ବିଜେଡି ସରକାର କଣ ଜାଲ୍ ସରକାର? ତୁରନ୍ତ ଶ୍ୱେତପତ୍ର ଉପସ୍ଥାପିତ କରିବାକୁ କଂଗ୍ରେସର ଦାବୀ

ତାଜା ଖବର
  • 2018-11-05 10:54:36
  • 446

କାନଭାସ୍ ଓଡିଶା(ବ୍ୟୁରୋ) : ସଂପ୍ରତି ଗଣଶିକ୍ଷା ବିଭାଗରେ ଚାଲିଥିବା ଜାଲ୍ କାରନାମା ରାଜ୍ୟର ଶିକ୍ଷା ବ୍ୟବସ୍ଥାର ସଙ୍ଗିନ ଅବସ୍ଥାକୁ ଲୋକ ଲୋଚନକୁ ଆଣିଛି ବୋଲି ପ୍ରଦେଶ କଂଗ୍ରେସ ମୁଖପାତ୍ର ଶ୍ରୀ ସୁଦର୍ଶନ ଦାସ ଓ ମନୋଜ ମହାପାତ୍ର ମିଳିତ ଭାବେ ଏକ ସାମ୍ବାଦିକ ସମ୍ମିଳନୀରେ ଜଣାଇଛନ୍ତି । ବର୍ଷ ବର୍ଷ ଧରି ଜାଲ୍ ଛାତ୍ର ଉପସ୍ଥାନ ଦେଖାଇ ଶିକ୍ଷା ବିଭାଗର ସରକାରୀ ଯୋଜନା ସବୁ ବାଟ ମାରଣା ହେଉଥିବାର ଅତ୍ୟନ୍ତ ସଙ୍ଗୀନ ଖବର ପ୍ରକାଶ ପାଇଛି । ଏହା ପୂର୍ବରୁ ବିଜୁ ପକ୍କା ଘର/ ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବାସଗୃହ ପ୍ରଦାନ ସଂଖ୍ୟା ୨ ମାସ ଭିତରେ ୧ କୋଟି ଲୋକଙ୍କୁ ବିଜୁ ସ୍ୱାସ୍ଥ୍ୟ ଯୋଜନାରେ ଉପକୃତ ହେବା, ରେଶନ କାର୍ଡ ଏବଂ ଭତା ପ୍ରଦାନ କ୍ଷେତ୍ରରେ ବର୍ଷ ବର୍ଷ ଧରି ମଲାଲୋକଙ୍କୁ ଜାଲ କାଗଜ ପତ୍ରରେ ସୁବିଧା ପ୍ରଦାନ ହେଉଥିବାର ଖବର ଲୋକ ଲୋଚନକୁ ଆସିଛି । ସଂପ୍ରତି ଗଣ ଶିକ୍ଷା ବିଭାଗ ବିଷୟରେ ଆଜି ପ୍ରକାଶିତ ଖବର ସରକାରଙ୍କର ଜାଲ କାରନାମାର ଆଉ ଏକ ନଜିର । ବିଭିନ୍ନ ବିଭାଗରେ ସଫଳତାକୁ ନେଇ ସରକାର ଯେଉଁ ଜାଲ୍ ପରିସଂଖ୍ୟାନ ପରିବେଶଣ କରୁଛନ୍ତି ତାକୁ ଦେଖିଲେ ରାଜ୍ୟରେ ଚାଲୁଥିବା ସରକାର ଏକ ଜାଲ୍ ସରକାର ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ସରକାର ବିଭିନ୍ନ ବିଭାଗରେ ସଫଳତାର ସାର୍ଟିଫିକେଟ୍ ସାଉଁଟୁ ଥିବା ବେଳେ ଏହିସବୁ ଜଲ୍ ପରିସଂଖ୍ୟାନ ସରକାରଙ୍କର ଅସଲ ରୂପକୁ ଲୋକ ଲୋଚନକୁ ଆଣିଛି । ରାଜ୍ୟର ଶିକ୍ଷା ବ୍ୟବସ୍ଥା ବସ୍ତୁତଃ ଭୂଷୁଡି ପଡିଛି ବୋଲି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟରେ ପ୍ରାୟ ୧୨୫୦ଟି ବିଦ୍ୟାଳୟରେ ୧୦ ଜଣ ଛାତ୍ର ଛାତ୍ରୀଙ୍କ ଉପସ୍ଥାନ ନାହିଁ । ମାତ୍ର ଏହି ବିଦ୍ୟାଳୟ ଗୁଡିକକରେ ୫୦୦ ଶିକ୍ଷକ ଦରମା ନେଉଛନ୍ତି ଏବଂ ୪ ଲକ୍ଷରୁ ଉର୍ଦ୍ଧ ଛାତ୍ରଛାତ୍ରୀଙ୍କ ନାମରେ ମଧ୍ୟାନ ଭୋଜନ, ସ୍କୁଲ ୟୁନିଫର୍ମ ଇତ୍ୟାଦି ଯୋଜନାର ଅର୍ଥ ହଡପ ହୋଇ ଆସୁଛି । ଗଣଶିକ୍ଷା ବିଭାଗରେ ଚାଲିଥିବା ଏତେ ବଡ ଜାଲ୍ କାରନାମାର ଖୋଲାସା ହେବାପରେ ରାଜ୍ୟର ସଙ୍ଗୀନ ଶିକ୍ଷା ବ୍ୟବସ୍ଥାର ଅସଲ ରୂପ ପଦାକୁ ଆସିଛି । ବାସ୍ତବରେ ରାଜ୍ୟରେ କେତେ ବିଦ୍ୟାଳୟରେ କେତେ ଛାତ୍ର ଛାତ୍ରୀ ଅଛନ୍ତି ଏବଂ ସେମାନଙ୍କ ପାଇଁ ବିଭିନ୍ନ ଯୋଜନାରେ କେତେ ଅର୍ଥ ଖର୍ଚ୍ଚ ହେଉଛି, କେତେ ଏବଂ କେଉଁ ବର୍ଗର ଶିକ୍ଷକ ଅଛନ୍ତି ଇତ୍ୟାଦିକୁ ନେଇ ତୁରନ୍ତ ଏକ ଶ୍ୱେତପତ୍ର ପ୍ରକାଶ କରିବାକୁ କଂଗ୍ରେସ ଦଳ ରାଜ୍ୟ ସରକାରଙ୍କ ନିକଟରେ ଦାବୀ କରୁଛି । ଏହା ସହିତ ଓଡିଶାର ବୁଦ୍ଧିଜୀବି, ଶିକ୍ଷକ ସମାଜ, ଅଭିଭାବକ ଏବଂ ସ୍କୁଲ ମ୍ୟାନେଜମେଣ୍ଟ କମିଟି ମାନଙ୍କୁ ରାଜ୍ୟର ଏହି ବିପର୍ଯ୍ୟସ୍ତ ଶିକ୍ଷାର ବ୍ୟବସ୍ଥାର ସୁଧାର ପାଇଁ ଆଗେଇ ଆସିବାକୁ କଂଗ୍ରେସ ଦଳ ଆହ୍ୱାନ କରୁଛି । ଶିକ୍ଷା ହେଉଛି ଯେ କୈାଣସି ଜାତିର ବିକାଶ ଓ ପ୍ରଗତିର ମୂଳ ପିଣ୍ଡ ଏବଂ ଓଡିଶାରେ ଏହି ବିପର୍ଯ୍ୟସ୍ଥ ଶିକ୍ଷା ବ୍ୟବସ୍ଥାର ସୁଧାର ନ ଆସିଲେ, ରାଜ୍ୟର ବିକାଶ ଅସମ୍ଭବ । ରାଜ୍ୟର ଏହି ସଙ୍ଗୀନ ଶିକ୍ଷା ବ୍ୟବସ୍ଥାର ସୁଧାର ପାଇଁ କଂଗ୍ରେସ ତାର ପ୍ରୟାସ ଜାରି ରଖିବା ସହିତ ସକଳ ସ୍ତରରେ ଏହାର ସୁଧାର ପାଇଁ ପ୍ରଚେଷ୍ଟା ଜାରି ରଖିବ । ସରକାରଙ୍କ ପକ୍ଷରୁ ଯଦି ୧ ମାସ ଭିତରେ ଗଣଶିକ୍ଷା ସମ୍ବନ୍ଧରେ ଶ୍ୱେତ ପତ୍ର ପ୍ରକାଶ ନକରାଯାଏ, ତେବେ କଂଗ୍ରେସ ଦଳ ନିଜସ୍ୱ ଭାବରେ ଏକ ଶ୍ୱେତ ପତ୍ର ପ୍ରକାଶ କରିବା ସହିତ ତା’ଉପରେ ବ୍ୟାପକ ‘ଶିକ୍ଷା ସୁରକ୍ଷା ଆନ୍ଦୋଳନ’ ଗଢି ତୋଳିବ । ଏହି ସାମ୍ବାଦିକ ସମ୍ମିଳନୀରେ ମୁଖପାତ୍ର ନିକୁଞ୍ଜ ପଶାୟତ, ହିମାଂଶୁ ଲେଙ୍କା, ପ୍ରଶାନ୍ତ ଶତପଥି ଓ ଦୀପକ ମହାପାତ୍ର ଉପସ୍ଥିତ ଥିଲେ ।