ରାଜଭବନ ସାମ୍ନାରେ ସିଭିଲ୍ ସୋସାଇଟି ଗଣଧାରଣା ସଂଶୋଧିତ ଓଡିଶା ପୁଲିସ୍ ଆଇନ ଆଣିବାକୁ ଦାବି

ଟ୍ୱିନ୍ ସିଟି
  • 2018-12-22 21:32:42
  • 318

କାନଭାସ୍ ଓଡିଶା(ବ୍ୟୁରୋ) : ପ୍ରସ୍ତାବିତ ଓଡିଶା ପୁଲିସ୍ ବିଲ୍ – ୨୦୧୫ର ଅନେକ ଧାରା ଓ ଉପଧାରାରେ ସଂଶୋଧନର ଆବଶ୍ୟକତା ରହିଛି । ତେଣୁ ଏହାକୁ ରାଜ୍ୟପାଳ ୨୦୧୫ ମସିହାରେ ଏହାକୁ ପୁନଃବିଚାର ପାଇଁ ପଠାଇଦେଇଥିଲେ । କିନ୍ତୁ ସରକାର ଏହାକୁ ଆଉ ବିଧାନସଭାରେ ଆଲୋଚନା ପାଇଁ ନଆଣି ପକାଇ ରଖିଛନ୍ତି । ତେଣୁ ଏହି ଆବଶ୍ୟକ ସଂଶୋଧନ ସହ ସରକାର ଏହାକୁ ବିଧାନସଭାରେ ଆଲୋଚନା ପାଇଁ ଆଗତ କରନ୍ତୁ ବୋଲି ସମାଜକର୍ମୀ ଦାବି କରିଛନ୍ତି । ବିଭିନ୍ନ ସିଭିଲ୍ ସୋସାଇଟି ଗ୍ରୁପ ପକ୍ଷରୁ ଶନିବାର ଦିନ ରାଜଭବନ ସମ୍ମୁଖରେ ଗଣଧାରଣା ଦିଆଯିବା ସହ ରାଜ୍ୟପାଳଙ୍କୁ ଭେଟି ଏକ ସ୍ମାରକପତ୍ର ଦିଆଯାଇଛି । ଏଠାରେ ପ୍ରକାଶଯୋଗ୍ୟ ଯେ, ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁସାରେ ରାଜ୍ୟରେ ପୁଲିସ୍ ଆଇନ କରାଯାଉଛି । କିନ୍ତୁ ୨୦୧୫ରେ ଆସିଥିବା ବିଲରେ ଅନେକ ସ୍ଥାନରେ ସୁପ୍ରିମକୋର୍ଟଙ୍କ ପ୍ରସ୍ତାବକୁ ସରକାର ପାଳନ କରିନାହାନ୍ତି । ସୁପ୍ରିମକୋର୍ଟ କହିଥିଲେ ଯେ କେନ୍ଦ୍ର ଲୋକସେବା ଆୟୋଗ ଦ୍ୱାରା ମନୋନୀତ ତିନି ବରିଷ୍ଠ ପୁଲିସ୍ ଅଧିକାରୀଙ୍କ ମଧ୍ୟରୁ ହିଁ ପୁଲିସ୍ ଡି.ଜି. ମନୋନୀତ ହେବା ଉଚିତ୍ । କିନ୍ତୁ ଓଡିଶା ପୁଲିସ୍ ବିଲ୍ରେ ଏହି ବ୍ୟବସ୍ଥା ନରଖି ରାଜ୍ୟ ସରକାର ପୁଲିସ୍ ମୁଖ୍ୟଙ୍କୁ ନିଯୁକ୍ତି କରିବେ ବୋଲି କୁହାଯାଇଛି । ସେହିପରି ‘ପୁଲିସ୍ ସୁରକ୍ଷା କମିସନ’ ବ୍ୟବସ୍ଥାରେ ମଧ୍ୟ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶନାମା ଠିକ୍ରେ ପାଳନ କରାଯାଇନାହିଁ । ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶ ଅନୁଯାୟୀ ମୁଖ୍ୟମନ୍ତ୍ରୀ କିମ୍ବା ଗୃହମନ୍ତ୍ରୀ ଏହି କମିସନର ମୁଖ୍ୟ ହେବେ । ଏଥିରେ ବିରୋଧୀ ଦଳ ନେତା ସଦସ୍ୟ ଭାବରେ ଓ ପୁଲିସ୍ ଡି.ଜି. ଏକ୍ସ ଅପିସିଓ ସଚିବ ଭାବେ ରହିବେ । କିନ୍ତୁ ଓଡିଶା ପୁଲିସ୍ ବିଲ୍ରେ କମିସନର ସଦସ୍ୟ ଭାବେ ବିରୋଧୀ ଦଳ ନେତାଙ୍କୁ ରଖାଯାଇନାହିଁ । ସେହିପରି କୋର୍ଟ କହିଥିଲେ ଏଥିରେ ୩ରୁ ୫ ଜଣ ସ୍ୱାଧୀନ ସଦସ୍ୟ ରହିବେ । ହାଇକୋର୍ଟର ମୁଖ୍ୟ ବିଚାରପତିଙ୍କ ଅଧ୍ୟକ୍ଷତାରେ ମାନବାଧିକାର କମିଶନରୁ ଜଣେ ଓ ଲୋକସେବା ଆୟୋଗରୁ ଜଣେ ଲେଖାଁଏ ସହସ୍ୟଙ୍କୁ ନେଇ ଏକ କମିଟି ଏହି ସ୍ୱାଧୀନ ସଦସ୍ୟଙ୍କୁ ମନୋନୀତ ହେବା କଥା । କିନ୍ତୁ ଓଡିଶା ପୁଲିସ୍ ବିଲ୍ରେ କେବଳ ଦୁଇଜଣ ସ୍ୱାଧୀନ ବ୍ୟକ୍ତିଙ୍କୁ ସରକାର ସଦସ୍ୟ ଭାବେ ମନୋନୀତ କରିବେ ବୋଲି ବ୍ୟବସ୍ଥା ରହିଛି । ଯାହା ଫଳରେ ଏହି କମିଟି ସ୍ୱାଧୀନ ଭାବରେ କାମ କରିପାରିବା ନେଇ ଆଶଙ୍କା ସୃଷ୍ଟି ହୋଇଛି । ପୁଣି ସୁପ୍ରିମକୋର୍ଟଙ୍କ ଗାଇଡ୍ଲାଇନ୍ ଅନୁଯାୟୀ “ପୋଲିସ୍ କମ୍ପେ୍ଲଂଟ୍୍ ଅଥରିଟି” ରାଜ୍ୟ ସ୍ତରରେ ଓ ପ୍ରତ୍ୟେକ ଜିଲ୍ଲାସ୍ତରରେ ଗଠନ ହେବା କଥା । କିନ୍ତୁ ପ୍ରସ୍ତାବିତ ବିଲ୍ରେ କେବଳ ରାଜ୍ୟ ସ୍ତରରେ “ପୋଲିସ୍ କମ୍ପେ୍ଲଂଟ୍୍ ଅଥରିଟି” ରଖାଯାଇଛି । ଜିଲ୍ଲା ସ୍ତରରେ ରଖାଯାଇନାହିଁ । ଯାହା ଫଳରେ ରାଜଧାନୀ ଠାରୁ ଦୂରରେ ରହୁଥିବା ଲୋକ ଅଥରିଟି ଠାରୁ ନ୍ୟାୟ ପାଇବାରେ ଘୋର ଅସୁବିଧା ଭୋଗିବେ । ପୁଣି ରାଜ୍ୟ ସ୍ତରରେ ଅଥରିଟିର ଅଧ୍ୟକ୍ଷ ହାଇକୋର୍ଟର ଜଣେ ଅବସର ପ୍ରାପ୍ତ ଜଜ୍ ରହିବେ ବୋଲି ସୁପ୍ରିମକୋର୍ଟ କହିଥିଲେ । କିନ୍ତୁ ଏହି ବିଲ୍ରେ ଅଧ୍ୟକ୍ଷ କିଏ ହେବ କିଛି ଲେଖାଯାଇନାହିଁ । ଏହି ବିଲ୍ରେ ଉପଧାରା ୫୧(୩)ରେ ଜନସ୍ୱାର୍ଥ ଆଳରେ ଜନସମାବେଶ ଓ ଶୋଭାଯାତ୍ରାକୁ ବାରଣ କରିବା ଲାଗି ପୁଲିସ୍କୁ କ୍ଷମତା ଦେବା ମୌଳିକ ଅଧିକାରକୁ ଉଲଂଘନ କରୁଛି । ଧାରା ୬୩(୧) ମାମୁଲି ଅପରାଧ ପାଇଁ ଗିରଫ ବ୍ୟବସ୍ଥା ଅତି ସାଂଘାତିକ । କାରଣ ଏହା ବ୍ରିଟିଶ ଅମଳର ଆଇନରେ ଥିଲା । ସେହିପରି ଉପଧାରା ୬୩(୨) ବିନା ପରୱାନାରେ ଅଭିଯୁକ୍ତଙ୍କୁ ହାଜତକୁ ନେବାର କ୍ଷମତା ଦେବାଫଳରେ ମାନବାଧିକାର ସୁରକ୍ଷା ବଦଳରେ ଉଲଂଘନ ହେବ । ଏହିଲ ଧାରା ଗୁଡିକୁ ବିଲ୍ରୁ ବାଦ୍ ଦିଆଯିବା ଆବଶ୍ୟକ । ଏମିତି ଆଉ କିଛି ଧାରାରେ ମଧ୍ୟ ସଂଶୋଧନର ଆବଶ୍ୟକତା ରହିଛି । ଏହି ମାନବାଧିକାର କର୍ମୀ ବାଘାମ୍ବର ପଟ୍ଟନାୟକ, ପ୍ରଫୁଲ ସାମନ୍ତରା, ବିଶ୍ୱପ୍ରୀୟ କାନୁନଗୋ, ଧିରେନ୍ଦ୍ର ପଣ୍ଡା, ମହମ୍ମଦ ଶୁକ୍ରୁ, ପ୍ରମିଳା ବେହେରା, ସ୍ୱଂୟପ୍ରଭା ସାହୁ, ସିପିଏମର ସୁରେଶ ପାଣିଗ୍ରାହୀ, ଉକ୍ରଳ ଭାରତ ପାର୍ଟିର ନିର୍ମଳ ବେହେରା, ନରେନ୍ଦ୍ର ମହାନ୍ତି, ପ୍ରଦୀପ୍ତ ନାୟକ, ପ୍ରଦୀପ ପ୍ରଧାନ, ଭଜମନ ବିଶ୍ୱାଳ, ସଂଗ୍ରାମ ମଲ୍ଲିକ, ସଚ୍ଚିକାନ୍ତ ପ୍ରଧାନ, ଚନ୍ଦ୍ରନାଥ ଦାନୀ, ପ୍ରଜ୍ଞାପରମିତା ଜେନା, ପ୍ରତାପ ସାହୁ, ଜମ୍ବେଶ୍ୱର ସାମନ୍ତରା, ଦେବରଂଜନ ଷଡଙ୍ଗୀ, ବିଶ୍ୱନାଥ ପାତ୍ର, ପ୍ରଦିପ ଦିଗାଲ, ପ୍ରକାଶ ମହାନ୍ତି, ଶ୍ରୀ ଅଖଣ୍ଡ ପ୍ରମୁଖ ଉପସ୍ଥିତ ଥିଲେ ।