୬୪ ବର୍ଷ ବୟସରେ କଣ୍ଠଶିଳ୍ପୀ ମହମ୍ମଦ ଅଜିଜ୍‌ଙ୍କର ପରଲୋକ ।

ଦେଶ ବିଦେଶ
  • 2018-11-27 15:38:21
  • 243

କାନଭାସ୍ ଓଡିଶା(ବ୍ୟୁରୋ) : ବଲିଉଡ ଚଳଚ୍ଚିତ୍ର ଜଗତର ଲୋକପ୍ରିୟ ଗାୟକ ମହମ୍ମଦ ଅଜିଜଙ୍କ ମଙ୍ଗଳବାର ପରଲୋକ ଘଟିଛି। ମୃତ୍ୟୁ ବେଳକୁ ତାଙ୍କୁ ୬୪ ବର୍ଷ ହୋଇଥିଲା। ସେ ସୋମବାର କଲିକତାରୁ ବମ୍ବେ ଫେରୁଥିବା ସମୟରେ ବିମାନବନ୍ଦରରେ ଛାତିରେ ଯନ୍ତ୍ରଣା ହେଉଥିବା ଅନୁଭବ କରିଥିଲେ। ତାଙ୍କୁ ଡ୍ରାଇଭର ତତ୍‌କ୍ଷଣାତ ସେଠାକାର ନାନାବତି ଚିକିତ୍ସାଳୟରେ ଭର୍ତ୍ତି କରିଥିଲେ। ମାତ୍ର ସେଠାରେ ଡାକ୍ତର ତାଙ୍କୁ ମୃତ ଘୋଷଣା କରିଥିବା ଅଜିଜ୍‌ଙ୍କ ଝିଅ ସନା ସୂଚନା ଦେଇଛନ୍ତି। ୧୯୫୪ ଜୁଲାଇରେ ୨ରେ ପଶ୍ଚିମବଙ୍ଗର ଅଶୋକ ନଗରରେ ଅଜିଜ ଜନ୍ମ ଗ୍ରହଣ କରିଥିଲେ। । ଅଜିଜ ମହମ୍ମଦ ରଫିଙ୍କ ବହୁତ ବଡ଼ ପ୍ରଶଂସକ ଥିଲେ । ମହମ୍ମଦ ଅଜିଜ ବଲିଉଡରେ ଅନେକ ଫିଲ୍ମରେ ଗୀତ ଗାଇଛନ୍ତି । ଏପରିକି ଅନେକ ଓଡିଆ ଭଜନ ସହ ଆଧୁନିକ ଗୀତ ମଧ୍ୟ ସେ ଗାଇଛନ୍ତି । ବଞ୍ଜାରନ, ଆଦମୀ ଖିଲୋନା ହେ, ପାପୀ ଦେବତା, ପଥର କେ ଇଂସାନ ଓ ବିବି ହୋ ତୋ ଏସି ଭଳି ଅନେକ ଫିଲ୍ମରେ ଗୀତ ଗାଇଛନ୍ତି । ଅମିତାଭ ବଚ୍ଚନଙ୍କ ଫିଲ୍ମ ‘ମର୍ଦ’ର ଟାଇଟଲ ସଙ୍ଗ ‘ମୈ ହୁଁ ମର୍ଦ ତାଙ୍ଗେ ଓ୍ଵାଲା’ରୁ ଅଜିଜ ରାତାରାତି ତାରକା ପାଲଟି ଯାଇଥିଲେ। ‘ଜଗା ହାତରେ ପଘା’ ଚଳଚ୍ଚିତ୍ରର ‘ରୂପା ଶଗଡ଼ିରେ ସୁନା କନିଆ..’ ଗୀତ ଜରିଆରେ ଓଲିଉଡ୍‌ରେ ପ୍ରବେଶ କରିଥିବା ଅଜିଜଙ୍କ ସ୍ଵର ଆଜିଠୁ ସବୁଦିନ ପାଇଁ ନିରବ ହୋଇ ଯାଇଛି। ‘ତୁ ମୋର ସ୍ୱପ୍ନର ସୁନେଲୀ ସନ୍ଧ୍ୟା’, ‘କଟି କଟି ରେ’, ‘ରୂପା ଶଗଡ଼ିରେ’, ‘ରାଜହଂସୀ ଚାଲି ଦେଖି’, ‘ତୋ ମଥାରେ ଟିକିଲି ଭଲ ଲାଗୁନି’, ‘ଧିରେ ଧିରେ ଚାଲ ଗୋରୀ’ ଭଳି ଅନେକ ସୁପରହିଟ ଓଡ଼ିଆ ଫିଲ୍ମ ଏବଂ ଆଲବମ୍‌ରେ ଶତାଧିକ ଓଡ଼ିଆ ଗୀତ ଗାଇ ଓଡ଼ିଆ ଗୀତ ପ୍ରେମୀଙ୍କ ହୃଦରେ ସ୍ଵତନ୍ତ୍ର ସ୍ଥାନ ସୃଷ୍ଟି କରିଥିଲେ।