ଓଡ଼ିଶାରେ ଓବିସିଙ୍କ ୨୭% କୋଟା ଖାଉଛି କିଏ ?

ଟ୍ୱିନ୍ ସିଟି
  • 2018-12-23 03:39:46
  • 273

କାନଭାସ୍ ଓଡିଶା(ବ୍ୟୁରୋ) : କେନ୍ଦ୍ରୀୟ ହାରରେ ଓବିସିଙ୍କ ପାଇଁ ୨୭% ସ୍ଥାନ ସଂରକ୍ଷିତ । କିନ୍ତୁ ଓଡ଼ିଶାର ଓବିସି ପିଲାମାନେ ୨୭% ବଦଳରେ ପାଉଛନ୍ତି ମାତ୍ର ୧୧% । କାହିଁକି ? ଓଡ଼ିଶା କଅଣ ଭାରତ ବାହାରେ ? ସବୁ କଥାରେ କେନ୍ଦ୍ର ଦାୟୀ ବୋଲି ଘୋଷି ଚାଲିଥିବା ଓଡ଼ିଶା ସରକାର ରାଜ୍ୟରେ ଓବିସିମାନଙ୍କ ଦୁର୍ବଳ ନେତୃତ୍ୱର ସୁଯୋଗ ନେଇ କେବଳ କୋର୍ଟ କଚେରୀ ବାହାନାରେ ଅଟକେଇ ରଖିଛନ୍ତି ୨୭% ଓବିସି କୋଟା । ଓଡ଼ିଶା ସରକାର ଭଲ ଭାବରେ ଜାଣିଛନ୍ତି ଯେ ଓଡ଼ିଶା ରାଜ୍ୟ କେନ୍ଦ୍ରୀୟ ଆଇନ ଅନୁଯାୟୀ ଚାଲିବାକୁ ବାଧ୍ୟ । ୨୨.୫୦% ରୁ ୪୯.୫୦% ମଧ୍ୟରେ ଥିବା ଶତକଡ଼ା ୨୭ ଭାଗ ଓବିସିଙ୍କ ପାଇଁ ଉଦ୍ଦିଷ୍ଟ । ଓବିସିଙ୍କୁ ୫୦% ବାହାରେ ସୀମା ଡେଇଁ କୋଟା ଦେବାର କୌଣସି ଆବଶ୍ୟକତା ନାହିଁ କିମ୍ବା ଓଡ଼ିଶା ସରକାର କୋର୍ଟ କଚେରୀ ଯାଇ ଅଯଥା ଅପଦସ୍ଥ ହେବାର କି ଓଡ଼ିଆଙ୍କ ରାଜକୋଷ ପଇସା ବର୍ବାଦ କରିବାର କିଛି ମାନେ ନାହିଁ । ଯେତେବେଳେ ଓବିସି ବୋଲି କିଛି ନଥିଲା ସେତେବେଳେ SC/ST ଭୋଟ୍ ପାଇବା ପାଇଁ ତତ୍କାଳୀନ ସରକାର ୩୮.୭୫% କୋଟା ଦେଇଥିଲେ । କିନ୍ତୁ ଓବିସି କୋଟା ଆସିଲା ପରେ ଏବଂ ସମସ୍ତ ପ୍ରକାର କୋଟା ମିଶି ଶତକଡ଼ା ପଚାଶ ଭିତରେ ସୀମିତ ରହିବା ପାଇଁ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ପରେ ଓଡ଼ିଶାରେ ମଧ୍ୟ SC/ST କୋଟା ଆପେ ଆପେ କେନ୍ଦ୍ରୀୟ ହାରରେ ୨୨.୫୦% ହୋଇଯିବା କଥା । କିନ୍ତୁ ଏଠାରେ ଓବିସିଙ୍କ ପାଇଁ କହିବାକୁ ଦକ୍ଷ ନେତା ଅଭାବରୁ ରାଜ୍ୟ ସରକାର ଓବିସିଙ୍କୁ ସୁପ୍ରିମକୋର୍ଟର ଭୂତ ଦେଖେଇ ଚାଲିଛନ୍ତି । ରାଜ୍ୟ ସରକାର ଭଲ ଭାବରେ ଜାଣନ୍ତି ଯେ ସୁପ୍ରିମକୋର୍ଟଙ୍କ ଆଦେଶ ପାଳନ କରିବାକୁ ସେ ବାଧ୍ୟ ହେବେ । ତେବେ କାହିଁକି ସେ ଓବିସି ପିଲାମାନଙ୍କ ଜୀବନ ଜୀବିକା ସହ ଖେଳୁଛନ୍ତି ନିଜେ ବୁଝିବା ଉଚିତ । ଏଣୁ ଅଯଥା ସମୟ ନଷ୍ଟ ନ କରି ଓଡ଼ିଶା ସରକାର ଓବିସିମାନଙ୍କୁ କେନ୍ଦ୍ରୀୟ ହାରରେ ୨୭% କୋଟାର ବ୍ୟବସ୍ଥା ତୁରନ୍ତ ଲାଗୁ କରିବା ଉଚିତ ।