ମିରର୍ ଅନୁଷ୍ଠାନ ପକ୍ଷରୁ ‘ନାଟ୍ୟଧାରା’ରେ ନାଟକ ‘କର୍ଣ୍ଣ’

ମନୋରଞ୍ଜନ
  • 2018-11-01 21:13:14
  • 436

କାନଭାସ୍ ଓଡିଶା(ବ୍ୟୁରୋ) : ଡ.ଅଭିଶେକ ଦାସ ସହରର ଜଣେ ବିଶିଷ୍ଟ ଡାକ୍ତର । ସବୁଦିନ ପରି ସେଦିନ ବି ସେ ବ୍ୟସ୍ତ ଥାନ୍ତି ନିଜ କ୍ଲିନିକ୍ ରେ । ହଠାତ୍ ଜଣେ ଅପରିଚିତ ଯୁବକ ରୋଗି ମାନଙ୍କ ଧାଡିକୁ ବେଖାତିର କରି ଭିତରକୁ ପଶିଆସେ । ଡାକ୍ତର ଦାସ ତାକୁ ନମ୍ବର ଅନୁସାରେ ଆସିବା ପାଇଁ କହିବାରୁ ଉକ୍ତ ଯୁବକ କହିବସେ ମୁଁ ଜଣେ ଡାକ୍ତର ପାଖକୁ ଆସିନାହିଁ, ଜଣେ ପିତା ଠାରୁ ପୁତ୍ରର ସ୍ୱୀକୃତି ପାଇଁ ଆସିଛି । ଡାକ୍ତର ରାଗି ଉଠନ୍ତି ଯୁବକର କଥା ଶୁଣି, ଆଉ କୁହନ୍ତି ତୁମେ ଜଣେ ପାଗଳ ଯୁବକ ନତୁବା ତମେ ଜଣେ ବ୍ଲାକମେଲର । ଏପରି ଅନେକ ବାଦ ବିବାଦ ପରେ ଶେଷରେ ଯୁବକ ଜଣକ ନିଜ ଆଡୁ ପ୍ରସ୍ତାବ ଦିଏ, ଯଦି ମୁଁ ମିଛ କହୁଥାଏ ତେବେ ଆପଣ ଡି.ଏନ.ଏ ଟେଷ୍ଟ କରନ୍ତୁ । ଏହି ପ୍ରସ୍ତାବରେ ଡା.ଦାସ ମଧ୍ୟ ରାଜି ହୋଇଯାନ୍ତି । ପରଦିନ କିଛି ମୁହୁର୍ତ୍ତପରେ ରିପୋର୍ଟ ଆସେ ଯେଉଁଥିରେ ଉକ୍ତ ଯୁବକଟିର ଡି.ଏନ.ଏ ଡ. ଦାସଙ୍କର ଡି.ଏନ.ଏ ସହିତ ପୁରା ମିଶି ଯାଉଛି । ସେ ଚିନ୍ତିତ ହୋଇପଡନ୍ତି, ଏହା କିପରି ସମ୍ଭବ ହେଲା ତାହା ଡା.ଦାସଙ୍କର ମନରେ ପ୍ରଶ୍ନବାଚୀ ସୃଷ୍ଟି କରିଦେଇଥାଏ । ଶେଷରେ ତାଙ୍କର ମନେ ପଡିଯାଏ ମେଡିକାଲ କଲେଜ ପଢୁଥିବା ସମୟର କଥା । ସେ ସମୟରେ ଅନିଶା ମିଶ୍ରଙ୍କ ସହିତ ତାଙ୍କର ଶାରରୀକସଂପର୍କ ଥିଲା, କିଛି ଦିନ ପରେ ସେ ଆମେରିକା ଚାଲିଗଲେ କିନ୍ତୁ ଅନିଶା ପ୍ରେଗନେଂଟ୍ ହେବା କଥା କେବେ କହିନଥିଲା । ବର୍ତ୍ତମାନ ଅବିନାଶଙ୍କ ପରି ଅନିଶା ମଧ୍ୟ ବାହାହୋଇ ସାରିଛନ୍ତି । ତାଙ୍କର ନିଜର ପରିବାର ମଧ୍ୟ ରହିଛି । ଅବିନାଶ ଅନିଶାକୁ ଫୋନ କରି ଡକାଇନ୍ତି, ଅନିଶା କହିଛନ୍ତି ତମେ ଆମେରିକା ଚାଲିଯିବାପରେ ମୁଁ ପ୍ରେଗନେଂଟ ହୋଇଗଲି, ତୁମ ସହିତବି ଯୋଗାଯୋଗ ହୋଇପାରିଲା ନାହିଁ । ମୋ ବାପା ମୋତେ ମାଡ୍ରାସ ନେଇଗଲେ ଆଉ ସେଠାରେ ଏକ ପ୍ରାଇଭେଟ ନର୍ସିଂ ହୋମରେ ମୋର ଡେଲିଭରି କରାଇଥିଲେ, ମୁଁ ହୋସରେ ନଥାଏ, ପରେ ଶୁଣିଲି ମୁଁ ଗୋଟାଏ ମୃତ ଶିଶୁ ଜନ୍ମ କରିଛି, ମୁଁ ସେଦିନ ଅନେକ କାନ୍ଦିଥିଲି । ଡାକ୍ତର ଦାସ କୁହନ୍ତି ତୁମ ବାପା ଆଉ ମାଆ ତୁମକୁ ମିଛ କହିଥିଲେ, ସେ ଶିଶୁଟି ମରିନାହିଁ, ବଂଚିଛି କାଲି ସେ ମୋ ପାଖକୁ ଆସିଥିଲା । ସବୁ ଜାଣି ସାରିବା ପରେ ଅନିଶା ବି ବହୁତ ଚିନ୍ତା ଗ୍ରସ୍ତ ହୋଇପଡିଛନ୍ତି । ଅନିଶା ଗୋଟେ ଉପାୟ କରିଛନ୍ତି ଯେ, ଆମେ ତାକୁ ଦୁଇ ଲକ୍ଷ ଟଙ୍କା ଦେଇ ଦେବା, ଏତେ ଟଙ୍କା ପାଇ ସେ ନିଶ୍ଚୟ ଏଠାରୁ ଚାଲିଯିବ । ତାପର ଦିନ ଯୁବକ ଜଣକ ଆସିବା ପରେ ଡା.ଦାସ ତାକୁ ଅନେକ ବୁଝାଇଛନ୍ତି । ଯଦି ଏହି କଥା ପ୍ରଘଟ ହୋଇଯାଏ ତେବେ ସେମାନଙ୍କର ପରିବାର ଛାରଖାର ହୋଇଯିବ ବୋଲି କହିଛନ୍ତି, ଆଉ ଦୁଇଲକ୍ଷ ଟଙ୍କା ମଧ୍ୟ ଯାଚିଛନ୍ତି । କିନ୍ତୁ ଯୁବକ ଜଣକ କହିଚି ମୁଁ ଆପଣ ଦୁଇଜଣକୁ ୪ଲକ୍ଷ ଟଙ୍କା ଦେଉଛି, ଆପଣ ନିଜ ନିଜ ପରିବାର ଛାଡି ମୋ ପାଖକୁ ଚାଲିଆସନ୍ତୁ । ସେମାନେ ନିଜ ଅକ୍ଷମତା ପ୍ରକାଶ କରିଛନ୍ତି । ଯୁବକ କହିଛି ମୁଁ ଆପଣମାନଙ୍କୁ ହଇରାଣ କି ଟଙ୍କା ପାଇବା ଆଶାରେ ଆସି ନଥିଲି, ଆସି ଥିଲି ଖାଲି ଦେଖିବାକୁ ମୋତେ ଭାଗ୍ୟହୀନ କରି ଜନ୍ମ ଦେଇଥିବା ମୋର ବାପା ମା’ ପରି ଯନ୍ତୁ ଦୁଇଟି କେମିତି । ତାପରେ ସେ ଝଡ ବେଗରେ ଚାଲିଯାଇଛି । ନାଟକଟିରେ ପୈାରାଣିକ କଥାବସ୍ତୁର କର୍ଣ୍ଣ ଚରିତ୍ରଟି ଆସି ନିଜ ଦୁଃଖକୁ ବାଣ୍ଟିବା ସହ କହିଛି ଯେତେ ଦିନ ଯାଏଁ ସମାଜରେ ଅଭାଗା କର୍ଣ୍ଣମାନେ ଜନ୍ମ ହେଉଥିବେ, ସେତେଦିନ ଯାଏଁ ସେମାନଙ୍କର ହାହାକାର ଭିତରେ ମୁଁ ବଚିଂଥିବି, ମୋର ମୁକ୍ତି ନୁହେଁ । ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଓଡିଆ ଭାଷା ସାହିତ୍ୟ ଓ ସଂସ୍କୃତି ବିଭାଗ, ଓଡିଶା ସଂଗୀତ ନାଟକ ଏକାଡେମୀ ଓ ଓଡିଶା ନାଟ୍ୟସଂଘର ମିଳିତ ଆନୁକୁଲ୍ୟରେ ନାଟ୍ୟଧାରାର ପ୍ରଥମ ସଂନ୍ଧ୍ୟାରେ ଅନୁଷ୍ଠାନ ମିରର୍ ପକ୍ଷରୁ ମଞ୍ଚସ୍ଥ ହୋଇଯାଇଥିଲା ନାଟକ ‘କର୍ଣ୍ଣ’ । ଯାହାର ନିର୍ଦେଶନା ଶିବଶଙ୍କର ତ୍ରିପାଠୀ ଦେଇଥିବା ବେଳେ ରଚନାରେ ଜାକିର୍ ଖାନ୍, ସଂଗୀତରେ ଶକ୍ତି ପ୍ରସାଦ ମିଶ୍ର, ଆଲୋକରେ ବିକାଶ ପ୍ରଧାନ ମୁଖ୍ୟ ଦାୟିତ୍ୱ ତୁଲାଇବା ସହିତ ଅଭିନୟରେ ଶିବ ଶଙ୍କର ତ୍ରିପାଠୀ, ଧରିତ୍ରୀ ଖଣ୍ଡୁଆଳ, ପ୍ରଦୀପ୍ତ ସ୍ୱାଇଁ, ମମତା ମହାନ୍ତି, ଶାରଦା ନାୟକ, ରାଜ କୁମାର, ମନୋଜ, ସେବକ, ମନମୋହନ, ରଂଜନ ଓ ସରୋଜ ।