ଅନ୍ଧ ବିଶ୍ୱାସର ନକ୍ସା ଓ ଆଜିର ମାନସିକତା

ଶାଣିତ ସ୍ୱର
  • 2018-11-08 06:20:34
  • 501

କାନଭାସ୍ ଓଡିଶା(ବ୍ୟୁରୋ) : ଅନ୍ଧ ବିଶ୍ୱାସର ଚରମ ପରିଣତି କେତେଯେ ଭୟଙ୍କର ହୋଇପାରେ ତାହାର ଲୋମଟାଙ୍କୁରା ଘଟଣାମାନ ଆପଣମାନେ ସମ୍ବାଦ ପେପର ମାନଙ୍କଠାରୁ ନିଶ୍ଚୟ ପଢିଥିବେ । ଅନ୍ଧବିଶ୍ୱାସ ଆଗରେ ହାରିଯାଉଛି ମଣିଷର ମାନବିକତା । ଅନ୍ଧବିଶ୍ୱାସର ବିଷବଳୟ ଭିତରେ ଗତିକରୁଛି ଆଜିର ସମାଜ, ପରମ୍ପରା ଆଉ ପ୍ରଥା ନାମରେ ଘଟେଇ ଚାଲୁଛି ଅଘଟଣ । ବଲାଙ୍ଗିର କାହିଁକି ଆଜି ବି ବହୁ ଅଞ୍ଚଳରେ ବଳି ପ୍ରଥା ଏବେ ବି ଜୀବିତ । ଦୁଃଖ ଲାଗେ ଯେତେବେଳେ ଶିକ୍ଷିତ ଯୁବବର୍ଗ ଏହାକୁ ବିରୋଧ କରିବା ପରିବର୍ତ୍ତେ ସମର୍ଥନ କରନ୍ତି । ଏହା ସ୍ପଷ୍ଟ ଯେ ଗୋଟିଏ ବଳି ପଛରେ ଗୋଟିଏ ବ୍ୟକ୍ତି ବିଶେଷ କି ଗୋଟିଏ ଗୋଷ୍ଠି କିବା ଗୋଟିଏ ଅନୁଷ୍ଠାନ ନୁହେଁ ଏକାଧିକ ହାତ ଥିବା ମନେ ହୁଏ । ନରବଳି ଠୁ ପାଣିକଖାରୁ ବା କୁଷାଣ୍ଢ ବଳିଯାଏଁ ଯଦି ଏଭଳି ବଳିପ୍ରଥାକୁ ହିନ୍ଦୁଧର୍ମ ବୋଲି ଆଖ୍ୟା ଦିଆଯାଏ ତେବେ ଏହା ଭୁଲ ବୋଲି ମୁଁ ଭାବେ । ଏଭଳି ବଳିପ୍ରଥାକୁ ପ୍ରୋତ୍ସାହନ ଦିଆଯାଉଥିବା ପୀଠ ମାନଙ୍କୁ ଭାଙ୍ଗି ଦେଇ ମାଟିରେ ମିଶାଇ ଦେବା ଉଚିତ । ଯଦି ଗୋଟିଏ ସନ୍ତ୍ରାସବାଦ ଆଡାକୁ ଭାଙ୍ଗିଦିଯାଇ ପାରୁଛି, ଯଦି ଗୋଟିଏ ସ୍ଥାନରେ ଚାଲୁଥିବା ସେକ୍ସରାକେଟ୍ କୁ ଭଙ୍ଗାଯାଉଛି, ତାହେଲେ ଏହି ଅସାମାଜିକ ଅତ୍ୟାଚାରିତ ଅନୁଷ୍ଠାନକୁ କଣ ପାଇଁ ଭଙ୍ଗାଯିବ ନାହିଁ ? କଣ ପାଇଁ ଏହା ଆଇନ୍ ସମ୍ମତ ହେବନି ? ଯଦି କୁହାଯାଏ କାହାରି ଧର୍ମକୁ ଆକ୍ଷେପ କରାଯିବନି ସମ୍ବିଧାନ ଦ୍ବାରା, ତାହେଲେ ମୁଁ କହିବି ଏହି ବଳିପ୍ରଥା ଆମ ହିନ୍ଦୁଧର୍ମକୁ କଳୁସିତ କରୁଛି । ଆମ ଧର୍ମର ସ୍ଥାୟୀତ୍ବ ପ୍ରତି ପ୍ରଶ୍ନବାଚୀ ସୃଷ୍ଟି କରୁଛି । ଖାଲି ହିନ୍ଦୁ ଧର୍ମ କାହିଁକି ସମଗ୍ର ଭାରତରେ ବସବାସ କରୁଥିବା ସବୁ ଧର୍ମକୁ ଏହା ଏକ ଲଜ୍ଜା । ଏଣୁ ଅନ୍ୟଧର୍ମକୁ ଆକ୍ଷେପ କରୁଥିବା ଅନୁଷ୍ଠାନକୁ ତୁରନ୍ତ ନଷ୍ଟ କରାଯାଉ । ଯେଉଁମାନେ ନିଜ ଅଞ୍ଚଳରେ ନରବଳି ନାହିଁ ବୋଲି ଚୁପ୍ ହେଇ ବସିଛନ୍ତି ସେମାନଙ୍କ ପାଇଁ - "ଆପଣଙ୍କ ଅଞ୍ଚଳରେ ଏଯାଏ ମାଛବଳି, ପଶୁବଳି, କୁକୁଡା ବଳି ତଥା ପାଣିକଖାରୁ ବଳି ଚାଲିନି କି?? ଏହି ଛୋଟ ବଳି ହିଁ ଗୋଟିଏ ବଡ ବଳି ପକାଇବାକୁ ନିଶ୍ଚୟ କୋଉଠି ନା କୋଉଠି ପ୍ରେରଣା ଦିଏ । ପ୍ରଥମେ ମଣିଷ ବଳିପ୍ରଥା ପ୍ରଚଳନ ବେଳେ ଛୋଟରୁ ହିଁ ନିଜ କ୍ଷମତା ବିସ୍ତାର କରିଛି । ଯଦି ଏହି ଛୋଟବଳିକୁ ପ୍ରୋତ୍ସାହନ ଦେଉଛ ଆଉ ବହୁପରିମାଣରେ ଯାଇ ବଳିଦାନକୁ ଉପଭୋଗ କରୁଛ, ତାହେଲେ ଆପଣମାନେ ହିଁ ବଲାଙ୍ଗିରରେ ହେଇଥିବା ନରବଳିର କିଛି ପରିମାଣରେ ଦାୟୀ । କିଛି ଲୋକ ଏଯାଏ ବି ଅଛନ୍ତି କହନ୍ତି ଯେ ଅମକ ଠାରେ ଜଣେ ସମକ ଦେବତା/ଦେବୀ ଅଛନ୍ତି ଯିଏ ରକ୍ତ ପିଅନ୍ତି, ମାସଂ ଖାଆନ୍ତି । ସେମାନେ ବିଭିନ୍ନ ଅଲୌକିକ କଥା ବି ଉଦାହରଣ ଭାବେ ଅବତାରଣା କରନ୍ତି, ମୁଁ ସେମାନଙ୍କୁ ମୁକ୍ତ ଆହ୍ବାନ ଦେଉଛି ଯେ ଯଦି ସେଭଳି କେହି ଦେବାଦେବୀ ଥାଆନ୍ତି ତାହେଲେ ତାଙ୍କ ମୁଣ୍ଡ ଉପରେ ପାଦ ରଖିବି ଆଉ ତାଙ୍କ ମୁର୍ତ୍ତୀକୁ ଆଣି ପାହାଚ କରିଦେବି ପଛେ ମୁଁ ତାଙ୍କୁ ଦେବତାର ସମ୍ମାନ ଦେବିନି । ସେଭଳି ଦେବାଦେବି ଆମର ଆବଶ୍ୟକତା ହିଁ ନାହିଁ, ଯିଏ ନିରୀହର ରକ୍ତ ଶୋଷେ, ନିରୀହର ମାସଂରେ ଭୋକ ମେଣ୍ଟାଏ । ଅନ୍ୟପକ୍ଷରେ ମହିଷାସୁର ବି ଏମିତି କିଛି ଗୁରୁତ୍ବପୂର୍ଣ୍ଣ ଭୁଲ କରିନି ଯେ ସେ ମୃତ୍ୟୁ ଦଣ୍ତ ପାଇବ । ସବୁଠି ଚକ୍ରାନ୍ତ । ପୁରାଣରୁ ପରପିଢିର ଭବିଷ୍ୟତ ଯାଏ । "ଭକ୍ତି ଯେତେବେଳେ ଉଛୁଲିପଡେ ଆଉ ଅନ୍ଧବିଶ୍ୱାସ ର ବଶବର୍ତ୍ତୀ ହୋଇଯାଏ....ଏମିତି ଅମଣିଷ କାର୍ଯ୍ୟ କରିବା ପାଇଁ ମଧ୍ୟ ମଣିଷ ପଛଘୁଞ୍ଚା ଦିଏ ନାହିଁ । ବଲାଙ୍ଗୀର , ନୂଆପଡା , କଳାହାଣ୍ଡି , ନବରଙ୍ଗପୁର ଏମିତି ହାତଗଣତି କେତୋଟି ଜିଲ୍ଲାରେ ହିଁ କାହିଁକି ଏତେ ଲୋକ ଅନ୍ଧ ବିଶ୍ୱାସକୁ ଆଖିବୁଜି ମାନୁଛନ୍ତି..? ଏହି ଅନ୍ଧବିଶ୍ୱାସ ବନ୍ଦ ପାଇଁ ଯୁବପିଢ଼ି ଏବେଠୁ ସଚେତନ ହେବା ଜରୁରୀ ନା ନାହିଁ ? ତେବେ ଏଠି ଗୋଟେ ପ୍ରଶ୍ନ ଆସେ, ସତରେ କଣ ପଶୁପକ୍ଷୀ କି ନରବଳି ଦେଇଦେଲେ ଭାଗ୍ୟ କଣ ପରିବର୍ତ୍ତନ ହୋଇଯାଏ ? ଏପରି ନ୍ୟୁନ ମାନସିକତାରେ କଣ କେବେ ନିଜର ସ୍ୱାର୍ଥ ପୂରଣ ହୋଇଯାଏ ? ସେଇ ମାନଙ୍କ ପାଇଁ ପ୍ରଥା ସେଇ ମାନଙ୍କ ପାଇଁ ପରମ୍ପରା, ଯେଉଁମାନେ ଦୈବୀ କୃପା ଆଶାରେ ଛେଳି-କୁକୁଡା ଏପରିକି ନରବଳି ଦେବାକୁ ବି ପଛାଉ ନାହାଁନ୍ତି । କିନ୍ତୁ ମୋ ମତରେ ଏହା ଏକ ଅନ୍ଧବିଶ୍ୱାସ । ଅନ୍ଧବିଶ୍ୱାସର ବିଷବଳୟ ଭିତରେ ଆଜିର ଏଇ ଆଧୁନିକ ଦୁନିଆ । ମା କେବେ ଚାହେଁନା ତା ଛୁଆର ରକ୍ତ ପାଇବା ପାଇଁ । କିନ୍ତୁ ଆଜିର ମଣିଷ ପରମ୍ପରା ଓ ଅନ୍ଧବିଶ୍ୱାସର ବଶବର୍ତ୍ତି ହୋଇ ବନ୍ଧା ହୋଇପଡିଛି । ପରିବର୍ତ୍ତନ ଆସିବା ନିହାତି ଦରକାର । ପୂର୍ବରୁ ରାଜରାଜୁଡା ସମୟରେ ରାଜଦରବାର ମାନଙ୍କରେ ଗଡଚଣ୍ଡି ପୂଜା ସମୟରେ ଜିଲ୍ଲାର