ମାଲକାନଗିରି ପୋଲିସର ଜୁଆ ଆଡ୍ଡା ଉପରେ ଚଢଉ, ୨୦ଜୁଆଡି ଗିରଫ

ଅପରାଧ
  • 2018-11-21 23:20:56
  • 235

କାନଭାସ୍ ଓଡିଶା(ବ୍ୟୁରୋ) : ପାର୍ବଣ ଋତୁ ଆସିଗଲେ ମାଲକାନଗିରି ଜିଲ୍ଲା ଯେପରି ଉତ୍ସବମୁଖର ହୋଇଉଠେ ୟାରି ସୁଯୋଗ ନେଇ ଗ୍ରାମାଞ୍ଚଳଠାରୁ ଆରମ୍ଭକରି ସହରାଞ୍ଚଳ ପର୍ଯ୍ୟନ୍ତ ଜୁଆଡିମାନେ ମଧ୍ୟ ସକ୍ରିୟ ହୋଇ ଉଠନ୍ତି । ଏହି ଖେଳରେ କିଏ ଜିତେ ତ କିଏ ହାରେ କିନ୍ତୁ ଖେଳ ବନ୍ଦ ହୁଏ ନାହିଁ । ଏମିତି ଜୁଆ ଖେଳରେ ଅନେକ ପରିବାର କ୍ଷତିଗ୍ରସ୍ତ ହେଉଥିବାର ଖବର ପୋଲିସ ପାଖକୁ ବାରମ୍ବାର ଆସୁଥିବା ହେତୁ ଜୁଆ ଖେଳକୁ ଅଙ୍କୁଶ ଲଗାଇବାପାଇଁ ଅଣ୍ଟା ଭିଡିଥିଲା ମାଲକାନଗିରି ପୋଲିସ । ମାଲକାନଗିରି ଜିଲ୍ଲା ଅନ୍ତର୍ଗତ ଏମଭି୨୩ ଗ୍ରାମରେ ମା ଜଗଦ୍ଧାତ୍ରୀ ପୂଜା ଚାଲିଥିବା ବେଳେ ଯାତ୍ରା ପଛପଟେ ଏକ ବଡଧରଣର ବେଆଇନ ଜୁଆଖେଳ ଚାଲୁଥିବାର ମାଲକାନଗିରି ଥାନାପୁଲିସ ନିକଟକୁ ଖବର ଆସିଥିଲା । ଏହି ଖବର ପାଇ ମାଲକାନଗିରି ଥାନା ସବଇନିସ୍ପେକ୍ଟର ସୁଶାନ୍ତକୁମାର ଦାଶଙ୍କ ନେତୃତ୍ୱରେ ପୁଲିସ ସଦଳବଳ ସେଠାରେ ପହଁଚି ଜୁଆ ଆଡ୍ଡା ଉପରେ ଚଢାଉ କରିଥିଲେ । ପୁଲିସଙ୍କୁ ଦେଖି କେତେଜଣ ଜୁଆଡି ଟଙ୍କା ଧରି ଦୈାଡି ପଳାଇଥିବା ବେଳେ ଅନ୍ୟ ମାନେ ପୁଲିସ ଉପରକୁ ଢେଲା ମାଡ କରିଥିଲେ । ଏହି ଘଟଣା ଜାଣିବା ପରେ ଏଓସଡିପିଓ ଶ୍ରବଣବିବେକ ଓ ଅଧିକ ପୁଲିସ ସେଠାରେ ଯାଇପହଁଚି ୨୦ଜଣ ଜୁଆଡିଙ୍କୁ ଗିରଫ କରି ସେମାନଙ୍କ ଠାରୁ ୧୪ଟି ମୋବାଇଲ ଫୋନ ଓ ନଗଦ ୨୬ହଜାର୯୧୦ଟଙ୍କା, ଗୋଟିଏ ଖୁଡୁଖୁଡି ପାଲି, ୬ଟି ଡିସ ଜବତ କରିଥିଲେ । ସେହି ଯାତ୍ରାରେ ଥିବା ଅନ୍ୟମାନଙ୍କୁ ଜୁଆଖେଳ ନାହିଁ ବୋଲି ପୁଲିସ ବୁଝାଉଥିବା ବେଳେ ହଟାତ କେହି ଜଣେ ବିଦ୍ୟୁତ ଲାଇନ କାଟିଦେଇ ଅନ୍ଧାର କରିଦେଇଥିଲା । ସେହି ଅନ୍ଧାରର ସୁଯୋଗ ନେଇ କିଛି ଜୁଆଡି ପୁଲିସଙ୍କ ଉପରକୁ ବଡ ବଡ ପଥର ଢେଲା ମାଡକରି ଗିରଫ ହୋଇଥିବା ଲୋକମାନଙ୍କୁ ପୁଲିସ ନିକଟରୁ ଛଡାଇ ନେବାକୁ ଚେଷ୍ଟାକରିଥିଲେ । ଏହି ଢେଲା ମାଡରେ ତିନିଜଣ ପୁଲିସ କର୍ମଚାରି ଆହତ ହେବା ପରେ ନିଜର ସୁରକ୍ଷା ଓ ଆତ୍ମରକ୍ଷାପାଇଁ ପୁଲିସ ପକ୍ଷରୁ ଦୁଇରାଉଣ୍ଡ ଫାଙ୍କା ଗୁଳିଚାଳନା କରାଯାଇଥିଲା । ଏହି ଗୁଳିଚାଳନାରେ କାହାର କିଛି କ୍ଷତି ଘଟିନଥିବା ବେଳେ ଯାତ୍ରାରେ ଥିବା ଲୋକମାନେ ଭୟରେ ଧାଁ ଦୈାଡ କରିଥିଲେ ଓ ଢେଲା ମାରୁଥିବା ଦୁର୍ବୃତ ମାନେ ଲୁଚିପଳାଇ ଥିଲେ । ପରେ ଏସଡିପିଓ ଓ ଅନ୍ୟପୁଲିସ ଅଧିକାରୀ ମାନେ ସେହି ଯାତ୍ରାରେ ଥିବା ଗ୍ରାମବାସୀ ମାନଙ୍କୁ ବୁଝାଇ ପରିସ୍ଥିତି ଶାନ୍ତ କରି ଗିରଫ ହୋଇଥିବା ୨୦ଜଣ ଜୁଆଡିଙ୍କୁ ଥାନାକୁ ଆଣିଥିଲେ । ମାଲକାନଗିରି ଥାନା ପରିସରରେ ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଏସଡିପିଓ ଶ୍ରବଣ ବିବେକ କହିଛନ୍ତିଯେ, ଗତ ଦୁଇ ମାସ ମଧ୍ୟରେ ମାଲକାନଗିରି ଜିଲ୍ଲା ପୁଲିସ ବିଭିନ୍ନ ସ୍ଥାନରେ ଜୁଆ ଆଡ୍ଡା ଉପରେ ଚଢଉ କରି ୧୩୪ ଜଣ ଜୁୁଆଡିଙ୍କୁ ଗିରଫ କରିବା ସହ ୨ଲକ୍ଷ୭୬ହଜାର ଟଙ୍କା ଓ ଶତାଧିକ ମୋଟର ସାଇକେଲ ଜବତ କରାଯାଇଛି । ଏହି ଘଟଣାରେ ଖସି ପଳାଇଥିବା ଅନ୍ୟ ୭ଜଣ ସଂପୃକ୍ତଙ୍କୁ ଖୁବ ଶିଘ୍ର ଗିରଫ କରାଯିବ । ଏହି ସାମ୍ବାଦିକ ସମ୍ମିଳନୀରେ ଡିଏସପି ପ୍ରଦୀପ୍ତ ଦାଶ, ମାଲକାନଗିରି ଥାନା ଆଇଆଇସି ସୌମେନ୍ଧୁ ଶେଖର ତ୍ରୀପାଠୀ ଓ ଅନ୍ୟାନ ପୋଲିସ ଅଧିକାରୀ ମାନେ ଉପସ୍ଥିତ ଥିଲେ । ମାଲକାନଗିରି ଥାନା କେସ ନମ୍ବର ୨୨୮/ ତା.୨୦.୧୧.୨୦୧୮ରିଖ, ଭାରତୀୟ ପିଙ୍ଗଳ କୋର୍ଡ ୩୨୩ / ୩୩୨/୩୩୬/ ୨୯୪/୫୦୬/ ୩୪ ଦଫା ସହ ଆର.ଡବ୍ଲୁୟୁ, ସେକସନ ଓପିଜି ଧାରା ଅନୁସାରେ ୨୦ଜଣ ଙ୍କୁ ଗିରଫ କରା ଯାଇ କୋର୍ଟ ଟାଲାଣ କରାଯାଇଛି । REPORT- SURAJ KUMAR BEHERA, MALKANGIRI, ID NO- CO003