥିବା ତାପସର ସ୍ତ୍ରୀ ପ୍ରକାଶ କରିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003