ସନାତନ ସନ୍ଥ ସମାଜର ୮ମ ବାର୍ଷିକ ସମାରୋହ ଅନୁଷ୍ଠିତ

ଟ୍ୱିନ୍ ସିଟି
  • 2019-01-09 15:35:19
  • 224

କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଶାର ବିଭିନ୍ନ ପ୍ରାନ୍ତରେ ଥିବା ଭିନ୍ନ ଭିନ୍ନ ପରମ୍ପରାର ସାଧୁ ସନ୍ୟାସୀମାନଙ୍କ ସଙ୍ଗଠନ ସନାତନ ସନ୍ଥ ସମାଜର ୮ମ ବାର୍ଷିକ ସମାରୋହ ଆଜି ଭୁବନେଶ୍ୱରସ୍ଥିତ ରାଧାବଲ୍ଲଭ ମଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏହି ସମାରୋହରେ ଓଡ଼ିଶାର ବିଭିନ୍ନ କୋଣ ଅନୁକୋଣରୁ ପ୍ରାୟ ଶତାଧିକ ସାଧୁସନ୍ଥ ଯୋଗ ଦେଇଥିଲେ । ରାଧାବଲ୍ଲଭ ମଠର ମହନ୍ତ ସ୍ୱାମୀ ରାମକୃଷ୍ଣ ଦାସ ମହାରାଜ ଦୀପ ପ୍ରଜ୍ବଳନ କରି ସଭାକାର୍ଯ୍ୟ ଶୁଭାରମ୍ଭ କରିଥିଲେ । ସ୍ୱାମୀ ସମ୍ପୂର୍ଣ୍ଣାନନ୍ଦ ସନାତନ ସନ୍ଥ ସମାଜର ସଭ୍ୟ ତଥା ଦୂରଦୂରାନ୍ତରୁ ଆସିଥିବା ସାଧୁ ସନ୍ୟାସୀ ମାନଙ୍କ ପରିଚୟ ପ୍ରଦାନ କରିବା ସହ ସ୍ୱାମୀ ବ୍ରହ୍ମାନନ୍ଦ ମହାରାଜଙ୍କୁ ସଭାପତି ଭାବେ ସଭାକାର୍ଯ୍ୟ ପରିଚାଳନା କରିବା ପାଇଁ ଅନୁରୋଧ କରିଥିଲେ । ସ୍ୱାମୀଜୀଙ୍କ ସଭାପତିତ୍ୱରେ ସନ୍ଥ ସମ୍ମିଳନୀ ଆରମ୍ଭ କରାଯାଇଥିଲା । ମହନ୍ତ ହରିହର ଦାସ ସନାତନ ସନ୍ଥ ସମାଜର ବାର୍ଷିକ ବିବରଣୀ ପାଠ କରିଥିଲେ । ସ୍ୱାମୀ ଭାଗବତାନନ୍ଦ ଓଡ଼ିଶାର ବିଭିନ୍ନ ଆଶ୍ରମମାନଙ୍କରେ ରହିଥିବା ସମସ୍ୟା ସମ୍ପର୍କରେ ଆଲୋଚନା କରିବା ସହ ସାଧୁସନ୍ଥଙ୍କ ପାଇଁ ବର୍ତ୍ତମାନ ସମୟରେ ଆସୁଥିବା ଆହ୍ୱାନଗୁଡ଼ିକ ଉପରେ ଆଲୋକପାତ କରିଥିଲେ । ବିଭିନ୍ନ ବିଦ୍ୟାଳୟ ଓ ମହାବିଦ୍ୟାଳୟମାନଙ୍କରେ ଛାତ୍ରଛାତ୍ରୀଙ୍କ ଚରିତ୍ର ଓ ବ୍ୟକ୍ତିତ୍ୱ ନିର୍ମାଣ ପାଇଁ କର୍ମଶାଳା ଆୟୋଜନ କରାଯିବ ବୋଲି ପ୍ରସ୍ତାବ ଗୃହୀତ ହୋଇଥିଲା। ସମାଜରେ ନୈତିକତାର ଦୈନିକ ଅବକ୍ଷୟରୁ ମୁକ୍ତି ପାଇଁ ଯୋଗ ଏବଂ ନୈତିକ ଶିକ୍ଷାକୁ ପ୍ରାଥମିକ ବିଦ୍ୟାଳୟରୁ ବିଶ୍ୱବିଦ୍ୟାଳୟ ପର୍ଯ୍ୟନ୍ତ ବ୍ୟାପକ ଭାବରେ ପ୍ରଚଳନ ତଥା ଆବଶ୍ୟକ ସ୍ଥଳେ ବାଧ୍ୟତାମୂଳକ କରିବା ପାଇଁ ମତ ପ୍ରକାଶ ପାଇଥିଲା । ସମାଜର ସୁଖଦୁଃଖ ତଥା ହାନିଲାଭରେ ସନ୍ଥମାନେ ସହଭାଗୀ ହେବାପାଇଁ ଆଗ୍ରହ ପ୍ରକାଶ ପାଇଥିଲା। ସ୍ବାମୀ ପ୍ରାଣରୂପାନନ୍ଦ ସଭା ଶେଷରେ ସମସ୍ତଙ୍କୁ ସହଯୋଗ ପାଇଁ ଅନୁଷ୍ଠାନ ପକ୍ଷରୁ କୃତଜ୍ଞତା ଜଣାଇବା ସହ ଧନ୍ୟବାଦ ଅର୍ପଣ କରିଥିଲେ ।