ଆଶ୍ରୟ ଗୃହ ଯୌନ ଶୋଷଣ ଘଟଣାରେ ବିଭାଗୀୟ ମନ୍ତ୍ରୀଙ୍କ ଇସ୍ତଫା ଦାବି କଲା କଂଗ୍ରେସ

ରାଜ୍ୟ ଖବର
  • 2018-12-03 15:38:47
  • 267

କାନଭାସ୍ ଓଡିଶା(ବ୍ୟୁରୋ) : ଢେଙ୍କାନାଳ ଜିଲ୍ଲା ବେଲଟିକିରିର ଶିଶୁ ଆଶ୍ରୟ ଗୃହରେ ଘଟିିଥିବା ହୃଦୟ ବିଦାରକ ଯୌନ ଶୋଷଣ ଘଟଣା ସମଗ୍ର ଓଡିଶା ପାଇଁ ଅତ୍ୟନ୍ତ ଲଜ୍ଜାଜନକ । ଖାଲି ସେତିକି ନୁହେଁ, କିଛିଦିନ ତଳେ ଉକ୍ତ ଜିଲ୍ଲାର ବଳରାମପୁର ଠାରେ ଏକ ବିୟର ଫ୍ୟାକ୍ଟ୍ରି ନିମନ୍ତେ ଗଛ କାଟିବାକୁ ବିରୋଧ କରୁଥିବା ସ୍ଥାନୀୟ ବାସିନ୍ଦାଙ୍କୁ ପୋଲିସ ପ୍ରଶାସନ ଦ୍ୱାରା ଯେଭଳି ଭାବରେ ମାଡ ମରାଗଲା, ସେଥିରୁ ଢେଙ୍କାନାଳ ଜିଲ୍ଲାର ଆଇନ୍ଶୃଙ୍ଖଳା ବ୍ୟବସ୍ଥା କେତେ ରୁଗ୍ଣ ତାହା ସ୍ପଷ୍ଟ ଅନୁମେୟ । ସରକାରଙ୍କ ବିନା ପ୍ରୋତ୍ସାହନରେ ଏକ ନିର୍ଦ୍ଦିଷ୍ଟ ସଂସ୍ଥା ଢେଙ୍କାନାଳ ସମେତ ରାଜ୍ୟର ୨୬ଟି ସ୍ଥାନରେ ଶିଶୁ ଆଶ୍ରୟ ଗୃହ କିପରି ଚଲାଇଥିଲା ତାହା ଏବେ ପ୍ରଶ୍ନବାଚୀ ସୃଷ୍ଟି କରିଛି । ୨୦୧୧ ମସିହାରେ ଉକ୍ତ ସଂସ୍ଥା ଏଭଳି ଏକ ଆଶ୍ରୟ ଗୃହ ଚଳାଇଥିଲା । ଯାହାକି ୨୦୧୫ ରେ ପ୍ରଶାସନ ବେଆଇନ୍ ଘୋଷଣା କରିବା ସହିତ ସେଠାରେ ଥିବା ପିଲାମାନଙ୍କୁ ସେମାନଙ୍କ ଘରକୁ ପଠାଇ ଦେଇଥିଲା । ପୁଣି କାହା ପ୍ରରୋଚନାରେ ସମାଜ କଲ୍ୟାଣ ନିର୍ଦ୍ଦେଶକ ଏକ ନିର୍ଦ୍ଦେଶନାମା ବଳରେ ନିଜେ ବେଆଇନ୍ ଘୋଷଣା କରିଥିବା ଆଶ୍ରୟ ଗୃହକୁ ପୁନର୍ବାର ନାମ ପରିବର୍ତନ କରି ଶିକ୍ଷା କେନ୍ଦ୍ର ଭାବରେ ତାକୁ ଅନୁମତି ପ୍ରଦାନ କଲେ ତାହା ଏକ ବିରାଟ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଏଭଳି ଏକ ସମ୍ବେଦନଶୀଳ ଘଟଣାରେ ନିୟମକୁ ନିଜେ ଉଲ୍ଲଙ୍ଘନ କରିଥିବାର ସ୍ପଷ୍ଟ ପ୍ରତୀୟମାନ ହେଉଛି । ଜିଲ୍ଲା ସଦରମହକୁମା ନିକଟରେ ଥିବା ଏକ ଆଶ୍ରୟ ଗୃହରେ ଚାଲିଥିବା ବେଆଇନ କାର‌୍ୟ୍ୟକଳାପକୁ ଖୋଦ୍ ଜିଲ୍ଲାପାଳ ଏବଂ ପୋଲିସ ଆରକ୍ଷୀ ଅଧିକ୍ଷକ ଜାଣି ନପାରିବା ସରକାରଙ୍କ ପାରିବା ପଣିଆ ଉପରେ ପ୍ରଶ୍ନବାଚୀ ସୃଷ୍ଟି କରୁଛି । ସରକାରୀ ଦଳର ବିନା ପ୍ରୋତ୍ସାହନ ଏବଂ ପ୍ରଶାସନର ବିନା ପୃଷ୍ଠପୋଷକତାରେ ଏଭଳି ବେଆଇନ୍ କାର‌୍ୟ୍ୟ ଦୀର୍ଘଦିନ ଧରି ଚାଲିବା ଅସମ୍ଭବ । ବିଭାଗୀୟ ମନ୍ତ୍ରୀ କେବଳ କିଶୋର ନ୍ୟାୟ ଆଇନ୍ ଅଧିନରେ ପଞ୍ଜିକୃତ ଶିଶୁ ଆଶ୍ରୟଗୃହ ଉପରେ ନିଜର ବକ୍ତବ୍ୟ ରଖି ନିରବ ରହିବା ସାଧାରଣରେ ସରକାରଙ୍କ ବିଶ୍ୱାସନୀୟତା ପ୍ରତି ସନ୍ଦେହ ସୃଷ୍ଟି କରୁଛି । ବିଭାଗୀୟ ମନ୍ତ୍ରୀ ଇସ୍ତଫା ଦେବା ସହିତ ଏହାର ନିରପେକ୍ଷ ତଦନ୍ତ ପାଇଁ ହାଇକୋର୍ଟ କିମ୍ବା ସୁପ୍ରିମ୍କୋର୍ଟଙ୍କ ତତ୍ୱାବଧାନରେ ସିବିଆଇକୁ ସୁପାରିଶ କରିବାକୁ ପ୍ରଦେଶ କଂଗ୍ରେସ ମୁଖପାତ୍ର ସୋନାଲି ସାହୁ ଏକ ସାମ୍ବାଦିକ ସମ୍ମିଳନୀରେ ଦାବି କରିଛନ୍ତି ।