ଅସହାୟ ଗରିବ ଲୋକଙ୍କ ପାଇଁ ସରକାରୀ ଯୋଜନା ସାତ ସପନ

EXCLUSIVE
  • 2018-12-02 13:59:14
  • 280

କାନଭାସ୍ ଓଡିଶା(ବ୍ୟୁରୋ) : କୋରାପୁଟ, ବୈପାରୀଗୁଡା ବ୍ଲକ ଅନ୍ତର୍ଗତ ପୂଜାରୀଗୁଡା ପଞ୍ଚାୟତ ବାସିନିଗୁଡା ଗ୍ରାମରେ ଦେଖିବାକୁ ମିଳିଛି ଅସହାୟ ବୃଦ୍ଧ ବୃଦ୍ଧାଙ୍କର ଦୟନୀୟ ଅବସ୍ଥା । ସରକାରଙ୍କ ପକ୍ଷରୁ ସାମାଜିକ ସୁରକ୍ଷା ଯୋଜନାରେ ଅନେକ ସୁବିଧା ସୁଯୋଗ ରହିଛି କିନ୍ତୁ ଏହି ଅସହାୟ ବୃଦ୍ଧ ବୃଦ୍ଧାଙ୍କ ପକ୍ଷେ ସେହି ଯୋଜନା ଆଜି ସାତସପନ । ଡମ୍ବୁରୁ ନାୟକ (୭୦) ସ୍ତ୍ରୀ ନିଳା ନାୟକ (୬୨) ସ୍ଥାୟୀ ବାସଗୃହ ନଥିବାରୁ ପର ଯାଗାରେ ଚାଳ କୁଡିଆ କରି ରହୁଛନ୍ତି । ଆର୍ଥିକ ସମ୍ବଳ ଅଭାବରୁ କୁଡିଆ ଘର ମଧ୍ୟ ସେମାନେ ଛପର କରିପାରୁ ନାହାନ୍ତି । ଉପରେ ପଲିଥିନ ପକାଇ ଦୟନୀୟ ଅବସ୍ଥାରେ ରହୁଛନ୍ତି । ବାର୍ଦ୍ଧକ୍ୟ ଭତ୍ତା ପାଇଁ ପଞ୍ଚାୟତରେ ବାରମ୍ବାର ଆବେଦନ କଲେ ମଧ୍ୟ ନିରାଶ ହେବାକୁ ପଡିଛି ସେମାନଙ୍କୁ । ଖାଲି ଯାହା ୧୦ କେଜି ଚାଉଳ ମିଳୁଛି କିନ୍ତୁ ବୟସାଧିକ କାରଣରୁ ନିଳାଙ୍କର ଅଣ୍ଟା ବ୍ୟଥା ହେଉଥିବାରୁ ରୋଷେଇ ସେ ରୋଷେଇବି କରିପାରୁନାହାନ୍ତି । ଡମ୍ବୁରୁ ନିଜେ ରୋଷେଇ କରୁଛନ୍ତି । ଗୋଟିଏ ବୋଲି ପୁଅ କିନ୍ତୁ ପୁଅ ଜୟପୁରରେ ପରିବାର ସହ ରହି ବସ ଡ୍ରାଇଭର ଭାବେ କାମ କରୁଛି କିନ୍ତୁ ମାବାପାଙ୍କୁ ପଚାରୁ ନାହିଁ । ନିଳା ବାପଘରର ଏକମାତ୍ର ଝିଅ ହେଇଥିବାରୁ ଡମ୍ବୁରୁ ଘରଜ୍ୱାଇଁ ଭାବେ ପାବ୍ଲିଗୁଡା ଗ୍ରାମରେ ରହୁଥିଲେ । ସେଠାରେ ଶ୍ୱଶୁର ଘରେ ରହି ଏକ ଏକର ଜମିରେ ଚାଷ କାମ କରି ଚଳିଯାଉଥିଲେ କିନ୍ତୁ ଶ୍ୱଶୁର ଲକ୍ଷ୍ମଣ ପତ୍ରଶୈାରାଙ୍କ ମୃତ୍ୟୁ ପରେ ଡମ୍ବୁରୁଙ୍କ ଅସହାୟତାର ସୁଯୋଗ ନେଇ ଶ୍ୱଶୁରଙ୍କ ଭାଇ ଓ ପୁତୁରାମାନେ ମିଶି ସେମାନଙ୍କୁ ତଡିଦେଇ ଜମି ଘର ଦଖଲରେ ରଖିଥିବା ଜଣାପଡିଛି । ସେଠାରୁ ସେମାନେ ଆଉ କିଛି ଉପାୟ ନପାଇ ପୂଜାରୀଗୁଡା ପଞ୍ଚାୟତର ବାସିନିଗୁଡା ଗ୍ରାମରେ ଅନ୍ୟ ଜଣଙ୍କ ଜାଗାରେ କୁଡିଆ କରି ପ୍ରାୟ ୧୭ବର୍ଷ ହେଲା ରହିଲେଣି । ଏବେ ଦାରିଦ୍ର‌୍ୟ ଆଉ ବାର୍ଦ୍ଧକ୍ୟ ବୋଝ ସେମାନଙ୍କ ପାଇଁ ଅସହ୍ୟ ହୋଇପଡିଲାଣି । ଜିଲ୍ଲା ପ୍ରଶାସନ ଏଥିପ୍ରତି ଦୃଷ୍ଟି ଦେବାକୁ ସ୍ଥାନୀୟ ଲୋକମାନେ ଦାବି କରିଛନ୍ତି । ତେବେ ଏ ସମ୍ପର୍କରେ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀ ଚନ୍ଦନ ବେହେରାଙ୍କ ସହ ଯୋଗାଯୋଗ କରିବାରୁ ସେ ଦମ୍ପତିଙ୍କୁ ପୁନର୍ବାର ଭତ୍ତା ପାଇଁ ଆବେଦନ କରିବାକୁ କହିଛନ୍ତି ।