ମହାନଦୀ ଗର୍ଭକୁ ଖସିଲା ଜଗନ୍ନାଥ ବସ୍, ୧୦ମୃତ ୩୦ଗୁରୁତର

ତାଜା ଖବର
  • 2018-11-20 16:43:10
  • 268

କାନଭାସ୍ ଓଡିଶା(ବ୍ୟୁରୋ) : ତାଳଚେରରୁ କଟକ ଅଭିମୁଖେ ଆସୁଥିବା ଏକ ଯାତ୍ରୀବାହୀ ବସ ମହାନଦୀ ଗର୍ଭକୁ ଖସିପଡିବା ଫଳରେ ୧୦ଜଣକର ଜୀବନ ଅକାଳରେ ଚାଲିଯାଇଥିବା ବେଳେ ୩୦ରୁ ଉଦ୍ଧ୍ୱର୍ ଯାତ୍ରୀ ଆହତ ହୋଇଥିବା ସୂଚନା ମିଳିଛି । ମୃତକ ମାନଙ୍କ ମଧ୍ୟରେ ୭ ଜଣ ପୁରୁଷ ଓ ୩ ଜଣ ମହିଳା ଥିବା ସୂଚନା ମିଳିଛି । ମିଳିଥିବା ସୂଚନା ଅନୁସାରେ ଜଗନ୍ନାଥ ନାମକ ଏକ ଯାତ୍ରୀବାହୀ ବସଟି ଜଗତପୁରରୁୁ ଶିଖରପୁର ଆସିବା ସମୟରେ ମହାନଦୀ ପୋଲ ଉପରେ ଏକ ମଇଁଷିକୁ ଧକ୍କା ଦେଇଥିଲା ଯାହା ଫଳରେ ବସଟି ଭାରସାମ୍ୟ ହରାଇ ପ୍ରଥମେ ପୋଲ ବ୍ୟାରିକେଡରେ ମାଡ ହୋଇ ୩୦ଫୁଟ ତଳକୁ ଖସି ପଡିଥିଲା । ଘଟଣା ସ୍ଥଳରେ ଓଡ୍ରାଫ ଟିମ ଓ ଅଗ୍ନିଶମ କର୍ମଚାରୀ କମିଶନରେଟ ପୋଲିସ ପହଞ୍ଚି ଉଦ୍ଧାରକାର୍ଯ୍ୟ କରିଥିଲେ ତା ଛଡା ସ୍ଥାନୀୟ ଯୁବକମାନେ ମଧ୍ୟ ଉଦ୍ଧାର କାର୍ଯ୍ୟରେ ଲାଗିପଡିଥିଲେ । ଲୁହା କଟର ସାହାଯ୍ୟରେ ବସର ବଡି କାଟିବା ସହ ଯାତ୍ରୀମାନଙ୍କୁ ଉଦ୍ଧାର କରି ଦୁଇଟି ବୋଟ ସାହାଯ୍ୟରେ ନଦୀ କୂଳକୁ ଆଣିଥିଲେ । ପରେ ସେଠାରୁ ଆମ୍ବଲାନ୍ସରେ କଟକ ବଡ ମେଡିକାଲକୁ ପଠାଇଥିଲେ । ତେବେ ଅନ୍ଧାର ଯୋଗୁଁ ଉଦ୍ଧାର କାର୍ଯ୍ୟରେ ବାଧା ଉପୁଜିଥିଲା । ଘଟଣାସ୍ଥଳରେ କଟକ ଜିଲ୍ଲାପାଳ ଏବଂ କମିଶନର ଗସ୍ତ କରିବା ସହ ଉଦ୍ଧାର କାର୍ଯ୍ୟ ତଦାରଖ କରିଥିଲେ । ଏ ଖବର ପ୍ରଚାରିତ ହୋଇଯିବା ଫଳରେ ଯାତ୍ରୀ ମାନଙ୍କ ସମ୍ପର୍କୀୟ ତଥା ସ୍ଥାନୀୟ ଜନସାଧାରଣଙ୍କ ବଡ ମେଡିକାଲ ପରିସର ଲୋକାରଣ୍ୟରେ ପରିଣତ ହୋଇଯାଇଛି । ଏହି ଘଟଣାରେ ମୁଖ୍ୟମନ୍ତ୍ରୀ ଦୁଃଖ ପ୍ରକାଶ କରିଛନ୍ତି ।