ଓଡିଶାରେ ଏମିତି ଗାଁ ଅଛି, ଯେଉଁଠି ନିର୍ବାଚନ ହୋଇନାହିଁ

ରାଜ୍ୟ ଖବର
  • 2018-10-31 21:03:18
  • 444

କାନଭାସ୍ ଓଡିଶା(ବ୍ୟୁରୋ) : ସ୍ୱାଧିନତାର ୭୨ବର୍ଷ ପୁରିଯାଇଥିଲେ ମଧ୍ୟ ଓଡିଶାର ଏମିତି ଏକ ଗାଁ ଅଛି ଯେଉଁଠି ନିର୍ବାଚନ ହୋଇନଥିବା ଦେଖିବାକୁ ମିଳେ । ଯାଜପୁରର ନଗଡାଠାରୁ ମଧ୍ୟ ଏହି ଗାଁର ଦୁଃଖ ଆହୁରି ସାଙ୍ଘାତିକ । ଦୁଇ ଚକିଆ କିମ୍ବା ଚାରି ଚକିଆ ଯାନ ଏହି ଗାଁକୁ ଯିବା ଅସମ୍ଭବ । ରାସ୍ତା ନଥିବାରୁ ରୋଗୀଙ୍କୁ ଭାର କରି ମାଇଲ ମାଇଲ ବାଟ ଚାଲି ଚାଲି ଜାନବାଇ ହସ୍ପିଟାଲ କିମ୍ବା ନଦୀପାର ହୋଇ ଚିତ୍ରକୋଣ୍ଡାକୁ ରୋଗୀକୁ ନିଆଯାଇଥାଏ । ରୋଗୀକୁ ହସ୍ପିଟାଲ ନେବା ବାଟରେ କିମ୍ବା ହସ୍ପିଟାଲରେ ଚିକିତ୍ସିତ ହେଉଥିବା ଅବସ୍ଥାରେ ମୃତ୍ୟୁବରଣ କରିବାର ଶୁଣିବାକୁ ମିଳୁଛି । ଗୁରୁତ୍ୱପୂର୍ଣ୍ଣ ବିଷୟ ହେଉଛି ଏହି ଗାଁ ରହିଥିବା ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ହୋଇନାହିଁ । ଯାହା ଫଳରେ ଏଠାରେ କୈାଣସି ସରପଞ୍ଚ କି ଲୋକ ପ୍ରତିନିