ସୋସିଆଲ୍ ୱାର୍-ହକି ଇଣ୍ଡିଆ ପକ୍ଷରୁ ସ୍ପଷ୍ଟିକରଣ, ଲେଖାଶ୍ରୀଙ୍କ ବୟାନକୁ ନେଇ ଜୋରଦାର ଚର୍ଚ୍ଚା

ଖେଳ
  • 2018-11-29 19:49:39
  • 291

କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଶା ଭଳି ଏକ ରାଜ୍ୟ ବିଶ୍ୱର ସର୍ବବୃହତ୍‌ ହକି ଟୁର୍ଣ୍ଣାମେଣ୍ଟ ଆୟୋଜନ କରିବା କିଛି କମ୍‌ ଗୌରବର କଥା ନୁହେଁ । ଏହାର ସଫଳତାକୁ ନେଇ ଦେଶ ତଥା ବିଦେଶରେ ଭୁରି ଭୁରି ପ୍ରଶଂସା କରାଯାଇଛି । ଟୁର୍ଣ୍ଣାମେଣ୍ଟକୁ ଆଉ ଟିକେ ଆକର୍ଷଣୀୟ କରିବା ଲାଗି ଆୟୋଜକ ଓଡ଼ିଶା ସରକାର ଦୁଇ ଦୁଇଟି ଉଦ୍‌ଘାଟନୀ ଉତ୍ସବର ଆୟୋଜନ କଲେ । ଏହା ପଛର କାରଣ ଲୋକଙ୍କ ଡିମାଣ୍ଡ ବୋଲି କହିଲେ ଆୟୋଜକ । ତେଣୁ ଭୁବନେଶ୍ୱର କଳିଙ୍ଗ ଷ୍ଟାଡିୟମ୍‌ରେ ୨୭ ତାରିଖ ଏବଂ ୨୮ ତାରିଖରେ କଟକ ବାରବାଟୀ ଷ୍ଟାଡିୟମରେ ଝଲସିଲେ ବଲିଉଡ୍‌ ଷ୍ଟାର । ତେବେ ଏହା ପରେ ସୋସିଆଲ ମିଡିଆରେ ରାଜ୍ୟ ବିଜେପି ନେତ୍ରୀ ଲେଖାଶ୍ରୀ ସାମନ୍ତରାୟ ଏହି ଦୁଇ ଉଦଘାଟନୀ ଉତ୍ସବକୁ ବ୍ୟୟବହୁଳ ଦର୍ଶାଇ ଆଗକୁ ନିର୍ବାଚନ ଆସୁଥିବାରୁ ସଲମାନ ଖାନ ପରି ଷ୍ଟାରଙ୍କୁ ପଇସା ଦେଇ ଡକାଇ ବିଜେଡି ନିଜ ଦଳକୁ ପ୍ରମୋଟ କରୁଛି ବୋଲି ସେ ସମାଲୋଚନା କରିଥିଲେ ଶାସକ ଦଳ ବିରୋଧରେ । ନିଜର ଅପାରଗତାକୁ ଲୋକଙ୍କ ଆଢୁଆଳରୁ ଲୁଚାଇବା ପାଇଁ ସରକାର ହକି ମାଧ୍ୟମରେ ନିଜର ଆତ୍ମ ପ୍ରଚାର କରୁଛନ୍ତି ବୋଲି କହିଛନ୍ତି ଲେଖାଶ୍ରୀ ସାମନ୍ତରାୟ । ଏହାକୁ ନେଇ ଚାଲିଛି ରାଜନୀତି । ଶେଷରେ ହକି ଇଣ୍ଡିଆକୁ ଏହା ଉପରେ ସ୍ପଷ୍ଟୀକରଣ ଦେବାକୁ ପଡ଼ିଛି । ହକି ଇଣ୍ଡିଆ ଟ୍ଵିଟ୍‌ କରି କହିଛି ‘ଓଡ଼ିଶା ସରକାର ନୁହେଁ ହକି ଇଣ୍ଡିଆର ସ୍ପନସର ଉଭୟ ଉଦଘାଟନୀ ଉତ୍ସବ ପାଇଁ ଖର୍ଚ୍ଚ କରିଛନ୍ତି’ । ହକିକୁ ଭଲ ପାଇ ସମର୍ଥନ ଜଣାଉଥିବା ଲୋକଙ୍କୁ ଆମେ ହୃଦୟର ସହ କୃତଜ୍ଞତା ଜଣାଉଛୁ ବୋଲି ହକି ଇଣ୍ଡିଆ କହିଛି । ରାଜ୍ୟ ସରକାର ଯେଉଁ ଟଙ୍କା ସଲମାନଙ୍କୁ ଦେଇଛନ୍ତି ତାହା କାହାର ବୋଲି ଲେଖାଶ୍ରୀ ପ୍ରଶ୍ନ କରିଛନ୍ତି । ଏହି ଟଙ୍କା ଓଡ଼ିଶା ଲୋକଙ୍କର ଝାଳବୁହା ଟଙ୍କା ବୋଲି କହିଛନ୍ତି ବିଜେପି ନେତ୍ରୀ ଲେଖାଶ୍ରୀ । ସେଲଫି ଓ ପ୍ରମୋସନ ପାଇଁ ସଲମାନଙ୍କୁ ଟଙ୍କା ଦେଇଛନ୍ତି ନବୀନ, ଏହି ଅର୍ଥ ରାଜ୍ୟବାସୀଙ୍କର, କାହାରି ବାପାର ନୁହଁ ବୋଲି କହିଛନ୍ତି ଲେଖାଶ୍ରୀ । ଏହାସହ ସେ ସଲମାନଙ୍କୁ ଦିଆଯାଇଥିବା ଚେକ୍‌ର ଫଟୋ ମଧ୍ୟ ଫେସବୁକ ଓ ଟୁଇଟରରେ ଘୁରି ବୁଲୁଛି । ଲେଖାଶ୍ରୀଙ୍କ ବୟାନକୁ ନେଇ ଝଡ଼ ଉଠିବା ପରେ ବିଜେଡି ଜବାବ ଦେଇଛି । ସେପଟେ ଲେଖାଶ୍ରୀ ସାମନ୍ତରାୟଙ୍କ ଏଭଳି ମନ୍ତବ୍ୟକୁ ବିଜେଡି ନେତାମାନେ ନିନ୍ଦା କରିବା ସହ ବିଜେଡି ମୁଖପାତ୍ର ସୁଲୋଚନା ଦାଶ କହିଛନ୍ତି, “ଲେଖାଶ୍ରୀ ଯେଉଁ ଅଭିଯୋଗ କରିଛନ୍ତି ତାହା ସମ୍ପୂର୍ଣ୍ଣ ମିଛ ଏବଂ ଭିତ୍ତିହୀନ । ସଲମାନଙ୍କ ସମ୍ପୂର୍ଣ୍ଣ ଖର୍ଚ୍ଚ ହକି ଇଣ୍ଡିଆ ପକ୍ଷରୁ ଦିଆଯାଇଛି । ସେ ଯାହା ବି ଫି’ ନେଇଛନ୍ତି ହକି ଇଣ୍ଡିଆର ପ୍ରାୟୋଜକମାନେ ଦେଇଛନ୍ତି । ଲେଖାଶ୍ରୀ ବାରମ୍ବାର ରାଜ୍ୟବାସୀଙ୍କୁ ମିଛ ତଥ୍ୟ ଦେଉଛନ୍ତି । ଭୁବନେଶ୍ୱର ଏବଂ କଟକ ଉତ୍ସବ ପାଇଁ ହକି ଇଣ୍ଡିଆ ଟଙ୍କା ଦେଇଛି । ଲେଖାଶ୍ରୀ ବିଭ୍ରାନ୍ତିକର ତଥ୍ୟ ଦେଉଥିବାରୁ ସେ ଓଡ଼ିଶାବାସୀଙ୍କୁ ଭୁଲ୍ ମାଗନ୍ତୁ।”