ପରୀ ଆଜି ବି ଅସୁରକ୍ଷିତ

ରାଜ୍ୟ ଖବର
  • 2018-11-04 09:23:06
  • 445

ରାଜ୍ୟରେ ନାବାଳିକା ସଂପୂର୍ଣ୍ଣ ଅସୁରକ୍ଷିତ- କଂଗ୍ରେସ, କାନଭାସ୍ ଓଡିଶା(ବ୍ୟୁରୋ) : ଗତ ବୁଧବାର ବିଳମ୍ବିତ ରାତିରେ ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲା (ଗଞ୍ଜାମ)ର ପୋଲସରାରେ ଯେଉଁ ହୃଦୟ ବିଦାରକ ଘଟଣା ଘଟିଯାଇଛି ତାହା ଓଡିଶାର ମହିଳାମାନଙ୍କ ପାଇଁ ଲଜ୍ଜା, ଦୁଃଖଦ ଓ ନିନ୍ଦନୀୟ ଘଟଣା । ରାତି ନ ପାହୁଣୁ ଶାସକ ଦଳର କର୍ମୀ ଠୁ ଆରମ୍ଭ କରି ନେତା ମନ୍ତ୍ରୀ ପର୍ଯ୍ୟନ୍ତ ‘ମହିଳାଙ୍କୁ ସମ୍ମାନ’ ନାରାରେ ପୋତି ପକାଉଥିବା ବେଳେ ରାଜ୍ୟର ମହିଳା ପ୍ରତ୍ୟେକ ଦିନ ଗଣ ଦୁଷ୍କର୍ମର ଶିକାର ହେଉଛି । ସବୁ ଦେଖି ଅନ୍ଧ ଧୃତରାଷ୍ଟ୍ର ଭଳି ରାଜ୍ୟର ମୁଖିଆ ଚୁପ୍ ହୋଇ ବସିଛନ୍ତି କ’ଣ ପାଇଁ ଓ କାହା ସ୍ୱାର୍ଥରେ? କେଉଁଠି ମହିଳା ଗଣ ଦୁଷ୍କର୍ମ ଶିକାର ହେଉଛି ତ କେଉଁଠି ଦୁଷ୍କର୍ମଜନିତ ହତ୍ୟାର ଶିକାର ହେଉଛି । ମହିଳାଟି ନ୍ୟାୟ ପାଇଁ ବାର ଦୁଆର ଶୁଣ୍ଡି ପିଣ୍ଡା ହେଉଥିବା ବେଳେ ତାକୁ ନ୍ୟାୟ ଟିକେ ମିଳୁନାହିଁ, ଯାହା ଫଳରେ ସେ ଆତ୍ମହତ୍ୟାର ବାଟ ଆପଣେଇ ନେଉଛି । ଗତ କାଲିର ଘଟଣା ପୁଣି କୁନ୍ଦୁଲି ଘଟଣାକୁ ମନେ ପକାଇ ଦେଉଛି । କୁନ୍ଦୁଲି ଘଟଣାରେ ସଂପୃକ୍ତ ଥିବା ୪ ଅଭିଯୁକ୍ତଙ୍କୁ ଗିରଫ କରିବାରେ ଓଡିଶା ପୋଲିସ ବିଫଳତା ସରକାରଙ୍କ ଆଇନଶୃଙ୍ଖଳା ବ୍ୟବସ୍ଥାକୁ ପଦାରେ ପକାଇ ଦେଇଥିବା ବେଳେ ଆଜି ପୁନର୍ବାର ଖୋଦ୍ ରାଜ୍ୟ ମୁଖିଆଙ୍କ ଜିଲ୍ଲାରେ ଏକ ନାବାଳିକାକୁ ଗଣ ଦୁଷ୍କର୍ମର ଶିକାର ହେବାକୁ ପଡିଛି । ସରକାରଙ୍କ ଉଦାସୀନ ମନୋଭାବ ପାଇଁ ଓଡିଶା ମହିଳାମାନଙ୍କ ପାଇଁ ଏକ ଅସୁରକ୍ଷିତ ରାଜ୍ୟ ଭାବରେ ପରିଗଣିତ ହୋଇଛି । ପୋଲସରା ନାବାଳିକା ଗଣଦୁଷ୍କର୍ମ ଘଟଣାକୁ ୭୨ ଘଂଟା ବିତି ଯାଇଥିଲେ ମଧ୍ୟ ପୋଲିସ ହାତ ଖାଲି, ସରକାର ନୀରବ, ପ୍ରଶାସନ ମୁହଁରେ ତୁଣ୍ଡି ବାନ୍ଧି ବସିଛି । ମହିଳା ସୁରକ୍ଷା ଯାତ୍ରା, ମହିଳା ସମାବେଶ ନାଁରେ ରାଜ୍ୟ ରାଜକୋଷରୁ କୋଟି କୋଟି ଟଙ୍କା ଖର୍ଚ୍ଚ କରି ବିଜେଡି ସରକାର ନିଜର ଆତ୍ମପ୍ରଚାର କରିବାରେ ବ୍ୟସ୍ତ ଥିବା ବେଳେ ବାସ୍ତବ ଚିତ୍ର ହେଉଛି ରାଜ୍ୟରେ ପ୍ରତ୍ୟେକ ଦିନ ୬ ଜଣ ମହିଳା ଦୁଷ୍କର୍ମର ଶିକାର ହେଉଥିବା ବେଳେ ୮ ଜଣ ହତ୍ୟାର ଶିକାର ହେଉଛନ୍ତି (ଏନ୍.ସି.ଆର.ବି. ତଥ୍ୟ) । ଖୋଦ୍ ମୁଖ୍ୟମନ୍ତ୍ରୀଙ୍କ ଜିଲ୍ଲାରେ ଏଭଳି ଘଟଣା ଏବଂ ମୁଖ୍ୟମନ୍ତ୍ରୀ ନିଜେ ଗୃହ ବିଭାଗ ଦାୟିତ୍ୱରେ ଥିବାରୁ ନୈତିକତା ଦୃଷ୍ଟିରୁ ମୁଖ୍ୟମନ୍ତ୍ରୀ ଇସ୍ତଫା ଦିଅନ୍ତୁ ବୋଲି କଂଗ୍ରେସ ଦାବି କରୁଛି । ଏଥିସହିତ ଅପରାଧିଙ୍କୁ ୨୪ ଘଂଟା ମଧ୍ୟରେ ଗିରଫ କରାନଗଲେ କଂଗ୍ରେସ ରାଜରାସ୍ତାକୁ ଓହ୍ଲାଇବା ସହିତ ପୀଡିତା ପରିବାରକୁ ୫୦ ଲକ୍ଷ ଟଙ୍କା କ୍ଷତିପୂରଣ ଦେବାକୁ ଦାବି କରାଯାଇଛି । ପ୍ରଦେଶ କଂଗ୍ରେସ କମିଟି ସଭାପତି ଶ୍ରୀ ନିରଞ୍ଜନ ପଟ୍ଟନାୟକଙ୍କ ନିର୍ଦ୍ଦେଶକ୍ରମେ ପ୍ରଦେଶ ମହିଳା କଂଗ୍ରେସ କମିଟି ସଭାପତି ସୁମିତ୍ରା ଜେନାଙ୍କ ନେତୃତ୍ୱରେ ଏକ ତଥ୍ୟ ଅନୁସନ୍ଧାନକାରୀ ଦଳ ଏମ୍.କେ.ସି.ଜି. ହସ୍ପିଟାଲ ଯାଇ ପୀଡିତା ଓ ତାଙ୍କ ପରିବାର ବର୍ଗଙ୍କୁ ଭେଟିବା ସହିତ ଘଟଣାସ୍ଥଳକୁ ଯାଇ ତଥ୍ୟ ଅନୁଧ୍ୟାନ କରି ପିସିସି ସଭାପତିଙ୍କୁ ସବିଶେଷ ତଥ୍ୟ ପ୍ରଦାନ କରିବେ । ଏହି ସାମ୍ବାଦିକ ସମ୍ମିଳନୀରେ ବିଜୟଲକ୍ଷ୍ମୀ ସାହୁ, ସୋନାଲି ସାହୁ, ରଶ୍ମି ମହାପାତ୍ର, ସ୍ୱାଧିନବାଳା ଦାସ ଓ ଜୟଶ୍ରୀ ପଟ୍ଟନାୟକ ପ୍ରମୁଖ ଉପସ୍ଥିତ ଥିଲେ ।