ଭେଟେରାନ୍ସ କ୍ଲବ ଓଡ଼ିଶା ପକ୍ଷରୁ 'ବିଜୟ ଦିବସ' ପାଳିତ

ଟ୍ୱିନ୍ ସିଟି
  • 2018-12-17 05:46:36
  • 275

କାନଭାସ୍ ଓଡିଶା(ବ୍ୟୁରୋ) : ୧୬ ଡିସେମ୍ବର ୧୯୭୧ ସମଗ୍ର ଭାରତ ବର୍ଷ ପାଇଁ ଏକ ଐତିହାସିକ ସ୍ମରଣୀୟ ଦିନ । ଏହିଦିନ ପାକିସ୍ତାନ ସେନା ସମ୍ପୂର୍ଣ୍ଣ ରୂପେ ଭାରତୀୟ ସେନା ସମ୍ମୁଖରେ ଆତ୍ମସମର୍ପଣ କରିଥିଲା । ୪ ଡିସେମ୍ବରରେ ଭାରତୀୟ ନୌସେନାର ପ୍ରଚଣ୍ଡ ଆକ୍ରମଣରେ ପାକିସ୍ତାନର ନୌସେନା ଧ୍ଵଂସ ହେବା ସହ କରାଚୀ ବନ୍ଦର ସାଙ୍ଘାତିକ ଭାବେ କ୍ଷତିଗ୍ରସ୍ତ ହୋଇ ନିକଟସ୍ଥ ତୈଳ ବିଶୋଧନାଗାର ନଷ୍ଟ ହେବାପରେ ପାକିସ୍ତାନର ମେରୁଦଣ୍ଡ ଭାଙ୍ଗି ଯାଇଥିଲା । ପରେ ପରେ ତତ୍କାଳୀନ ପୂର୍ବ ପାକିସ୍ତାନରେ ନବେ ହଜାର ପାକିସ୍ତାନୀ ସୈନିକଙ୍କୁ ବନ୍ଦୀ କରିବା ପାକିସ୍ତାନକୁ ଆତ୍ମ ସମର୍ପଣ କରିବା ପାଇଁ ବାଧ୍ୟକରିବା ସହ ପାକିସ୍ତାନ ଦୁଇ ଭାଗରେ ବିଭକ୍ତ ହୋଇଯାଇଥିଲା । ଏଣୁ ୧୬ ଡିସେମ୍ବରକୁ ଭାରତୀୟ ଯୁଦ୍ଧ ଇତିହାସରେ ବିଜୟ ଦିବସ ରୂପେ ପାଳନ କରାଯାଏ । ଆଜି ଏଇ ମହାନ ଦିବସର ସ୍ମୃତିକୁ ଭେଟେରାନ୍ସ କ୍ଲବ ଓଡ଼ିଶା ସଭ୍ୟମାନେ ଭୁବନେଶ୍ୱର ପଥ ଉତ୍ସବରେ ଖୁବ ଉତ୍ସାହର ସହ ପାଳନ କରିଥିଲେ । ଏହି ଦିବସ କେବଳ ସେନା ପାଇଁ ନୁହେଁ ସମଗ୍ର ଭାରତ ପାଇଁ ଉତ୍ସବର ଦିନ ବୋଲି ଭେଟେରାନ ସୈନିକମାନେ ବାର୍ତ୍ତା ଦେଇଥିଲେ । ଭେଟେରାନ ବିଦ୍ୟାଧର ନାୟକ, ସେନାପଦକ ପ୍ରାପ୍ତ ମେରାଇନ କମାଣ୍ଡୋ ରବିନ୍ଦ୍ର କୁମାର ସାହୁ, ଅନ୍ତର୍ଯ୍ୟାମୀ ଦାଶ, କ୍ୟାପଟେନ ମନ୍ମଥ କୁମାର ସିଂହ, ହରପ୍ରସାଦ ଦୋରା, ଦୀନବନ୍ଧୁ ଷଡ଼ଙ୍ଗୀ, କେଦାରନାଥ ଜେନା, ସଞ୍ଜୟ ଦାସ ପ୍ରମୁଖ ଅବସରପ୍ରାପ୍ତ ସୈନିକମାନେ ଉତ୍ସବରେ ଯୋଗ ଦେଇଥିଲେ ।