ଗଣମାଧ୍ୟମର କଣ୍ଠରୋଧକୁ ବରଦାସ୍ତ କରାଯିବ ନାହିଁ : ବିଶ୍ୱଭୂଷଣ

ତାଜା ଖବର
  • 2018-11-26 14:44:35
  • 278

କାନଭାସ୍ ଓଡିଶା(ବ୍ୟୁରୋ) : ଓଡ଼ିଶା ମାଟିରେ ଗଣମାଧ୍ୟମର କଣ୍ଠରୋଧ ଓ ଗଣତନ୍ତ୍ରର ହତ୍ୟା କରିବାକୁ ଯେଉଁ ଅଭିଯାନ ଚାଲିଛି ତାକୁ ବରଦାସ୍ତ କରାଯିବ ନାହିଁ ବୋଲି ବିଜେପିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଶ୍ରୀ ବିଶ୍ୱଭୂଷଣ ହରିଚନ୍ଦନ ଏକ ପ୍ରେସ ବିବୃତିରେ ଜଣାଇଛନ୍ତି । ଶ୍ରୀ ହରିଚନ୍ଦନ କହିଛନ୍ତି ଯେ, ପୂର୍ବତନ ସାଂସଦ ତଥା ଉତ୍କଳ ଭାରତ ପାର୍ଟିର ସଭାପତି ଶ୍ରୀ ଖାରବେଳ ସ୍ୱାଇଁଙ୍କ ଉପରେ ଯେ ଭଳି ବାରମ୍ବାର ଆକ୍ରମଣ ହେଉଛି ଓ ସେ ତାଙ୍କର ସରକାର ବିରୋଧୀ ବକ୍ତବ୍ୟ ବନ୍ଦ ନ କଲେ ତାକୁ ମାରିଦିଆଯିବ ବୋଲି ଧମକ ଦିଆଯାଉଛି ତାହା ଅତୀବ ଉଦ୍ବେଗଜନକ । ଶ୍ରୀ ଖାରବେଳ ସ୍ୱାଇଁ ହେଉଛନ୍ତି ଜଣେ ଜଣାଶୁଣା ପୂର୍ବତନ ସାଂସଦ ଓ ରାଜ୍ୟର ପ୍ରତିଷ୍ଠିତ ରାଜନେତା । ସାଧାରଣ ସଭାରେ ଓ ଗଣମାଧ୍ୟମରେ ଜଣେ ବିରୋଧୀ ଦଳ ନେତା ଭାବରେ ସରକାରର ଭୁଲ ନୀତି ଓ କାର୍ଯ୍ୟକ୍ରମକୁ ସମାଲୋଚନା କରିବା ତାଙ୍କର ଧର୍ମ । ଆଳିଠାରେ ଓ ରାୟଗଡ଼ା ଜିଲ୍ଲାର କାଶିପୁରରେ ସରକାରଙ୍କ ବିରୁଦ୍ଧରେ କୈାଣସି ବକ୍ତବ୍ୟ ନ ଦେବାକୁ ଯେ ଭଳି ତାଙ୍କୁ ସରକାରୀ ଦଳ ଓ ସରକାରଙ୍କ ବିଜୁ ଯୁବ ବାହିନୀ ସଦସ୍ୟଙ୍କ ଦ୍ୱାରା ଧମକ ଦିଆଯାଇ ଆକ୍ରମଣ କରାଗଲା ତାହା ଅତୀବ ନିନ୍ଦନୀୟ । ଏ କେବଳ ଶ୍ରୀ ସ୍ୱାଇଁ ନୁହନ୍ତି ପୂର୍ବତନ ସାଂସଦ ଶ୍ରୀ ବୈଜୟନ୍ତ ପଣ୍ଡା ଓଡ଼ିଶାର ବିଭିନ୍ନ ସ୍ଥାନ ବୁଲି ସରକାରଙ୍କର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଓ ସରକାର କିଭଳି ପ୍ରଶାସନ ହାତରେ କ୍ରୀଡ଼ନକ ପାଲଟିଛନ୍ତି କହିଲାବେଳେ, ସେ ମଧ୍ୟ ଆକ୍ରମଣର ଶିକାର ହେଉଛନ୍ତି । ଡ଼କ୍ଟର ଦାମୋଦର ରାଉତ ସରକାରଙ୍କ ବିରୋଧରେ କହିଲା ବେଳେ ତାଙ୍କ ସଭାରେ ବିଶୃଙ୍ଖଳା ସୃଷ୍ଟି କରାଯାଉଛି । ନିକଟରେ ନବ ନିର୍ମାଣ କୃଷକ ସଂଗଠନର ଗଣତାନ୍ତ୍ରିକ ଆନ୍ଦୋଳନକୁ ପୋଲିସ ଲଗାଇ ଦମନ କରାଗଲା ଓ କୃଷକମାନଙ୍କୁ ରାଜଧାନୀରେ ପ୍ରବେଶ କରିବାକୁ ଦିଆଗଲା ନାହିଁ । ଏହା ଦ୍ୱାରା ସେମାନଙ୍କର ସାମ୍ବିଧାନିକ ଓ ଗଣତାନ୍ତ୍ରିକ ଅଧିକାରକୁ ହତ୍ୟା କରାଗଲା । ସରକାରଙ୍କର ଏ ଗଣତନ୍ତ୍ର ବିରୋଧୀ କାର୍ଯ୍ୟ ଓ ଦମନଲୀଳାକୁ ସବୁମନ୍ତେ ବିରୋଧ କରାଯିବ ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଏ କେବଳ ରାଜନୈତିକ ନେତା ଓ ବିଭିନ୍ନ ସଂଗଠନର କଥା ନୁହେଁ, ଗଣମାଧ୍ୟମର କଣ୍ଠରୋଧ କରିବାକୁ ମଧ୍ୟ ସରକାର ତତ୍ପର ହୋଇଉଠୁଛନ୍ତି । ସରକାରଙ୍କର ବିଭିନ୍ନ କ୍ଷେତ୍ରର ଦୁର୍ନୀତି ଓ ଲୋକବିରୋଧୀ କାର୍ଯ୍ୟକ୍ରମକୁ ଲୋକଲୋଚନକୁ ଆଣିବାରୁ ଗଣମାଧ୍ୟମ ଓ ବିଶେଷଭାବେ ଓଟିଭି ସରକାରଙ୍କ କ୍ରୋଧର ଶିକାର ହୋଇଛି । ଶ୍ରୀ ଖାରବେଳ ସ୍ୱାଇଁଙ୍କ ଉପରେ ଶାସକ ଦଳ ତରଫରୁ ହୋଇଥିବା ଆକ୍ରମଣକୁ ଓଟିଭି କାହିଁକି ବାରମ୍ବାର ଦେଖାଉଛି କହି ତାକୁ ଧମକ ଦିଆଯାଇଛି । ଏ ଭଳି କଲେ ""ଆଗକୁ କଣ ହେବ ବୁଝିବେ ଆମର ସେଥିରେ କିଛି କହିବାର ନାହିଁ'' ବୋଲି ଜଣେ ଶାସକ ଦଳର ସାଂସଦ ଧମକ ଦେବା ସରକାରଙ୍କ ଅସଲ ସ୍ୱରୂପକୁ ପଦାରେ ପକାଇଦେଇଛି ବୋଲି ଶ୍ରୀ ହରିଚନ୍ଦନ କହିଛନ୍ତି । ଆମର ପ୍ରଶ୍ନ ହେଉଛି ସରକାରଙ୍କର ଏ ଯେଉଁ ଗଣତନ୍ତ୍ରବିରୋଧୀ ଅଭିଯାନ ରାଜ୍ୟରେ ଚାଲିଛି, ତାର ଖଳନାୟକ କିଏ? ଏ ସବୁ ପ୍ରସଙ୍ଗ ଗଣମାଧ୍ୟମରେ ବାରମ୍ବାର ପ୍ରଚାରିତ ହେବା ସତ୍ୱେ ମୁଖ୍ୟମନ୍ତ୍ରୀ ନୀରବ ରହିବା ରାଜ୍ୟବାସୀଙ୍କୁ କ୍ଷୁବ୍ଧ କରିଛି । ସରକାରଙ୍କୁ ଆମେ ସତର୍କ କରିଦେବା ପାଇଁ ଚାହୁଁ ଯେ, ଗଣତନ୍ତ୍ରକୁ ହତ୍ୟା କରିବାର ପ୍ରଚେଷ୍ଟା ସବୁବେଳେ ବିପଜ୍ଜନକ । ସରକାର ତାଙ୍କର ଆଭିମୁଖ୍ୟ ନ ବଦଳାଇଲେ ଓ ଏ ଗଣତନ୍ତ୍ର ବିରୋଧୀ ଅଭିଯାନରୁ ଓହରି ନ ଗଲେ ରାଜ୍ୟରେ ଏକ ବ୍ୟାପକ ଗଣ ଆନ୍ଦୋଳନର ସାମନା କରିବେ ବୋଲି ଶ୍ରୀ ହରିଚନ୍ଦନ ଚେତାବନୀ ଦେଇଛନ୍ତି ।