ଖୋର୍ଦ୍ଧା ପୁସ୍ତକମେଳାର ଷଷ୍ଠ ସନ୍ଧ୍ୟା

ସାହିତ୍ୟ
  • 2018-11-13 19:55:44
  • 251

କାନଭାସ୍ ଓଡିଶା(ବ୍ୟୁରୋ) : ଖୋର୍ଦ୍ଧା ସାହିତ୍ୟ ସଂସଦ ଆନୁକୁଲ୍ୟରେ ପୁସ୍ତକମେଳା ପରିସରରେ ‘ଦେଶର ସୁରକ୍ଷାରେ ସାହିତ୍ୟର ଅବଦାନ’ ଶୀର୍ଷକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଥିଲା । ସାଂପ୍ରତିକ ସମୟରେ ଦେଶପ୍ରେମ ମୂଳକ ସାହିତ୍ୟ ରଚନା ଅଭାବରୁ ରାଷ୍ଟ୍ରୀୟ ସଂହତି ମୂଲ୍ୟବୋଧ ବିପନ୍ନ ହୋଇପଡିଛି ବୋଲି ନିମନ୍ତ୍ରିତ ଅତିଥିମାନେ ଆଲୋଚନା କରିଥିଲେ । ସାହିତ୍ୟ ହିଁ ରାଷ୍ଟ୍ର ନିର୍ମାଣ ଓ ରାଷ୍ଟ୍ର ପ୍ରଗତି କ୍ଷେତ୍ରରେ ଏକ ଗୁରୁତ୍ୱପୂର୍ଣ୍ଣ ଭୂମିକା ଗ୍ରହଣ କରିଥାଏ । ଅତୀତରେ ବିଶ୍ୱର ମହାନ କବି ଓ ଲେଖକ ମାନେ ସେମାନଙ୍କର ସୃଜନଶୀଳତା ମାଧ୍ୟମରେ ରାଷ୍ଟ୍ରରେ ନବଜାଗରଣ ସୃଷ୍ଟି କରିବା ସହ ରାଷ୍ଟ୍ରରେ ଶାନ୍ତି, ସଂହତି, ସୁରକ୍ଷା ଓ ମୂଲ୍ୟବୋଧ ଜାଗରଣ କରିପାରିଛି । ଖୋର୍ଦ୍ଧା ସାହିତ୍ୟ ସଂସଦର ସଭାପତି ପ୍ରଧ୍ୟାପକ ଗୋପାଳକୃଷ୍ଣ ଦାସଙ୍କ ପୈାରହିତ୍ୟରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ପ୍ରଖ୍ୟାତ କଥାକାର ଡକ୍ଟର ପଦ୍ମଜପାଳ ମୁଖ୍ୟ ଅତିଥି, ଔପନ୍ୟାସିକ ଶେତପଦ୍ମାସିନୀ ମହାନ୍ତି-ମୁଖ୍ୟବକ୍ତା, ଆଇନଜୀବୀ ଶିବସୁନ୍ଦର ପଟ୍ଟନାୟକ, ବୈକୁଣ୍ଠନାଥ ରାଜଗୁରୁ, ଗାଳ୍ପିକ ତପନ ମହାପାତ୍ର, କବି ଗୋବିନ୍ଦ ମହାରଣା, ପ୍ରଫୁଲ୍ଲ ସାମନ୍ତରାୟ, ଡଃ କୈଳାସ ଚନ୍ଦ୍ର ମହାରଣା, କବି ବିଭୂ ପ୍ରସାଦ ହରିଚନ୍ଦନ, ଅତିଥିମାନେ ଆଲୋଚନା ଚକ୍ରରେ ଭାଗ ନେଇ ନିଜ ନିଜର ମନ୍ତବ୍ୟ ଉପସ୍ଥାପନା କରିଥିଲେ । ଏହି ଅବସରରେ ନିଳାଦ୍ରୀ ଜଗଦ୍ଦେବ ଓ ପ୍ରମୋଦ କୁମାର ନନ୍ଦଙ୍କ ସଂଯୋଜନାରେ ଦୂରଦୂରନ୍ତରାରୁ ଆସିଥିବା କବିମାନେ କବିତାପାଠ କରିଥିଲେ । ଶେଷରେ ସଂସଦର ସଂପାଦକ ଧିରେନ୍ଦ୍ର ନନ୍ଦ ଧନ୍ୟବାଦ ଅର୍ପଣ କରିଥିଲେ ।