ରକ୍ତ କର୍କଟ ସହ ଲଢୁଥିବା ମାଲକାନଗିରି ଜିଲ୍ଲାର କୁନି ଝିଅ

EXCLUSIVE
  • 2018-11-19 18:20:36
  • 274

କାନଭାସ୍ ଓଡିଶା(ବ୍ୟୁରୋ) : ଶୈଶବର ଯେଉଁ କଅଁଳ ବୟସରେ କୁନି ଝିଅଟିଏ ସାଙ୍ଗସାଥିଙ୍କ ମେଳରେ ଖେଳି ବୁଲିବା କଥା ଆଜି ସେହି ବୟସରେ ମରଣ ସହ ସଂଗ୍ରାମ କରୁଛି ଜଣେ ୧୨ବର୍ଷିଆ ଝିଅ ଶୃତି । ଘରର ଆର୍ଥିକ ଅବସ୍ଥା ଭଲ ନଥିବାରୁ ପରିବାର ଲୋକେ ଅନାଇ ବସିଛନ୍ତି ସରକାରୀ ସହାୟତାକୁ । ଏ ଦୃଶ୍ୟ ହେଉଛି ମାଲକାନଗିରି ଜିଲ୍ଲା ଅନ୍ତର୍ଗତ କାଲିମେଳା ବ୍ଲକ ଏମଭି ୭୯ ଅଞ୍ଚଳର ନୁଆଗୁଡା ଗ୍ରାମର ରତ କାଞ୍ଚୀମ ଓ ମା ଉଆସିଙ୍କ ଝିଅ ଶୃତି କାଞ୍ଚୀମଙ୍କ ଦୁଃଖ । ଝିଅକୁ ବଞ୍ଚାଇବା ପାଇଁ ପରିବାର ଲୋକେ ସର୍ବସ୍ୱନ୍ତ ହୋଇ ସାରିଲେଣି । ବାପା ଦିନ ମଜୁରିଆ ଭାବେ କାମ କରନ୍ତି । କିଏ ଜାଣିଥିଲା ପାଠ ପଢା ବୟସରେ ଭଗବାନ ଏଭଳି ଏକ ପରିସ୍ଥିତି ଲଦି ଦେବେ ବାପା, ମାଆଙ୍କ ମୁଣ୍ଡ ଉପରେ । ଖେଳିବା, ବୁଲିବା ଆଉ ପାଠ ପଢିବା ବୟସରେ ଶୃତିଙ୍କର ଏଭଳି ଦୟନୀୟ ଜୀବନ ଦେଖିଲା ବେଳେ ସାଙ୍ଗସାଥିଙ୍କ ମନରେ ମଧ୍ୟ କଷ୍ଟ ପାଉଛି । ପରିବାର ଲୋକେ ଶୃତିର ସିକିତ୍ସା ପାଇଁ ଧାର ଉଦ୍ଧାର କରି ଚିକିତ୍ସା କରିସାରିବା ପରେ ମଧ୍ୟ ଆଦୈା ଠିକ ହେଲାନାହିଁ ଶୃତି । ଝିଅର ଅବସ୍ଥା ଦିନକୁ ଦିନ ଅଧିକ ବିଗିଡିବାରେ ଲାଗିଛି । ଝିଅର ଏଭଳି ଅବସ୍ଥା ଦେଖି ଭାଙ୍ଗି ପଡିଲେଣି ଉଭୟ ବାପା ଆଉ ମା । ଆର୍ଥିକ ସ୍ଥିତି ସ୍ୱଚ୍ଛଳ ନଥିବାରୁ ଝିଅକୁ ଭଲ ମେଡିକାଲରେ ଦେଖାଇ ପାରୁନାହିଁ ବାପା ରତ କାଞ୍ଚୀମ । ଏପଟେ ପେଟ ପାଇଁ ଚିନ୍ତା ତ ସେପଟେ ଝିଅର ଦୁଃଖ । ଆର୍ଥିକ ସହାୟତାକୁ ଆଶା କରି ଅଛନ୍ତି ଏ ପରିବାର । ଆଉ ସେ ଆଶା କେବଳ ବଞ୍ଚିବା ପାଇଁ । ମୃତ୍ୟୁର ପଞ୍ଝା କୁହାଯାଉଥିବା କ୍ୟାନସର ରୋଗରୁ ନୁଆ ଜୀବନ ଫେରି ପାଇବାର ଆଶା । କିନ୍ତୁ ଏହି ଆଶା ଅଟକିଯାଇଛି ସେହି ଟଙ୍କା ପାଖରେ । ଆଉ ଏଥିପାଇଁ ଦୀର୍ଘ ଦିନ ଧରି ଜୀବନ ସହ ଲଢୁଥିବା ୧୨ବର୍ଷର କୁନି ଝିଅ ଏବେ ସରକାରୀ ସାହାଯ୍ୟ ବାଟକୁ ଚାହିଁ ବସିଛନ୍ତି । ସରକାର କି ସାଧାରଣ ଲୋକେ ଥରେ ମନଖୋଲିଦେଲେ କୁନି ଝିଅଟି ଜୀବନ ସାରା ମନଭରି ହସିପାରିବ । କାରଣ ମୃତ୍ୟୁର ପଞ୍ଝା ମଧ୍ୟରୁ ବାହାରିବା ପାଇଁ କେବଳ ଗୋଟିଏ ପାହାଚ ବାକି ଅଛି । ଆଉ ସେହି ପାହାଚକୁ ଟଙ୍କା ରୂପି ରାକ୍ଷାସ ବନ୍ଦ କରି ରଖିଛି । ଆଉ ସେହି ପାହାଚ ଡେଇଁ ନୂଆ ଜୀବନ ଜିଇଁବାକୁ ଆଶା ରଖିଛି ୧୨ବର୍ଷୀୟ କୁନି ଝିଅ ସୃତି କାଞ୍ଚୀମ । REPORT- SURAJ KUMAR BEHERA, MALKANGIRI, ID NO- CO003