ବିଜାତଳା ଜିଲ୍ଲାପରିଷଦ ଉପନିର୍ବାଚନରେ ବିଜେଡି ବୁଥ ଜବର ଦଖଲ କରିଥିବା ଅଭିଯୋଗ କଲା ବିଜେପି, ନିର୍ବାଚନ ଆୟୋଗକୁ ଲିଖିତ ଅଭିଯୋଗ

ରାଜନୀତି
  • 2018-12-06 18:02:39
  • 372

କାନଭାସ୍ ଓଡିଶା(ବ୍ୟୁରୋ) : ମୟୁରଭଂଜ ଜିଲ୍ଲାର ବିଜାତଳା ଉପନିର୍ବାଚନରେ ବିଜେଡି ପରାଜୟ ଆସନ୍ନ ଜାଣି ପୋଲିସ ପ୍ରଶାସନର ସାହାଯ୍ୟରେ ବୁଥ ଜବର ଦଖଲ କରି ନିର୍ବାଚନକୁ ଜିତିବାକୁ ଅପଚେଷ୍ଟା କରିଛି ବୋଲି ରାଜ୍ୟ ବିଜେପି ଅଭିଯୋଗ କରିଛି । ମୟୁରଭଂଜ ଜିଲ୍ଲାରେ ଗତ ଜିଲ୍ଲା ପରିଷଦ ଉପନିର୍ବାଚନରେ ବିଜେଡି ଲାତ ଖାଇଥିଲା । ସେହି ପୁରୁଣା ଭୟ ଏବେ ଶାସକ ଦଳକୁ ଘାରିଛି । ସେହି ଭୟରେ ଶାସକ ଦଳର ୧୦ରୁ ଅଧିକ ବିଧାୟକ, ଅଧ ଡଜନ ମନ୍ତ୍ରୀ ଗୋଟିଏ ଜିଲ୍ଲା ପରିଷଦ ଉପନିର୍ବାଚନ ପ୍ରଚାର କରୁଥିଲେ । ଖାଲି ପ୍ରଚାର ନୁହେଁ ବଂର ବ୍ୟାପକ ଟଙ୍କା ବାଂଟିଛନ୍ତି । ତଥାପି ପରାଜୟ ଜାଣିବା ପରେ ଏବେ ପୋଲିସ ଲଗାଇ ବୁଥ ଅକ୍ତିୟାର କରିବା ସହ ଜୋର ଜବରଦସ୍ତି ବିଜେଡି ସପକ୍ଷରେ ଭୋଟ କରାଇଛନ୍ତି ବୋଲି ବିଜେପିର ରାଜ୍ୟ ଉପସଭାପତି ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି ଆଜି ରାଜ୍ୟ ନିର୍ବାଚନ ଆୟୋଗ ପାଖରେ ଏସର୍ମ୍ପକରେ ଏକ ଅଭିଯୋଗ କରି କହିଛନ୍ତି କି ମୟୁରଭଂଜ ଜିଲାର ୩୨ ନମ୍ବର ଜୋନ ଜିଲାପରିଷଦ ଆଜି ହେଉଥିବା ଉପନିର୍ବାଚନରେ ନିମ୍ନ ଲିଖିତ ବୁଥ ଗୁଡିକରେ ବ୍ୟାପକ ଅନିୟମିତତା ହୋଇଛି । ମୁଣ୍ଡାଠାକୁର ଗ୍ରାମପଂଚାୟର ବୁଥ ନମ୍ବର-୧ ବନ୍ତାଳିରେ ବିଜେପି ଏଜେଂଟକୁ ବିଜେଡି ଦଳର ଗୁଣ୍ଡାମାନେ ଅପହରଣ କରିଛନ୍ତିି । ବିଜାତଳା ଗ୍ରାମପଂଚାୟତର ଅସନା ଗାଁରେ ବୁଥକୁ ଜବର ଦଖଲ ହୋଇଛି । ରାଇହରି ଗ୍ରାମପଂଚାୟତର ୧୨, ୧୩, ୧୪, ୧୫ ନମ୍ବର ବୁଥରେ ବିଜେଡି କର୍ମୀମାନେ ଜବରଦସ୍ତ ପସି ଭୋଟକୁ ବିଜେଡି ସପକ୍ଷରେ ଦିଆ କରାଇଛନ୍ତି । ସେହି ବୁଥ ମାନଙ୍କରେ ଗ୍ରାମ ରୋଜଗାର ସେବକ ବିଶିକେଶନ ବେହେରା ବିଜୁ ଜନତା ଦଳକୁ ବେନିୟମ ଭାବରେ ଶାସକ ଦଳର କର୍ମୀ ଭାବେ କାମ କରିଛନ୍ତି । ସେହିପରି ବଣକାଟି ଗ୍ରାମପଂଚାୟତର ଖଣ୍ଡାଡେରା ଓ କରକାଚିଆ ଗାଁରେ ବିଜେପି ଏଜେଂଟକୁ ବିଜେଡି ଦଳର ଗୁଣ୍ଡାମାନେ ପୋଲିସ ସହାୟତାରେ ଅପହରଣ କରିନେଇଛନ୍ତି । ଏହା ନିର୍ବାଚନ ବିଧି ବ୍ୟବସ୍ଥାର ଉଲଘଂନ । ଏହି ଘଟଣାର ତୁରନ୍ତ ନିରପେକ୍ଷ ତଦନ୍ତ କରିବା ସହ ଆସନ୍ତାକାଲି ସାନି ମତଦାନ କରିବା ପାଇଁ ନିର୍ବାଚନ ଆୟୋଗଙ୍କ ନିକଟରେ ଶ୍ରୀ ମହାନ୍ତି ଦାବି କରିଥିଲେ । ଅପରପକ୍ଷେ ନିର୍ବାଚନ ଆୟୋଗ ଜିଲ୍ଲାପାଳଙ୍କଠାରୁ ଘଟଣା ସଂପର୍କରେ ବୁଝି କିଛି ହୋଇନଥିବା କହି ସରକାରୀ ଦଳର ପକ୍ଷ ନେଇ ବିଜେପି ପ୍ରତିନିଧୀ ଦଳର ଦାବିକୁ ଏଡାଇ ଦେଇଥିଲେ । ସରକାରୀ ଦଳର ନିର୍ଦ୍ଦେଶରେ ରାଜ୍ୟ ନିର୍ବାଚନ ଆୟୋଗ କାର୍ଯ୍ୟ କରିବା ଅତ୍ୟନ୍ତ ନିନ୍ଦନୀୟ ଘଟଣା ବୋଲି ଶ୍ରୀ ମହାନ୍ତି କହିବା ସହ ପ୍ରତିନିଧୀ ଦଳ ନିଜର ଦାବି ଉପସ୍ଥାପନା କରି ନିର୍ବାଚନ ଆୟୋଗ କାର୍ଯ୍ୟାଳୟ ସମ୍ମୁଖରେ ଧାରଣାରେ ବସି ରହିଛନ୍ତି । ଶ୍ରୀ ମହାନ୍ତିଙ୍କ ନେତୃତ୍ୱରେ ରାଜ୍ୟ ନିର୍ବାଚନ ଆୟୋଗଙ୍କୁ ଭେଟିଥିବା ଏହି ପ୍ରତିନିଧି ଦଳରେ ବରିଷ୍ଠ ନେତ୍ରୀ ତଥା ପୂର୍ବତନ ମନ୍ତ୍ରୀ ସୁରମା ପାଢୀ, ରାଜ୍ୟ ସଂପାଦକ କାଳନ୍ଦୀ ସାମଲ, ଯୁବମୋର୍ଚ୍ଚା ରାଷ୍ଟ୍ରୀୟ ଉପ ସଭାପତି ଠାକୁର ରଣଜିତ୍ ଦାଶ, ଯୁବମୋର୍ଚ୍ଚା ରାଜ୍ୟ ସଭାପତି ଟଙ୍କଧର ତ୍ରିପାଠୀ, ରାଜ୍ୟ କାର୍ଯ୍ୟକାରିଣୀ ସଦସ୍ୟ ପ୍ରତାପ ମିଶ୍ର ପ୍ରମୁଖ ସାମିଲ ଥିଲେ ।