ମଙ୍ଗଳ ସାଧନ, ଭଲ ଫସଲ ଆମଦାନୀ ଏବଂ ମହାମାରୀରୁ ରକ୍ଷା ପାଇବା ପାଇଁ ଦିଆଯାଉଥିବା ବଳିପ୍ରଥାକୁ ସେତେବେଳେର ବ୍ରିଟିସ ସରକାର ୧୮୫୧ ମସିହାରେ ଉତ୍ସେଦ କରିଥିଲେ ଏବଂ ନରବଳିକୁ ସମ୍ପୂର୍ଣ୍ଣ ଋପେ ନିଷିଦ୍ଧ ଘୋଷଣା କରିଥିଲେ । ଉଚ୍ଛେଦ ପରଠାରୁ ଆଉ ଖୋଲାଖୋଲି ଭାବରେ ନରବଳି ନାହିଁ କିନ୍ତୁ ଲୁଚାଛପାରେ ନିଜର ସ୍ୱାର୍ଥ ଏବଂ ମାନସିକ ପୂରଣ ପାଇଁ ବଳି ଦେବା କଥା ନଜରକୁ ଆସୁଛି । କିନ୍ତୁ ଆଜି ନୈତକ ଇଚ୍ଛାଶକ୍ତିର ଅଭାବରୁ ଅନେକ ପ୍ରତିଷ୍ଠିତ ରାଜନେତା ଏହାକୁ ଖୋଲାଖୋଲି ସମର୍ଥନ କରୁଛନ୍ତି । କଳାହାଣ୍ଡି ଜିଲ୍ଲାର ଛତର ଯାତ୍ରା ସମୟରେ ହେଉକି ବଲାଙ୍ଗିର ଜିଲ୍ଲାର ଶୁଳିଆ ପୀଠ ଯାତ୍ରା ସମୟରେ ହଜାର ହଜାର ସଂଖ୍ୟାରେ ପଶୁପକ୍ଷୀଙ୍କୁ ବଳି ଦିଆଯାଉଛି । ଖୋଲାଖୋଲି ଭାବରେ ସୁପ୍ରିମକୋର୍ଟଙ୍କ ନିର୍ଦ୍ଦେଶକୁ ଅବମାନନା କରାଯାଉଛି । ପରିତାପର ବିଷୟ ଏହାକୁ ପରମ୍ପରା କହି ଭ୍ରାନ୍ତ ଧାରଣାର ବଶବର୍ତ୍ତୀ ହୋଇ ବିପୁଳ ଧନ ମିଳିଯିବା ଆଶାରେ, ବିଭିନ୍ନ ପ୍ରକାର ରୋଗରୁ ଆରୋଗ୍ୟ ହେବା ପାଇଁ, କ୍ଷମତା ହାସଲ ନିମନ୍ତେ ଦେବାଦେବୀଙ୍କ ନିକଟରେ ପଶୁପକ୍ଷୀଙ୍କୁ ହେଉ ବା ନରବଳି ଦେବାକୁ ପଛାଉ ନାହିଁ ଆଜିର ମଣିଷ । ଏ ସବୁ ଅନ୍ଧବିଶ୍ୱାସରେ ବୁଡି ରହିଥିବା ମଣିଷର ମାନସିକତାରେ ପରିବର୍ତ୍ତନ ଆଣିବା ନିହାତି ଆବଶ୍ୟକ । ବଳି ପଛରେ ଥିବା ଅନ୍ଧ ବିଶ୍ୱାସଟି ସମ୍ପୂର୍ଣ୍ଣ ଋପେ ଅମୁଳକ ଏବଂ ଆଇନ ବିରୋଦ୍ଧ ଏହା ଜ୍ଞାତ ହେବା ଜରୁରୀ । ତେବେ ଆମ ଭାରତ ବର୍ଷରେ ୭ଟି ରାଜ୍ୟ ମଧ୍ୟରୁ ଓଡିଶାରେ ମଧ୍ୟ ବଳିପ୍ରଥାକୁ ସମ୍ପର୍ଣ୍ଣ ଋପେ ବନ୍ଦ ହେବା ପାଇଁ ଆଇନ କରାଯିବା ସହ ଆଇନକୁ କଡାକଡି ଭାବେ ଲାଗୁ ହେବାର ଆବଶ୍ୟକତା ରହିଛି । ଲୋକ ମାନଙ୍କ ମଧ୍ୟରେ ସରକାରୀ ସ୍ତରରେ ହେଉ ବା ବିଭିନ୍ନ ସ୍ୱେଚ୍ଛାସେବୀ ଅନୁଷ୍ଠାନ ମାଧ୍ୟମରେ ସଚେତନତାର ଆବଶ୍ୟକ ରହିଛି । ସଂସ୍କାରିତ ଚେତନାର ବିକାଶ ହେବା ଆବଶ୍ୟକ ତା ଛଡା ଆଇନଗତ ପଦକ୍ଷେପକୁ କଡାକଡି ଭାବେ କାର୍ଯ୍ୟକାରୀ କରାଯିବାର ସମୟ ଆସିଛି । ବିଗତ ଦିନକୁ ଲକ୍ଷ କରିବା ଯଦି ବଲାଙ୍ଗିର ଜିଲ୍ଲା ସଲ୍କେଲା ଅନ୍ତର୍ଘତ ରଣାପଡାର ହୀରାରଣାଙ୍କ ୯ବର୍ଷର ପୁଅ ମିଥୁୁନକୁ ଅମାନିଷିକ ଭାବେ ବଳି ଦେବା ଘଟଣା ଜଣା ପଡିବା ପରେ ପୋଲିସ ତଦନ୍ତ ବଳରେ ରଣା ପରିବାରର ସମ୍ପର୍କୀୟ ମାମୁଁ ପୁଅ ଭାଇ ଏବଂ ଜଣେ ତାନ୍ତ୍ରିକକୁ ଗିରଫ କରିବାରେ ସଫଳ ହୋଇଛି । ସେହିପରି କୋରାପୁଟ ଜିଲ୍ଲାର ଦାମନଯୋଡି ଥାନା ଅଞ୍ଚଳର ରୋଜଗାର ବୃଦ୍ଧି ଆଶାରେ ନିଜ ମା ଅନ୍ଧବିଶ୍ୱାସର ବଶବର୍ତ୍ତୀ ହୋଇ ନିଜ ୬ବର୍ଷର ଝିଅକୁ ବଳି ଦେଇଥିଲା । ସେହିପରି କଳାହାଣ୍ଡି ଜିଲ୍ଲା ଭବାନୀପାଟଣା ସଦରଥାନା ତୋତଲଚୁଆ ଗ୍ରାମରେ ପୋତାଧନ ପାଇବା ଆଶାରେ ବାପା ନିଜ ୮ବର୍ଷର ଝିଅକୁ ବଳି ଦେଇଥିଲା । ଆମ ରାଜ୍ୟରେ ୨୦୧୦ରୁ୨୦୧୭ ମଧ୍ୟରେ ୫୭ଟି ବଳି ବା ଶିଶୁ ନିଖୋଜ ଜନିତ ଘଟଣା ବିଭିନ୍ନ ଗଣମାଧ୍ୟମ ଖବରରେ ପ୍ରକାଶିତ । ସେଥିମଧ୍ୟରୁ ନୟାଗଡ ଜିଲ୍ଲା ରଣପୁର ଥାନା ଶଙ୍ଖମୂଳ ଗ୍ରାମର ଚିନ୍ତାମଣି ସୁନ୍ଦରା ଏବଂ ଯାଜପୁର ଜିଲ୍ଲା କୁଆଖିଆ ଥାନା ରାଜେନ୍ଦ୍ରପୁରର ନିରଞ୍ଜନ ନାୟକ ନିଜର ପିଲାକୁ ବଳି ଦେଇଥିଲେ ସୁଦ୍ଧା ପୋଲିସର କାର୍ଯ୍ୟାନୁଷ୍ଠାନ ନହେବା ଏକ ପରିତାପର ବିଷୟ ମନେହେଉଛି । - ସ୍ମୃତିରଞ୍ଜନ ସେଠୀ