ଓଡ଼ିଶାର ଉତ୍ଥାନ ପାଇଁ ସନ୍ଥ ସମାଜର ଆହ୍ୱାନ

ଟ୍ୱିନ୍ ସିଟି
  • 2018-11-26 13:11:20
  • 225

କାନଭାସ୍ ଓଡିଶା(ବ୍ୟୁରୋ) : ସାମ୍ପ୍ରତିକ ସମାଜରେ ନୈତିକ ଅଧୋପତନ, ଭ୍ରଷ୍ଟାଚାର ଆଦି ବିଭିନ୍ନ ପ୍ରକାରର ସମସ୍ୟା ନେଇ ଓଡ଼ିଶା ଗତି କରୁଥିବାବେଳେ ଏଥିରୁ ମୁକ୍ତି ପାଇଁ ସନାତନ ସନ୍ଥ ସମାଜର ପୌରୋହିତ୍ୟରେ ବିଭିନ୍ନ ସାମାଜିକ ସଂଗଠନ କର୍ମୀଙ୍କୁ ନେଇ ଓଡ଼ିଶା ଉତ୍ଥାନ ମହାସଭାର ବୈଠକ ପୁରୁଣା ଭୁବନେଶ୍ୱରସ୍ଥିତ ରାଧାବଲ୍ଲଭ ମଠ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଓଡ଼ିଶାକୁ ଏଇ ଦୁରବସ୍ଥାରୁ ଉଦ୍ଧାର ପାଇଁ ସମସ୍ତ ସଜ୍ଜନମାନେ ଏକତ୍ରିତ ହୋଇ ସଂଗ୍ରାମ କରିବା ପାଇଁ ମତ ପ୍ରକାଶ ପାଇଥିଲା । ଚାରିଆଡ଼େ ଧର୍ମ ନାମରେ ବ୍ୟାପ୍ତ ଅନାସ୍ଥା, ଦୂରାଚାର, ନିଶାସେବନ ଆଦି ବ୍ୟକ୍ତିଗତ ନୈତିକତାର ସମସ୍ୟା ସହ ଓଡ଼ିଶାରେ ଚାଷୀମାନଙ୍କ ସମସ୍ୟା, ଭାଷାଗତ ସମସ୍ୟା , ଉତ୍କଟ ବେକାରୀ ସମସ୍ୟା ଉପରେ ବ୍ୟାପକ ଚର୍ଚ୍ଚା ସହିତ ଏହାର ସମାଧାନ ପାଇଁ ସମସ୍ତ ସମାଜିକ ସଙ୍ଗଠନ ପକ୍ଷରୁ ସାମୁହିକ ପ୍ରଚେଷ୍ଟା ହେବା ଆବଶ୍ୟକ ବୋଲି ସ୍ୱାମୀ ଭାଗବତାନନ୍ଦ କହିଥିଲେ । ସମାଜରେ ଖରାପ ଲୋକଙ୍କ ସଂଖ୍ୟା ଅଧିକ ନଥିଲେ ମଧ୍ୟ ସେମାନେ ସଙ୍ଗଠିତ ହୋଇ ଶାସନକୁ ନିଜ ଅନୁସାରେ ଚଳାଇ ପାରୁଥିଲାବେଳେ ସଜ୍ଜନମାନଙ୍କ ଉଦାସୀନତା ଓ ଏକାତ୍ମତାର ଅଭାବ ସମାଜକୁ ଅସ୍ତବ୍ୟସ୍ତ ଅବସ୍ଥାକୁ ନେଇଆସିଛି ବୋଲି ମହନ୍ତ ଶ୍ରୀ ରାମକୃଷ୍ଣ ଦାସ ମହାରାଜ ମତବ୍ୟକ୍ତ କରିଥିଲେ । ଆଗାମୀ ଦିନରେ ଏଥିପାଇଁ ସାଧୁସନ୍ଥମାନଙ୍କ ସହ ସଭ୍ୟସମାଜ ଆଗକୁ ଆସିବା ପାଇଁ ସେ ଆହ୍ୱାନ ଦେଇଥିଲେ । ଏ ଅଭିଯାନରେ ଅଧିକରୁ ଅଧିକ ଲୋକମାନଙ୍କ ସହଭାଗୀତା ପାଇଁ ଏକ ଯୁବଗୋଷ୍ଠୀକୁ ଷ୍ଟିଅରିଂ କମିଟି ରୂପେ ଚୟନ କରାଯାଇଥିଲା । ଏଥିରେ ଅନ୍ୟ ସମାଜିକ କର୍ମୀମାନଙ୍କ ମଧ୍ୟରେ ଯୋଗାଚାର୍ଯ୍ୟ ଡ଼ଃ ବିଶ୍ୱରଞ୍ଜନ ରଥ , ଆଇନଜୀବି ଶରତ କୁମାର ନାୟକ, ଡ଼ଃ ପ୍ରମୋଦ କୁମାର ବିଶ୍ବାଳ , କମଳାକାନ୍ତ ପତି, ଗଙ୍ଗାଧର ପାଣିଗ୍ରାହୀ, ବେଣୁଧର ପାଣିଗ୍ରାହୀ, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।