‘ସାମାଜିକ କର୍ମୀଙ୍କ ଗିରଫଦାରୀ ବେଆଇନ’- ଶ୍ରୀ ଅଖଣ୍ଡ, ମାନବାଧିକାର କର୍ମୀ

ଟ୍ୱିନ୍ ସିଟି
  • 2018-11-09 19:10:51
  • 334

କାନଭାସ୍ ଓଡିଶା(ବ୍ୟୁରୋ) : ପୋଲିସ୍ ଅଧିକାରୀଙ୍କ ଦାଦାଗିରି ବିରୋଧରେ ସୋସିଆଲ୍ ମିଡିଆରେ ଲେଖିଥିବାରୁ ଜଣେ ସାମ୍ବାଦିକ ତଥା ସାମାଜିକ କର୍ମୀ ରବିନ୍ଦ୍ର କୁମାର ଦାଶଙ୍କୁ ଗିରଫ କରିବା ଓ ଅନ୍ୟ ୭ ଜଣଙ୍କ ନାମରେ ମାମଲା ରୁଜୁ କରିବା ଘଟଣାକୁ ମାନବାଧିକାର କର୍ମୀମାନେ ନିନ୍ଦା କରିବା ସହ ସେମାନଙ୍କ ବିରୋଧରେ ହୋଇଥିବା ମାମଲା ତୁରନ୍ତ ପ୍ରତ୍ୟାହାର ପାଇଁ ଦାବି କରିଛନ୍ତି । ଯାଯପୁର ରୋଡ୍ ଥାନା ଆଇଆଇସି ଅମିତାଭ ମହାପାତ୍ରଙ୍କ ବେଆଇନ ଓ ଦୁର୍ନିତିମୂଳକ କାର୍ଯ୍ୟକୁ ସୋସିଆଲ୍ ମିଡିଆରେ ଲୋକଲୋଚନକୁ ଆଣିଥିବାରୁ ରବିନ୍ଦ୍ରଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଗତ ୭ ତାରିଖରେ ପାଣିକୋଇଲି ପୁଲିସ୍ ଗିରଫ କରିବା ଅତ୍ୟନ୍ତ ଦୁର୍ଭାଗ୍ୟଜନକ ବୋଲି ଏମାନେ ଅଭିଯୋଗ କରିଛନ୍ତି । ନିକଟରେ ଏହି ଆଇଆଇସି ଜଣକ ପାଣିକୋଇଲି ଟୋଲଗେଟ୍ ଠାରେ ଜଣେ ପୁଲିସ୍ କନଷ୍ଟେବଳକୁ ଦୁର୍ବ୍ୟହାର ଓ ଅଭଦ୍ର ଭାଷାରେ ଗାଳିଦେବା ଘଟଣାକୁ ରବୀନ୍ଦ୍ର ସୋସିଆଲ୍ ମିଡିଆରେ ପ୍ରକାଶ କରିଥିଲେ । ସଂପୃକ୍ତ ପୁଲିସ୍ କନଷ୍ଟେବଳ ଏସପିଙ୍କ ନିକଟରେ ଅଭିଯୋଗ କରିବା ପରେ ଆଇଆଇସିଙ୍କ ଅଡୁଆ ବଢିଯାଇଥିଲା । କିନ୍ତୁ ତାଙ୍କ ବିରୋଧରେ କୌଣସି ଏତଲା ଦିଆଯାଇନଥିଲା । ଏଥିରୁ ବର୍ତିବା ପାଇଁ ସଂପୃକ୍ତ ଆଇଆଇସି ଅନ୍ୟ ପୁଲିସ୍ ଥାନାର ଅଧିକାରୀ ସହ ମିଶି ଯୋଜନାବଦ୍ଧ ଭାବେ ନିଜେ ପାଣିକୋଇଲି ଥାନାରେ ଗତ ୩୦ ଅକ୍ଟୋବରରେ ଏତଲା ଦେଇଥିଲେ । ଏହି ଘଟଣାରେ ତଥ୍ୟ ଅନୁସନ୍ଧାକାରୀ ଦଳରେ ଯାଇଥିବା ତପନ ପାଢୀ ଅଭିଯୋଗ କରିଛନ୍ତି ଯେ, ସୁପ୍ରିମକୋର୍ଟଙ୍କ ସବୁ ଗାଇଡଲାଇନ୍ ଉଲଂଘନ କରି ରବୀନ୍ଦ୍ରଙ୍କୁ ଗିରଫ କରାଯାଇଛି । ସୋସିଆଲ୍ ମିଡିଆ ପୋଷ୍ଟିଂ ସମ୍ପର୍କରେ କୌଣସି ତଦନ୍ତ କରାଯାଇନାହିଁ କିମ୍ବା ରବିନ୍ଦ୍ରଙ୍କୁ ପୁଲିସ୍ ଗିରଫ ପୂର୍ବରୁ କିଛି ପଚରାଉଚରା କରିନାହିଁ । ଯେମିତିକି ଗିରଫ କରିବା ସମୟରେ କାହିଁକି ଗିରଫ କରାଯାଉଛି, ତାହା କୁହା ଯାଇନଥିଲା । ଗିରଫ କରିବା ପରେ ତାଙ୍କ ପରିବାର ବା କୌଣସି ସମ୍ପର୍କୀୟଙ୍କୁ ଜଣାଇନଥିଲେ । ନିଜେ ଆଇଆଇସି ଏତଲା ଦେବା ପରେ ଯାଜପୁର ଥାନା ପୁଲିସ୍ ତାଙ୍କୁ ଅକ୍ଟୋବର ୭ ଦ୍ୱିପହର ସମୟରେ ଗିରଫ କରିଥିଲା । ସେହି ରାତିରେ ଥାନାରେ ରଖି ଅମିତାଭ ମହାପାତ୍ର ଓ ଥାନାର ଅନ୍ୟ କର୍ମଚାରୀମାନେ ତାଙ୍କୁ ନିସ୍ତୁକ ମାଡ ମାରିବା ସହ ପୁଲିସ୍ ବିରୋଧରେ କାହିଁକି ଲାଗୁଛ ବୋଲି କହି ଅଭଦ୍ର ଭାଷାରେ ଗାଳି କରିଥିଲେ । ଏହି କଥା ତଥ୍ୟ ଅନୁସନ୍ଧାନ ଟିମଙ୍କ ଆଗରେ କହିବା ବେଳେ ରବିନ୍ଦ୍ର କାନ୍ଦି ପକାଇଥିଲେ । ପାଣିକୋଇଲି ଥାନା ଅଧିକାରୀ ଗିରଫ ସମୟର ମେମୋ ଅଫ୍ ଆରେଷ୍ଟ ମଧ୍ୟ ଦେଖାଇପାରିନଥିଲା । ରବିନ୍ଦ୍ରଙ୍କୁ କେଉଁଠି ରଖାଯାଇଛି ପଚାରିବାରେ ଥାନା ଅଧିକାରୀ ଅସ୍ପଷ୍ଟ ଓ ବିଭ୍ରାନ୍ତିକର ତଥ୍ୟ ଦେଇଥିଲେ । ପରେ ତଥ୍ୟ ଅନୁସନ୍ଧାନକାରୀ ଦଳ ରବିନ୍ଦ୍ରଙ୍କୁ କୋରେଇ ଥାନାରେ ଅଟକ ରଖାଯାଇଥିବା ଦେଖି ତାଙ୍କୁ ଭେଟିଥିଲେ । ତାଙ୍କ ବିରୋଧରେ ଲଗାଯାଇଥିବା ସମସ୍ତ ଦଫା ଭିତିହୀନ ଓ ଥାନାରେ ଜାମିନିଯୋଗ୍ୟ ହୋଇଥିବାବେଳେ ତାଙ୍କୁ ଉଦ୍ଦେଶ୍ୟମୂଳକ ଭାବେ ଜେଲ୍ ପଠାଇଦିଆଯାଇଛି । ପୁନଶ୍ଚ ଅ।।ଇଟି ଆକ୍ଟ ଧାରାଗୁଡିକ ମଧ୍ୟ ଏଠାରେ ପ୍ରଯୁଜ୍ୟ ନୁହେଁ । ଯାହା ମାନବାଧକାର ଓ ସାମ୍ବିଧାନିକ ଅଧିକାରକୁ କ୍ଷୁର୍ଣ୍ଣ କରୁଛି ବୋଲି ସାମ୍ବାଦିକ ସମ୍ମିଳନୀରେ ଚନ୍ଦ୍ରନାଥ ଦାନୀ, ଅଖଣ୍ଡ ପ୍ରମୁଖ ମାନବାଧିକାର କର୍ମୀ ଅଭିଯୋଗ କରିଛନ୍ତି ।