ମାନସିକ ବିକାରଗ୍ରସ୍ତ ଝିଅର ଚିକିତ୍ସାରେ ଅର୍ଥ ସାଜିଛି ବାଧକ

EXCLUSIVE
  • 2018-11-12 13:45:30
  • 273

କାନଭାସ୍ ଓଡିଶା(ବ୍ୟୁରୋ) : ମାନସିକ ରୋଗରେ ବିକାରଗ୍ରସ୍ତ କୁମୁଦିନୀ । ଜନ୍ମରୁ ୧୩ ବର୍ଷ ହେଲାଣି । ଯେଉଁ ବୟସରେ ସାଥି ପିଲାଙ୍କ ସହିତ ମିଶି ବିଦ୍ୟାଳୟ ମୁହାଁ ହେବା କଥା ଆଜି ସମାଜ ପାଇଁ ପାଲଟି ଯାଇଛନ୍ତି ଅଲୋଡ଼ା । ଅର୍ଥ ନ ଥିବାରୁ ଡାକ୍ତରଙ୍କ ପରାମର୍ଶ କରି ପାରୁନାହାନ୍ତି ବାପାମା । ମାନସିକ ରୋଗରେ ପୀଡିତ ଝିଅର ସ୍ୱାସ୍ଥ୍ୟବସ୍ଥା ସ୍ୱାଭାବିକ ନଥିବାରୁ ଦୁଃଖରେ ଭାଙ୍ଗି ପଡିଛନ୍ତି ବାପା । ଆଖିରୁ ଲୁହ ଶୁଖୁନି , ସେ ଭଲ ହେବା ଚିନ୍ତାରେ ଏବେ ପରିବାର । ଚାହିଁ ରହିଛନ୍ତି ସରକାରୀ ସହାୟତାକୁ । ଆଶା ସରକାର ନିଶ୍ଚୟ ଶୁଣିବେ , ଆଉ ଝିଅ ତାଙ୍କର ସ୍ୱାଭାବିକ ଅବସ୍ଥାକୁ ପୁଣି ଫେରି ଆସିବ । ଏ ହେଉଛି ଆଦିବାସୀ ଅଧ୍ୟୁଷିତ ମାଲକାନଗିରି ଜିଲା ମାଥିଲି ବ୍ଲକ ଅନ୍ତର୍ଗତ ଦଳପତିଗୁଡା ପଞ୍ଚାୟତ ଅଧୀନ ମେଣ୍ତକୁଲି ଗ୍ରାମର ବଳି ପୂଜାରୀଙ୍କ ମାନସିକ ବିକାରଗ୍ରସ୍ତ ଝିଅ କୁମୁଦିନୀଙ୍କ କରୁଣ କହାଣୀ । ପିଲାଟି ଦିନରୁ କୁମୁଦିନୀ ମାନସିକ ଭିନ୍ନକ୍ଷମ । ଦେଖୁ ଦେଖୁ ୧୩ ବର୍ଷ ବିତିଗଲାଣି । ପରିବାର ଲୋକଙ୍କ ଭରସାରେ କୁମୁଦିନୀ ଜୀବନ ବିତାଉଛନ୍ତି । ଝିଅ ମୁହଁରେ ହସ ଆଣିବା ପାଇଁ ବାପା ରାସ୍ତାରେ ଯାଉଥିବା ଲୋକଙ୍କୁ ଦେଖାଇ ବିଭିନ୍ନ କୌତୁକିଆ କଥା କହି ଅପ୍ରାଣ ଉଦ୍ୟମ କରିଥାନ୍ତି । କୁମୁଦିନୀଙ୍କ ଏପରି ଅବସ୍ଥା ସମ୍ପର୍କରେ ମାଥିଲି ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନିଆଯାଇଥିଲା।  ମାତ୍ର  ଜଣେ ଭଲ ବିଶେଷଜ୍ଞଙ୍କ ପରାମର୍ଶ ନେବାକୁ ସେ କହିଥିଲେ । ସେବେଠାରୁ ବିଭିନ୍ନ ସ୍ବାସ୍ଥ୍ୟକେନ୍ଦ୍ରକୁ ନେଇ ନିରାଶ ହୋଇଛନ୍ତି । ଅର୍ଥ ନ ଥିବାରୁ ଝିଅକୁ ବଡ ମେଡିକାଲ ନେଇପାରୁନାହାନ୍ତି  ବଳି । ଝିଅର ଉଚ୍ଚ ଚିକିତ୍ସା ଲାଗି ପ୍ରଶାସନ ସହାୟତା କରିବାକୁ ପରିବାର ଲୋକେ ଏବଂ ଗ୍ରାମବାସୀ ଅନୁରୋଧ କରିଛନ୍ତି । ଏନେଇ  ବିଡିଓ ଆଶିଷ କୁମାର ଭୋଇଙ୍କୁ ପଚାରିବାରୁ ସେ କହିଲେ ଯେ, ଏ ବିଷୟରେ ମୁଁ ଏବେ  ଜାଣିବାକୁ ପାଇଲି । କୁମୁଦିନୀଙ୍କ ଉଚ୍ଚ ଚିକିତ୍ସା ଲାଗି ଉପର  ଅଧିକାରୀଙ୍କ ସହିତ ଆଲୋଚନା କରି ପଦକ୍ଷେପ ନେବି ବୋଲି ବିଡିଓ ଭୋଇ କହିଛନ୍ତି । REPORT- SURAJ KUMAR BEHERA, MALKANGIRI, ID NO- CO003