ବି. ସି. ହାଇସ୍କୁଲର ୧୯୯୨ ବ୍ୟାଚ ବନ୍ଧୁମିଳନ ଉତ୍ସବ ଅନୁଷ୍ଠିତ

ଶିକ୍ଷା
  • 2018-12-09 18:55:09
  • 270

କାନଭାସ୍ ଓଡିଶା(ବ୍ୟୁରୋ) : ନୟାଗଡ, ବହୁ ପ୍ରତୀକ୍ଷିତ ରଣପୁର ବି. ସି. ହାଇସ୍କୁଲ ୧୯୯୨ ବ୍ୟାଚର ବନ୍ଧୁମିଳନ ଉତ୍ସବ ଅତ୍ୟନ୍ତ ଉତ୍ସାହ ଓ ଉଦ୍ଦୀପନାର ବାତାବରଣ ମଧ୍ୟରେ ଆଜି ସ୍ଥାନୀୟ ଦେବୀ ମଣିନାଗ ଶକ୍ତିପୀଠ ପ୍ରାଙ୍ଗଣରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୯୯୨ର ପ୍ରାୟ ସମସ୍ତ ସହପାଠୀଗଣ ସମସାମୟିକ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କ ସହ ପରିଚୟ ଜୀବନ୍ତ କରିବା ସହ ବିଗତ ଛାତ୍ର ଜୀବନର ସ୍ମୃତିଚାରଣ କରିଥିଲେ । ୧୯୯୨ ବ୍ୟାଚ ପକ୍ଷରୁ ସଭାପତି ଲିଙ୍ଗରାଜ ନାୟକ ବୟୋବୃଦ୍ଧ ଶିକ୍ଷକ ଶିକ୍ଷୟିତ୍ରୀମାନଙ୍କୁ ସଭାସ୍ଥଳକୁ ପାଛୋଟି ଆଣିଥିଲେ । ସମ୍ପାଦକ ପ୍ରଦୀପ୍ତ କୁମାର ନନ୍ଦ ସମସ୍ତ ମଞ୍ଚାସୀନ ଶିକ୍ଷକ ଶିକ୍ଷୟିତ୍ରୀଙ୍କୁ ପୁଷ୍ପଗୁଚ୍ଛ ଓ ଉତ୍ତରୀୟ ଦେଇ ସମ୍ବର୍ଦ୍ଧିତ କରିଥିଲେ । ସଭା ପ୍ରାରମ୍ଭରେ ଦିବଙ୍ଗତ ସହପାଠୀ ଓ ଶିକ୍ଷକମାନଙ୍କ ଅମର ଆତ୍ମାର ସଦ୍ଗତି ନିମନ୍ତେ ମହାମୃତ୍ୟୁଞ୍ଜୟ ମନ୍ତ୍ର ଉଚ୍ଚାରଣପୂର୍ବକ ନୀରବ ପ୍ରାର୍ଥନା କରାଯାଇଥିଲା । ଉଦଘୋଷକ ରୂପେ ସହପାଠୀ ସତ୍ୟନାରାୟଣ ମହାପାତ୍ର ମଞ୍ଚକାର୍ଯ୍ୟ ସମ୍ପାଦନ କରିଥିଲେ । ଆଗାମୀ ଦିନରେ ଏହି ସହପାଠୀମାନଙ୍କ ପକ୍ଷରୁ ଅନେକ କଲ୍ୟାଣମୂଳକ କାର୍ଯ୍ୟ ହାତକୁ ନିଆଯିବ ବୋଲି ସହମତି ପ୍ରକାଶ ପାଇଥିଲା । ବର୍ତ୍ତମାନର ଅବସରପ୍ରାପ୍ତ ତଥା ତତ୍କାଳୀନ ବି.ସି. ହାଇସ୍କୁଲର ରାଜ୍ୟପାଳ ପୁରସ୍କାରପ୍ରାପ୍ତ ପ୍ରଧାନ ଶିକ୍ଷକ ବାଳକୃଷ୍ଣ ମିଶ୍ର ନିଜର ଆଶୀର୍ବଚନ ରଖି ସମସ୍ତଙ୍କୁ ହାର୍ଦ୍ଦିକ ଶୁଭେଚ୍ଛା ଜଣାଇବା ସହ ସମାଜରେ ପ୍ରତିଷ୍ଠିତ ମାନବିକତାକୁ ଜୀବନ୍ତ ରଖିବା ପାଇଁ ଅନବରତ ପ୍ରୟାସ ଜାରି ରଖିବା ପାଇଁ ଉପଦେଶ ଦେଇଥିଲେ । ଅବସରପ୍ରାପ୍ତ ଏନ.ସି.ସି ଶିକ୍ଷକ ହରିହର ନନ୍ଦ ନିଜର ଅଭିବ୍ୟକ୍ତି ରଖି ବର୍ତ୍ତମାନର ଶିକ୍ଷା ବ୍ୟବସ୍ଥା ଓ ସ୍ୱାସ୍ଥ୍ୟ ବ୍ୟବସ୍ଥା ଉପରେ ଗଭୀର ଅସନ୍ତୋଷ ପ୍ରକାଶ କରିବା ସହ ଏହାର ଏକ ସ୍ଥାୟୀ ସମାଧାନ ପାଇଁ ପ୍ରୟାସ ଆରମ୍ଭ କରିବାକୁ ଆହ୍ୱାନ ଦେଇଥିଲେ । ଅନ୍ୟମାନଙ୍କ ମଧ୍ୟରେ ପୂର୍ବତନ ଶିକ୍ଷକ ଶଙ୍କର୍ଷଣ ହୋତା , ଦୁର୍ଗାଚରଣ ଶତପଥୀ, ଜୟକୃଷ୍ଣ ମହାନ୍ତି, ବିରଞ୍ଚି ନାରାୟଣ ଖମାରୀ ଏବଂ ଶିକ୍ଷୟିତ୍ରୀ କଳ୍ପନା ରଥ, ପ୍ରତିମା ନନ୍ଦ ପ୍ରମୁଖ ଯୋଗ ଦେଇଥିଲେ । କାର୍ଯ୍ୟକ୍ରମଟିର ସଫଳ ଆୟୋଜନ ପାଇଁ ଶୀତେନ୍ଦ୍ର କୁମାର ନନ୍ଦ, ସୌମ୍ୟରଞ୍ଜନ ସ୍ୱାଇଁ, ବନମାଳୀ ମହାପାତ୍ର , ବିଶ୍ୱଜିତ ରାୟ, ସଞ୍ଜିତ କୁମାର ମିଶ୍ର ପ୍ରମୁଖ ଉପସ୍ଥିତ ସମସ୍ତ ସହପାଠୀଙ୍କୁ କୃତଜ୍ଞତା ଜଣାଇଥିଲେ ।