ବିଶ୍ୱକପ ହକିର ଓପନିଙ୍ଗ୍ ସେରିମୋନିରେ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ମହାମହିମ ରାଷ୍ଟ୍ରପତି ଯୋଗ ଦେଇଥିଲେ ଏହାର ମହତ୍ୱ ବଢିଥାନ୍ତା-ଶ୍ରୀ ସମୀର ମହାନ୍ତି

ତାଜା ଖବର
  • 2018-11-27 14:49:19
  • 1090

କାନଭାସ୍ ଓଡିଶା(ବ୍ୟୁରୋ) : ବିଶ୍ୱକପ ହକି ଓପନିଙ୍ଗ୍ ସେରିମୋନିରେ କୋଟି କୋଟି ଅର୍ଥ ବ୍ୟୟରେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଆୟୋଜିତ କରି ରାଜ୍ୟସରକାର ନିଜର ଆତ୍ମ ପ୍ରଚାର କରୁଛନ୍ତି ବୋଲି ରାଜ୍ୟ ଉପସଭାପତି ଶ୍ରୀ ସମୀର ମହାନ୍ତି କହିଛନ୍ତି । ଶ୍ରୀ ମହାନ୍ତି କହିଛନ୍ତି ଯେ, ବିଶ୍ୱକପ ହକିର ଓପନିଙ୍ଗ୍ ସେରିମୋନିରେ ଦେଶର ପ୍ରଧାନମନ୍ତ୍ରୀ କିମ୍ବା ମହାମହିମ ରାଷ୍ଟ୍ରପତି ଯୋଗ ଦେଇଥିଲେ ଏହାର ମହତ୍ୱ ବଢିଥାନ୍ତା । କିନ୍ତୁ ରାଜ୍ୟ ସରକାରଙ୍କ ସୌଜନ୍ୟତା ଅଭାବ କାରଣରୁ ସେମାନଙ୍କୁ ନିମନ୍ତ୍ରଣ କରାଯାଇ ନାହିଁ । ଏହା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଗୀତ ଏବଂ ନାଚ ମାଧ୍ୟମରେ ରାଜ୍ୟ ସରକାର ନିଜର ପ୍ରଚାର କରିଚାଲିଛନ୍ତି । ବଡ ବଡ ହୋଡିଂ ଏବଂ ପୋଷ୍ଟରରେ ନିଜ ଫଟୋ ମାରିଲେ ରାଜ୍ୟର ବିକାଶ ହୁଏନି । ଲୋକଙ୍କ ମୌଳିକ ଆବଶ୍ୟକତାକୁ ପୂରଣ ନକରି ଟିକସ ଦାତାଙ୍କ ଅର୍ଥରେ ନିଜର ଆତ୍ମ ପ୍ରଚାର କରିବା ହୀନ ମାନସିକତାର ଲକ୍ଷଣ । ରାଜ୍ୟବାସୀଙ୍କ ସମସ୍ୟା ଅପେକ୍ଷା ହକି ଖେଳର ରଙ୍ଗାରଙ୍ଗ କାର୍ଯ୍ୟକ୍ରମ ଅତ୍ୟନ୍ତ ଗୁରୁ୍ତ୍ୱପୂର୍ଣ୍ଣ ବୋଲି ଭାବି ହକି ଖେଳକୁ ଉପଭୋଗ କରିବା ପାଇଁ ରାଜ୍ୟସରକାର ମାତ୍ର ୫ ଦିନ ବିଧାନସଭା ଚଲାଇ ବିଧାନସଭା ଗୃହକୁ ଅନିଦ୍ଦିଷ୍ଟ କାଳ ପାଇଁ ବାତିଲ କରିଛନ୍ତି । ଶାସକ ବିଜେଡି ଗୋଟିଏ ପଟେ ରଙ୍ଗାରଙ୍ଗ କାର୍ଯ୍ୟକ୍ରମ କରି ନିଜର ପ୍ରଚାର କରିବା ସମୟରେ ଅନ୍ୟପଟେ ବିଜେପି ପ୍ରତିନିଧୀ ଦଳ ତିତଲି ବାତ୍ୟାରେ କ୍ଷୟକ୍ଷତି ପରେ ରାଜ୍ୟସରକାରଙ୍କ ରିଲିଫ ବଂଟନ କାର୍ଯ୍ୟ ସଂପର୍କରେ ସମୀକ୍ଷା କରିବ ବୋଲି ଶ୍ରୀ ମହାନ୍ତି କହିଛନ୍ତି । ଏ. ଆର ରେହମାନଙ୍କ ସଙ୍ଗୀତ, ମାଧୁରୀଙ୍କ ନୃତ୍ୟ , ଶାହାରୁଖଙ୍କ ଅନ୍ଦାଜ, ପ୍ରଭାସଙ୍କ ଡାଏଲଗ କିଛିକ୍ଷଣ ପାଇଁ ଆନନ୍ଦ ଦେଇପାରେ କିନ୍ତୁ ଏହାଦ୍ୱାରା ରାଜ୍ୟର ସ୍ୱାର୍ଥ ରକ୍ଷା ହୋଇପାରିବ ନାହିଁ । ରାଜ୍ୟସରକାର ହକି ଖେଳକୁ ରାଜ୍ୟରେ ଏଯାବତ୍ ପ୍ରାଧାନ୍ୟ ଦେଇନାହଁନ୍ତି । ହକି ଖେଳର ବିକାଶ ପାଇଁ ଭିତିଭୂମିର ଅଭାବ ରହିଛି । ରାଜ୍ୟସରକାର ଖେଳ ଉପକରଣ ତଥା ହକି ଖେଳ ପ୍ରତି ଆଗ୍ରହୀ ଥିବା ଖେଳାଳୀମାନଙ୍କୁ କୌଣସି ପ୍ରକାରର ପ୍ରୋତ୍ସାହନ ଦେଇନାହାଁନ୍ତି ବୋଲି ଶ୍ରୀ ମହାନ୍ତି କହିଛନ୍ତି ।