ପେଥାଇ’ ସାମୁଦ୍ରିକ ଝଡ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀମାନଙ୍କୁ ସରକାର ତୁରନ୍ତ ଆବଶ୍ୟକ କୃଷି ସହାୟତା ଯୋଗାଇ ଦିଅନ୍ତୁ - ନିରଞ୍ଜନ ପଟ୍ଟନାୟକ

ବାତ୍ୟା ଖବର
  • 2018-12-23 16:43:18
  • 253

କାନଭାସ୍ ଓଡିଶା(ବ୍ୟୁରୋ) : ସାମୁଦ୍ରିକ ଝଡ ପେଥାଇ ଲଘୁଚାପ ଜନିତ ବର୍ଷା ଦ୍ୱାରା ଦକ୍ଷିଣ, ପଶ୍ଚିମ ଓ ଉତର ଓଡିଶାର ପ୍ରାୟ ୧୭ଟି ଜିଲ୍ଲାରେ ଅମଳ ହୋଇଥିବା ଧାନ, କପା ଓ ପନିପରିବା ଫସଲ ବ୍ୟାପକ ନଷ୍ଟ ହୋଇଛି । ଏ ସଂପର୍କରେ ଚାଷୀଙ୍କୁ ପୂର୍ବରୁ ସତର୍କ ରହିବା ପାଇଁ ସରକାର କେବଳ ସୂଚନା ଦେଇ ହାତବାନ୍ଧି ବସିଛନ୍ତି । ପ୍ରତିକାର ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରାଯାଇ ନାହିଁ । ଫଳରେ ବହୁ ଚାଷୀ କ୍ଷେତରୁ ପାଚିଲା ଧାନ କାଟି ଆଣିବା ସମ୍ଭବପର ହୋଇନାହିଁ । ଯାହା ସଂଗ୍ରହ କରିଛନ୍ତି ଘୋଡାଇ ରଖିବା ଫଳରେ ଅମଳ ଧାନ ଗଜା ହେବାର ପରିସ୍ଥିତି ସୃଷ୍ଟି ହେଲାଣି । ଏହି ଧାନ ରଙ୍ଗ ବିହୀନ ହୋଇଛି । ତେଣୁ ଏପରି ଧାନକ୍ରୟ କରିବା ବେଳେ ଏଫ୍.ଏ.କ୍ୟୁ. ମାନଠାରୁ ଯଥେଷ୍ଟ କମ୍ ହେବ । ଯଦ୍ୱାରା ଚାଷୀ ଧାନ ବିକିବାରେ ଘୋର ଅସୁବିଧାର ସମ୍ମୁଖିନ ହେବେ । ଅପରପକ୍ଷରେ ସରକାର ଯଦି ଏଫ୍.ଏ.କ୍ୟୁ. ମାନ ଯଥେଷ୍ଟ କୋହଳ କରିବା ସହିତ ଚାଷୀଙ୍କୁ କୃଷି ଇନ୍ପୁଟ୍ ସବ୍ସିଡି ଓ ଫସଲବୀମା କ୍ଷତିପୂରଣର ଅର୍ଥ ତୁରନ୍ତ ପ୍ରଦାନ ନକରନ୍ତି ଚାଷୀଙ୍କ ଅବସ୍ଥା ଶୋଚନୀୟ ହୋଇପଡିବ । ବର୍ତମାନ ଚାଷୀ ମୁଣ୍ଡରେ ଚଡକ । ଚାଷ ପାଇଁ ଚାଷୀ ଧାର ଉଧାର କରିଥିବା ଋଣ ବର୍ତମାନ ପରିଶୋଧ କରିବା କାଠିକର ପାଠ । ପାଚିଲା ଧାନ ପାଣିରେ ଭାସୁଛି । ପେଥାଇ ମାଡରେ ଚାଷୀର ବର୍ଷକର ପରିଶ୍ରମ ଧୋଇଯାଇଛି । ଏଭଳି ସଂଗୀନ ପରିସ୍ଥିତିରେ ସରକାର କାଳବିଳମ୍ବ ନକରି ପେଥାଇ ଝଡ ଦ୍ୱାରା ଫସଲ କ୍ଷତିଗ୍ରସ୍ତ ଅଂଚଳର ଚାଷୀମାନଙ୍କର କ୍ଷୟକ୍ଷତିର ସଠିକ୍ ଆକଳନ ଓ ଯୁଦ୍ଧକାଳୀନ ଭିତିରେ ସେମାନଙ୍କୁ ବିଭିନ୍ନ କୃଷି ସହାୟତା ଯୋଗାଇ ଦେବାକୁ ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ଦୃଢ ଦାବୀ କରିଛନ୍ତି । ପେଥାଇ ଦ୍ୱାରା କ୍ଷତିଗ୍ରସ୍ତ ଚାଷୀଙ୍କ ଧାନ ବିଲରେ ଓ ମଣ୍ଡିରେ ପଡି ରହିଥିବା ବେଳେ ମୁଖ୍ୟମନ୍ତ୍ରୀ ସୁରତରେ ଓଡିଆ ଲୋକଙ୍କୁ ଆସନ୍ତା ନିର୍ବାଚନ ପାଇଁ ସଜବାଜ ହେବାକୁ ପ୍ରବର୍ତାଇବା କେତେଦୂର ଯୁକ୍ତିଯୁକ୍ତ ବୋଲି ଶ୍ରୀ ପଟ୍ଟନାୟକ ପ୍ରଶ୍ନ କରିଛନ୍ତି । ଖାଲି ସରକାର ଚାଷୀଙ୍କ ସହାୟତା ଦିଆଯିବା ପ୍ରତିଶ୍ରୁତି ଘୋଷଣା କଲେ ସମସ୍ୟାର ସମାଧାନ ହେବନାହିଁ । ବାସ୍ତବ ସ୍ଥିତିକୁ ଅନୁଧ୍ୟାନ କରି ତୁରନ୍ତ ସହାୟତା ଯୋଗାଇ ଦିଅନ୍ତୁ ବୋଲି ଶ୍ରୀ ପଟ୍ଟନାୟକ କହିଛନ୍ତି । କ୍ଷତିଗ୍ରସ୍ତ ଜିଲ୍ଲାଗୁଡିକୁ ଜିଲ୍ଲା କିଷାନ କଂଗ୍ରେସର କର୍ମକର୍ତାମାନେ ଗସ୍ତ କରି କ୍ଷୟକ୍ଷତିର ଏକ ବିବରଣୀ ପ୍ରଦେଶ କଂଗ୍ରେସ ସଭାପତିଙ୍କୁ ତୁରନ୍ତ ଅବଗତ କରିବା ପାଇଁ ମଧ୍ୟ ନିର୍ଦ୍ଦେଶ ଦିଆଯାଇଛି ।