ଆରକ୍ଷଣ ବିରୋଧୀ ମଞ୍ଚ ପକ୍ଷରୁ ବ୍ୟାପକ ସଚେତନତା ଅଭିଯାନ

ଟ୍ୱିନ୍ ସିଟି
  • 2018-12-03 16:50:33
  • 231

କାନଭାସ୍ ଓଡିଶା(ବ୍ୟୁରୋ) : ଭୁବନେଶ୍ୱର, ଇଣ୍ଡିଆ ଏଗନେଷ୍ଟ ରିଜର୍ଭେସନ ଓ ତା'ର ସହଯୋଗୀ ସଙ୍ଗଠନ ୟୁଥ ଫର ଇକ୍ୱାଲିଟି ପକ୍ଷରୁ ବ୍ୟାପକ ଯୁବ ସଚେତନତା ଅଭିଯାନ ଆରମ୍ଭ କରାଯାଇଛି । ଏଥିରେ ଆଜି ସନ୍ଧ୍ୟାରେ ପ୍ରତିନିଧି ମାନେ ଭୁବନେଶ୍ୱର ମହାନଗର ପୋଖରୀପୁଟ ସ୍ଥିତ ମଧୁସୂଦନ ପାର୍କ ନିକଟରେ ଜାତିଭିତ୍ତିକ ସଂରକ୍ଷଣ ଆଇନ କିପରି ଭାବରେ ସମାଜିକ ସୌହାର୍ଦ୍ଦ୍ୟପୂର୍ଣ୍ଣ ବାତାବରଣକୁ ବ୍ୟାହତ କରି ଏକ ଜାତିବାଦୀ ମାନସିକତାକୁ ଆହୁରି ଦୃଢ଼ୀଭୂତ କରୁଛି ସେ ସମ୍ପର୍କରେ ଜନସାଧାରଣଙ୍କୁ ଅବଗତ କରାଇଥିଲେ । ଏହି ସଚେତନତା କାର୍ଯ୍ୟକ୍ରମରେ ଯୁବକମାନେ ବିଶେଷ କରି ଆଗ୍ରହ ପ୍ରକାଶ କରିଥିଲେ । ସେମାନେ ନିଜ ନିଜର ବୈଷୟିକ ଶିକ୍ଷାନୁଷ୍ଠାନରେ ଧନୀ ପିଲାମାନେ କିଭଳି ଜାତି ଆଧାରରେ ସରକାରୀ ପଇସା ପାଉଥିବା ବେଳେ ଗରିବ ସବର୍ଣ୍ଣ ଛାତ୍ରଛାତ୍ରୀମାନେ ସରକାରଙ୍କ ବୈମାତୃକ ମନୋବୃତ୍ତିର ଶୀକାର ହେଉଛନ୍ତି ତାହା ବର୍ଣ୍ଣନା କରିଥିଲେ । ସରକାର ଚାକିରୀ ଦେବା ବାହାନାରେ କିଭଳି ସରକାର ଗରିବ ସବର୍ଣ୍ଣ ବେକାର ଯୁବକଯୁବତୀ ମାନଙ୍କଠାରୁ ଅଧିକ ଅର୍ଥ ଆଦାୟ କରି ଶୋଷଣ କରିଚାଲିଛନ୍ତି ତାହା ଉପରେ କ୍ଷୋଭ ପ୍ରକଟ କରିଥିଲେ । ଉଚିତ ସମୟରେ କର୍ମ ନିଯୁକ୍ତି ନପାଇ ପିଲାମାନେ ମାନସିକ ଚାପରେ ଅବସାଦଗ୍ରସ୍ତ ହୋଇପଡ଼ିବସହ କେହି କେହି ଅସାମାଜିକ ସଙ୍ଗଠନମାନଙ୍କ ଶୀକାର ହେଉଛନ୍ତି ତାହା ଉପରେ ଚର୍ଚ୍ଚା ଜୋର ଧରିଥିଲା । ଆଗକୁ ଏଭଳି ଚର୍ଚ୍ଚା ସମୂହ ପ୍ରତ୍ୟେକ ଗଳିକନ୍ଦିରେ ହେବ ବୋଲି ମତ ପ୍ରକାଶ ପାଇଥିଲା। ଆଗାମୀ ଦିନରେ ଏ ସଚେତନତା ଅଭିଯାନକୁ ଆହୁରି ତୀବ୍ର କରିବା ପାଇଁ ଆରକ୍ଷଣ ବିରୋଧୀ ସଦସ୍ୟମାନେ ଶପଥ ନେଇଥିଲେ । ସଚେତନତା ଅଭିଯାନରେ ବୟୋଜ୍ୟେଷ୍ଠ କର୍ମୀ ରମେଶ ଚନ୍ଦ୍ର ଦାସଙ୍କ ସମେତ ଅନ୍ୟମାନଙ୍କ ମଧ୍ୟରେ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ, ମିଲନ ପ୍ରଧାନ, ନବ କିଶୋର ସାମଲ , ଆହ୍ୱାନ ପାଣ୍ଡିଆ, ଦୋଳମଣି ବାଗ, ବନଜା ବାସିନୀ ତ୍ରିପାଠୀ, ସୁଚିସ୍ମିତା ପଟ୍ଟନାୟକ, ସୁଶୋଭିତା ପଣ୍ଡା, ଶୁଭଙ୍କର ପଣ୍ଡା , ସତ୍ୟବ୍ରତ ପଟ୍ଟନାୟକ, ଶାନ୍ତିସ୍ୱରୂପ ପାଣି, ରାମକୃଷ୍ଣ କର, ପ୍ରମୁଖ ଯୋଗ ଦେଇଥିଲେ ।