ତ୍ରୁଟିପୂର୍ଣ୍ଣ ଆଟ୍ରୋସିଟି ଆଇନ ଉଚ୍ଛେଦ ଦାବିରେ ବିକ୍ଷୋଭ

ଟ୍ୱିନ୍ ସିଟି
  • 2018-11-22 09:40:32
  • 272

କାନଭାସ୍ ଓଡିଶା(ବ୍ୟୁରୋ) : ଜାତିଗତ ବିଦ୍ୱେଷ ଉପରେ ଆଧାରିତ ତ୍ରୁଟିପୂର୍ଣ୍ଣ ଆଟ୍ରୋସିଟି ଆଇନକୁ ରଦ୍ଦ କରିବା ଦାବି ନେଇ ଆଜି ଇଣ୍ଡିଆ ଏଗନେଷ୍ଟ ରିଜର୍ଭେସନ , ୟୁଥ ଫର ଇକ୍ୱାଲିଟି , ଓବିସି ଓ ସାଧାରଣ ବର୍ଗ ସମନ୍ୱୟ ସମିତି ପକ୍ଷରୁ ଭୁବନେଶ୍ୱର ମାଷ୍ଟର କ୍ୟାଣ୍ଟିନଠାରେ ବିକ୍ଷୋଭ ପ୍ରଦର୍ଶନ କରାଯାଇଥିଲା । ଏଥିରେ ସମାଜର ବିଭିନ୍ନ ବର୍ଗର ଲୋକମାନେ ଯୋଗଦେଇ ମିଛ ଜାତିଗତ ଆଟ୍ରୋସିଟି ଆଇନର ଭୟାବହତା ଉପରେ ନିଜ ନିଜର ପ୍ରତ୍ୟକ୍ଷ ଅନୁଭୂତି ବୟାନ କରିଥିଲେ । କିଭଳି ଖଳ ପ୍ରକୃତିର ଲୋକମାନେ ଏହାର ଦୁରୁପଯୋଗ କରି ସାଧାରଣ ଲୋକଙ୍କ ଜୀବନକୁ ଅସ୍ତବ୍ୟସ୍ତ କରିପକାଉଛନ୍ତି ତା' ଉପରେ ତୀବ୍ର ପ୍ରତିକ୍ରିୟା ରଖିଥିଲେ । ବିକ୍ଷୋଭରେ ନିଜ ପ୍ରତିକ୍ରିୟା ରଖି ଇଣ୍ଡିଆ ଏଗନେଷ୍ଟ ରିଜର୍ଭେସନ ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ସରକାରଙ୍କ ଏଇ ଅସଭ୍ୟ ଅନ୍ଧ ଆଇନର କଡ଼ା ସମାଲୋଚନା କରି କହିଲେ ଯେ କୌଣସି ଅଭିଯୋଗ ଆସିଲେ ମଧ୍ୟ ଅଭିଯୁକ୍ତ ବ୍ୟକ୍ତିଙ୍କୁ ନିଜର ପକ୍ଷ ରଖିବା ପାଇଁ ଦିଆଯାଇଥାଏ । ଏପରିକି ଦେଶଦ୍ରୋହ ଅପରାଧରେ ମଧ୍ୟ ଅପରାଧୀଙ୍କୁ ନିଜର ପକ୍ଷ ରଖିବାକୁ ପର୍ଯ୍ୟାପ୍ତ ଆଇନଗତ ବ୍ୟବସ୍ଥା ରଖାଯାଇଛି । ଅଥଚ ଜାତିଗତ ଆଟ୍ରୋସିଟି ଆଇନରେ ସେ ସୁଯୋଗ ମଧ୍ୟ ନାହିଁ । ଏକ ସଭ୍ୟ ସଚ୍ଚୋଟ ସାଧାରଣ ବର୍ଗ ଲୋକକୁ କେବଳ ଗୋଟିଏ ମିଛ ଆଟ୍ରୋସିଟି ପକାଇ ଛ' ମାସ ଜେଲରେ ପୂରାଇଦେଲା ଭଳି ବ୍ୟବସ୍ଥା ପୃଥିବୀର କୌଣସି ଦେଶରେ ନାହିଁ । ଏଭଳି ଅସଭ୍ୟ ଆଇନର ବ୍ୟାପକ ଦୁରୁପଯୋଗ ପ୍ରମାଣ ପାଇଲା ପରେ ହିଁ ସୁପ୍ରିମକୋର୍ଟ ଏହା ଉପରେ ସଂଶୋଧନ ଆଣିଥିଲେ । ଯେପରି କି କୌଣସି ଭଦ୍ରବ୍ୟକ୍ତି ଏଇ ଅନ୍ଧ ଆଇନର ଶୀକାର ନହେଉ । କିନ୍ତୁ ସମସ୍ତ ସ୍ୱାର୍ଥୀ ନେତାମାନେ କେବଳ ସେଇ ନିର୍ଦ୍ଦିଷ୍ଟ ବର୍ଗର ଭୋଟ୍ ପାଇବା ପାଇଁ ପୁଣି ସେଇ ଅନ୍ଧ ଆଇନକୁ ପୁନର୍ବାର ବଳବତ୍ତର କରାଇବା କେବଳ କ୍ଷମତାର ଦୁରୁପଯୋଗ ନୁହେଁ ଅଧିକନ୍ତୁ ସର୍ବସାଧାରଣ ସାମ୍ନାରେ ସୁପ୍ରିମକୋର୍ଟର ଅପମାନ କରିବା ସଦୃଶ ଥିଲା । ଏହା କେବଳ ସୁପ୍ରିମକୋର୍ଟର ଅପମାନ ନୁହେଁ ବରଂ ସମଗ୍ର ଦେଶରେ ଥିବା ସମସ୍ତ ଆଇନଜୀବିଙ୍କ ପାଇଁ ଏକ ଆହ୍ୱାନ ବୋଲି ସେ କହିଛନ୍ତି । ନିଜ ନିଜର ପେଶା ପ୍ରତି ସ୍ୱାଭିମାନ ରଖୁଥିବା ପ୍ରତ୍ୟେକ ଆଇନଜୀବି ଏ ବିଷୟକୁ ଅତ୍ୟନ୍ତ ଗମ୍ଭୀରତାପୂର୍ବକ ନେବା ଆବଶ୍ୟକ । ଦୁଃଖ ଓ ପରିତାପର ବିଷୟ ଯେ ସୁପ୍ରିମକୋର୍ଟର ଏଇ ଅପମାନ ସମୟରେ ଅନେକ ଆଇନଜୀବି ପାର୍ଲିଆମେଣ୍ଟର ସଦସ୍ୟ ଥିଲେ ଏବଂ ଏବେ ମଧ୍ୟ ଅଛନ୍ତି । ଏଭଳି ନିର୍ଲଜ୍ଜ ସାଂସଦମାନଙ୍କୁ ଆଗାମୀ ନିର୍ବାଚନ ସମୟରେ ସଚେତନ ନାଗରିକମାନେ ନିଶ୍ଚୟ ପ୍ରଶ୍ନ କରିବାକୁ ସେ ଆହ୍ୱାନ କରିଥିଲେ । ଜାତିଗତ ଆକ୍ରୋଶମୂଳକ ଆଟ୍ରୋସିଟି ଆଇନ ହିନ୍ଦୁ ସମାଜକୁ ଭାଙ୍ଗି ଖଣ୍ଡ ଖଣ୍ଡ କରିବା ପାଇଁ ଏକ ଷଡ଼ଯନ୍ତ୍ର ବୋଲି ଅଭିଯୋଗ କରିଥିଲେ ଆଧ୍ୟାତ୍ମିକ ଗୁରୁ ସୀତାରାମ ଶତପଥୀ । ଜଗନ୍ନାଥ ସଂସ୍କୃତିରେ ଉଦବୁଦ୍ଧ ଓଡ଼ିଶା ମାଟିରେ ଗୋଟିଏ ମହାପ୍ରସାଦ କୁଡୁଆରୁ ବ୍ରାହ୍ମଣଠାରୁ ଆରମ୍ଭ କରି ଚଣ୍ଡାଳ ପର୍ଯ୍ୟନ୍ତ ସମସ୍ତେ ଏକତ୍ର ଭୋଜନ କରିପାରୁଥିବା ବେଳେ ଦିଲ୍ଲୀରେ ବସି ରାଜନୀତି କରୁଥିବା ନେତାମାନେ ଏ ବିଷୟ ହୃଦୟଙ୍ଗମ କରିବା ଉଚିତ । ଦିଲ୍ଲୀରୁ ଶାସନ କରୁଥିବା ନେତାମାନେ କେବଳ ସମାଜରେ ଅଶାନ୍ତିଗୁଡ଼ିଏ ସୃଷ୍ଟି କରିବାରେ ଲାଗିଛନ୍ତି ଯାହା ତୁରନ୍ତ ବନ୍ଦ ହେବା ଉଚିତ । ଦେଶରେ ଜାତି , ଧର୍ମ, ବର୍ଣ୍ଣ ନିର୍ବିଶେଷରେ ସମସ୍ତଙ୍କ ପାଇଁ ସମାନ ଆଚାର ସଂହିତା ତୁରନ୍ତ ଲାଗୁ କରିବା ପାଇଁ ସେ ଦାବି କରିଥିଲେ । ଆମେ ସବୁ ଭାରତୀୟ ଭାଈ ଭାଈ , ଏ ଜାତି ଆଟ୍ରୋସିଟି କାହା ପାଇଁ ବୋଲି ସ୍ଲୋଗାନ ଦେଇ ବିକ୍ଷୋଭକାରୀମାନେ ବିଧାନସଭା ଆଡ଼କୁ ଆଗେଇଥିଲେ ଏବଂ ଏ ସମସ୍ୟାର ସମାଧାନ ପାଇଁ ଅନିର୍ଦ୍ଦିଷ୍ଟ କାଳ ପର୍ଯ୍ୟନ୍ତ ଧାରଣାରେ ବସିବେ ବୋଲି କହିଥିଲେ । ଏଥିରେ ଅନ୍ୟମାନଙ୍କ ମଧ୍ୟରେ ରାମକୃଷ୍ଣ କର , ରମେଶ ଚନ୍ଦ୍ର ଦାସ, ସୌଭାଗ୍ୟ କୁମାର ଦାସ, ଉଦ୍ଧବ କର, ବନଜାବାସିନୀ ତ୍ରିପାଠୀ, ନିରଞ୍ଜନ ସାହୁ, ନବକିଶୋର ସାମଲ , ଜାନକୀ ରାଉତ, କମଳାକାନ୍ତ ପତି, ଦୀନବନ୍ଧୁ ଷଡ଼ଙ୍ଗୀ ପ୍ରମୁଖ ଯୋଗ ଦେଇଥିଲେ ।