ଓଡିଶାର ଚାଷୀମାନଙ୍କ ସହ ନବୀନ ବହୁତ ଖେଳିଲେ,କିନ୍ତୁ ଆଉ ନୁହେଁ, ଆଗାମୀ ନିର୍ବାଚନରେ ଓଡିଶାରେ ସରକାର ଗଢିବ କଂଗ୍ରେସ

ତାଜା ଖବର
  • 2018-12-12 09:08:02
  • 281

କାନଭାସ୍ ଓଡିଶା(ବ୍ୟୁରୋ) : ଗତକାଲିର ନିର୍ବାଚନ ଫଳାଫଳ ପୁଣିଥରେ ପ୍ରମାଣିତ କରିଛି ଯେ ଧର୍ମ ଏବଂ ଜାତିବାଦକୁ ନେଇ ରାଜନୀତିକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି । ରାଜସ୍ଥାନ, ମଧ୍ୟପ୍ରଦେଶ ଓ ଛତିଶଗଡ ବିଧାନସଭା ନିର୍ବାଚନରେ କଂଗ୍ରେସର ବିପୁଳ ବିଜୟକୁ ନେଇ ଆଜି ପ୍ରଦେଶ କଂଗ୍ରେସ କାର୍ଯ୍ୟାଳୟ ଠାରେ ଅନୁଷ୍ଠିତ ଏକ ମିଳିତ ସାମ୍ବାଦିକ ସମ୍ମିଳନୀରେ ପ୍ରଦେଶ କଂଗ୍ରେସ ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକ ହିନ୍ଦୀ ଭାଷାଭାଷୀ ଏହି ତିନୋଟି ପ୍ରମୁଖ ରାଜ୍ୟର ଅଗଣିତ ଭୋଟର ଭାଇଭଉଣୀମାନଙ୍କୁ କୃତଜ୍ଞତା ଜ୍ଞାପନ କରିବା ସହିତ ଧନ୍ୟବାଦ ଅର୍ପଣ କରିଛନ୍ତି । କଂଗ୍ରେସ ଦଳର ଏ ବିଜୟ ଶ୍ରୀ ରାହୁଲ ଗାନ୍ଧୀଙ୍କ ଏଆଇସିସି ଅଧ୍ୟକ୍ଷ ଭାବରେ ଦାୟିତ୍ୱ ନେବାର ଏକବର୍ଷ ପୂର୍ତି ଉପଲକ୍ଷେ ଏକ ବିଶେଷ ଉପହାର ଏବଂ କଂଗ୍ରେସ ଆଗାମୀ ଦିନରେ ଭାରତୀୟ ଜନତା ପାର୍ଟିକୁ ସଂପୂର୍ଣ୍ଣ ପରାହତ କରି କେନ୍ଦ୍ରରେ କ୍ଷମତାସୀନ ହେବାର ଅୟମାରମ୍ଭ । ଏହି ନିର୍ବାଚନ ଫଳାଫଳ ପ୍ରମାଣିତ କରୁଛି ଯେ ଚାଷୀ ଏବଂ ଚାଷର ସମସ୍ୟାକୁ ନେଇ ସମ୍ବେଦନହୀନ ରାଜନୈତିକ ଦଳ ଏବଂ ତାଙ୍କର ସରକାର ଆଗାମୀ ନିର୍ବାଚନରେ ପରାଜୟର ସ୍ୱାଦ ଚାଖିବା ସୁନିଶ୍ଚିତ । ଓଡିଶାରେ ଚାଷୀଙ୍କ ସମସ୍ୟା ମଧ୍ୟ କିଛି କମ୍ ନୁହେଁ । ଏଠାକାର ଚାଷୀମାନେ ଗୁରୁତର ଆର୍ଥିକ ସମସ୍ୟା ଦେଇ ଗତି କରୁଛନ୍ତି । ବାରମ୍ବାର ଚାଷୀ ଆତ୍ମହତ୍ୟା ଭଳି ଘଟଣା ଘଟୁଛି । ଅବସ୍ଥା ଏଭଳି ହୋଇଛି ଯେ ନିଜ ଦୁଃଖ ଜଣାଇବା ପାଇଁ ରାଜଧାନୀକୁ ଆସୁଥିବା ଚାଷୀମାନଙ୍କୁ ବାଟରେ ପୋଲସି ଲଗାଇ ଜୁଲମ କରାଯାଉଛି । ରାଜ୍ୟରେ କଂଗ୍ରେସ କ୍ଷମତାକୁ ଆସିଲେ ସମସ୍ତ ଚାଷୀଙ୍କୁ ସୌରଚାଳିତ ପମ୍ପସେଟ୍ ପ୍ରଦାନ ସହିତ ସେମାନଙ୍କୁ ୫ ବର୍ଷ ପାଇଁ ଲଗାତର ଭାବେ ଆର୍ଥିକ ସହାୟତା ପ୍ରଦାନ କରିବ । ଓଡିାଶାରେ କଂଗ୍ରେସ ସିଧାସଳଖ ବିଜେଡି ସହିତ ଲଢେଇ କରିବ ବୋଲି ସଭାପତି ପ୍ରକାଶ କରିଥିଲେ । ରାଜ୍ୟରେ ବିଜେଡି ଓ ବିଜେପି ଗୋଟିଏ ମୁଦ୍ରାର ଦୁଇ ପାଶ୍ୱର୍ ଏବଂ ଭାଗୁଆଳି ସରକାରରେ ଥିବା ଏହି ଦୁଇଟିଯାକ ଦଳ ଓଡିଶାର ଚାଷୀଭାଇମାନଙ୍କ ସ୍ୱାର୍ଥ ରକ୍ଷା କରିବାରେ ସଂପୂର୍ଣ୍ଣ ଅସମର୍ଥ । ସ୍ୱାମୀନାଥନ୍ କମିଟି ଓ ଧାନର ସର୍ବନିମ୍ନ ସହାୟକ ମୂଲ୍ୟ ବୃଦ୍ଧି ପ୍ରସଙ୍ଗରେ ବିଜେଡି ଓ ବିଜେପିର ରହସ୍ୟମୟ ନିରବତା ପ୍ରମାଣିତ କରୁଛି ଯେ ଏ ଦୁଇଟିଯାକ ଦଳ ଚାଷୀବିରୋଧୀ । ଏହି ସାମ୍ବାଦିକ ସମ୍ମିଳନୀରେ ବିରୋଧିଦଳ ନେତା ଶ୍ରୀ ନରସିଂହ ମିଶ୍ର କହିଥିଲେ ଯେ ୫ଟି ରାଜ୍ୟରେ ହୋଇଥିବା ବିଧାନସଭା ନିର୍ବାଚନରେ ସ୍ପଷ୍ଟ ହୋଇଛି ଯେ ଏବେବି ଭାରତରେ ଗଣତନ୍ତ୍ର ବଂଚିଛି ଓ ଫାଶୀବାଦର ଏଠାରେ ସ୍ଥାନ ନାହିଁ । କଂଗ୍ରେସମୁକ୍ତ ଭାରତର ସ୍ୱପ୍ନ ଦେଖୁଥିବା ବିଜେପି ଆଜି ବିଜେପିମୁକ୍ତ ଭାରତ ଆଡକୁ ଅଗ୍ରସର ହେଉଛି । ଏହି ନିର୍ବାଚନ ଫଳାଫଳ ଆଗାମୀ ଦିନରେ ଓଡିଶା ରାଜନୀତିକୁ ଗଭୀର ଭାବେ ପ୍ରଭାବିତ କରିବ । ଓଡିଶାର ମୁଖ୍ୟମନ୍ତ୍ରୀ ନିଜେ ସ୍ୱୀକାର କରିଛନ୍ତି ଯେ ଏହି ୫ଟି ରାଜ୍ୟର ନିର୍ବାଚନ ଫଳାଫଳ ଚାଷୀ ଏବଂ ଚାଷର ସମସ୍ୟା ନେଇ ଗଭୀର ଭାବେ ପ୍ରଭାବିତ ହୋଇଛି । ଯଦି ଏକଥା ସତ୍ୟ, ତାହେଲେ ରାଜ୍ୟ ସରକାରଙ୍କର ଚାଷୀମାରଣ ନୀତି ଆଗାମୀ ଦିନରେ ଓଡିଶାରେ ସରକାର ପରିବର୍ତନରେ ବାର୍ତାବହ ହେବ । ଏହି ସାମ୍ବାଦିକ ସମ୍ମିଳନୀରେ କଂଗ୍ରେସ ମିଡିଆ ସେଲ୍ ଅଧ୍ୟକ୍ଷ ଶ୍ରୀ ସତ୍ୟପ୍ରକାଶ ନାୟକ କହିଥିଲେ ଯେ ହିନ୍ଦୀ, ହିନ୍ଦୁ ଏବଂ ହିନ୍ଦୁସ୍ଥାନ ବିଜେପିକୁ ପ୍ରତ୍ୟାଖ୍ୟାନ କରିଛନ୍ତି । ହିନ୍ଦୁ ଭୋଟକୁ ପୁଞ୍ଜି କରି ନିର୍ବାଚନୀ ବୈତରଣୀ ପାର ହେବା ପାଇଁ ବିଜେପି ଯେଉଁ ଯୋଜନା କରିଥିଲା, ତାକୁ ଦେଶବାସୀ ପ୍ରତ୍ୟାଖ୍ୟାନ କରିଛନ୍ତି ଏବଂ ଏଥିରୁ ବିଜେପିକୁ ଶିକ୍ଷାଲାଭ କରିବା ଉଚିତ୍ । ଯୁବଶକ୍ତିକୁ ରୋଜଗାର, ମହିଳାଙ୍କ ସୁରକ୍ଷା ଏବଂ ସାମଗ୍ରୀକ ବିକାଶ ଆଗାମୀ ନିର୍ବାଚନରେ କଂଗ୍ରେସର ପ୍ରମୁଖ ମୁଦ୍ଦା ହେବ ବୋଲି ଶ୍ରୀ ନାୟକ ପ୍ରକାଶ କରିଥିଲେ ।