ଦଳିତ ଓ ଆଦିବାସୀମାନଙ୍କ ସମସ୍ୟା ଓ ତା’ର ସମାଧାନ ନିମନ୍ତେ ପ୍ରଦେଶ କଂଗ୍ରେସ ପକ୍ଷରୁ ରାଜ୍ୟାପାଳଙ୍କୁ ସ୍ମାରକ ପତ୍ର ପ୍ରଦାନ

ରାଜ୍ୟ ଖବର
  • 2018-12-05 19:46:30
  • 225

କାନଭାସ୍ ଓଡିଶା(ବ୍ୟୁରୋ) : କେନ୍ଦ୍ର ଓ ରାଜ୍ୟ ସରକାରଙ୍କର ଦଳିତ ବିରୋଧି ମନୋଭାବ ଓ ସମସ୍ୟା ଓ ତାହାର ସମାଧାନ ସଂପର୍କରେ ଆଜି ପ୍ରଦେଶ କଂଗ୍ରେସ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ପିସିସି ଅନୁସୂଚିତ ଜାତି ବିଭାଗ ଅଧ୍ୟକ୍ଷ ତଥା ପୂର୍ବତନ ସାଂସଦ ବିଭୁ ପ୍ରସାଦ ତରାଇଙ୍କ ନେତୃତ୍ୱରେ ଏକ ପ୍ରତିନିଧି ଦଳ ରାଜ୍ୟପାଳଙ୍କୁ ସାକ୍ଷାତ କରି ସ୍ମାରକପତ୍ର ପ୍ରଦାନ କରିଛନ୍ତି । ରାଜ୍ୟରେ ୩୦ ଲକ୍ଷରୁ ଉଦ୍ଧ୍ୱର୍ ଦଳିତ ଓ ଆଦିବାସୀ ପରିବାରକୁ ଜମିପଟ୍ଟା ନମିଳିବାରୁ ସେମାନେ ସରକାରୀ ଯୋଜନା, ଶିକ୍ଷା କ୍ଷେତ୍ରରେ ଛାତ୍ରବୃତି ପାଇବା କ୍ଷେତ୍ରରେ ବିଭିନ୍ନ ସରକାରୀ ଯୋଜନାରୁ ବଂଚିତ ହେଉଛନ୍ତି । କେନ୍ଦ୍ର ସରକାର ଛାତ୍ରବୃତିକୁ ହ୍ରାସ କରିଥିବାରୁ ଅନୁସୂଚିତ ଜାତି ବିଭାଗ ପକ୍ଷରୁ ଏହାକୁ ତୀବ୍ର ସମାଲୋଚନା କରାଯାଇଛି । ଛାତ୍ରବୃତି ବୃଦ୍ଧି ଓ ତାକୁ ଠିକଣା ସମୟରେ ପ୍ରଦାନ କରିବା । ରାଜ୍ୟରେ ପ୍ରତି ଦଳିତ ଓ ଆଦିବାସୀ ଗ୍ରାମକୁ ସଡକ, ବିଜୁଳି ଏବଂ ପିଇବା ପାଣି, ପାଇଖାନା ପ୍ରଭୃତି ଯୋଗାଇ ଦେବା । ବିଶ୍ୱ ବିଦ୍ୟାଳୟ ପର୍ଯ୍ୟନ୍ତ ଆଦିବାସୀ ଓ ଦଳିତ ଛାତ୍ରଛାତ୍ରୀମାନଙ୍କୁ ମାଗଣା ଶିକ୍ଷା ପ୍ରଦାନ । ସରକାରୀ ସ୍ତରରେ ଖାଲି ପଡିଥିବା ଦଳିତ ଓ ଆଦିବାସୀମାନଙ୍କ ପାଇଁ ଉଦ୍ଦିଷ୍ଟ ବିଭିନ୍ନ ପଦବୀରେ ନିଯୁକ୍ତି ଦେବା । ଦଳିତ ଓ ଆଦିବାସୀ ନିର୍ଯ୍ୟାତନା ନିବାରଣ ଆଇନ୍କୁ କଡାକଡି ଭାବରେ କାର୍ଯ୍ୟକାରୀ କରିବା । ବେସରକାରୀ ଉଦ୍ୟୋଗ ନିଯୁକ୍ତି କ୍ଷେତ୍ରରେ ସଂରକ୍ଷଣ ଆଇନ୍କୁ ଲାଗୁ କରିବା । ଉଚ୍ଚଶିକ୍ଷା ନିମନ୍ତେ ଦଳିତ ଓ ଆଦିବାସୀମାନଙ୍କ ପାଇଁ ପର୍ଯ୍ୟାପ୍ତ ହଷ୍ଟେଲ ନିର୍ମାଣ କରିବା । ରାଜ୍ୟରେ ଅନୁସୂଚିତ ଜାତି କମିଶନ ସ୍ଥାପନ କରିବା । କୁନ୍ଦୁଲି ଗଣଦୁଷ୍କର୍ମର ଉପଯୁକ୍ତ ତଦନ୍ତ କରି ନ୍ୟାୟ ପ୍ରଦାନ କରିବା । ରାଜ୍ୟ ସରକାର ଚିଲିକା ବିଲ୍କୁ ବିଧାନସଭାରେ ଉପସ୍ଥାପନ କରିବା ପ୍ରଭୃତି ୧୫ ଦଫା ଦାବି ସମ୍ଭଳିତ ଏକ ସ୍ମାରକପତ୍ର ମହାମହିମ ରାଜ୍ୟପାଳଙ୍କୁ ଭେଟି ଆଲୋଚନା କରିବା ସହିତ ତାଙ୍କୁ ପ୍ରଦାନ କରାଯାଇଥିଲା । ଉକ୍ତ ପ୍ରତିନିଧି ମଣ୍ଡଳୀରେ ପିସିସି ଅନୁସୂଚିତ ଜାତି ବିଭାଗର ସହ-ଅଧ୍ୟକ୍ଷ ବାଙ୍କନିଧି ବେହେରା, ଉପାଧ୍ୟକ୍ଷା ମମତାଞ୍ଜଳି ବେହେରା, ଜାନକୀ ମଲ୍ଲିକ, ଅଶୋକ କୁମାର ନାୟକ, ଜୟନ୍ତ ଭୋଇ, ଅଭିମନ୍ୟୁ ମଲ୍ଲିକ, କୈଳାସ ମୁଖୀ, ଦେବେନ୍ଦ୍ର ଦାସ ପ୍ରମୁଖ ସାମିଲ ହୋଇଥିଲେ ।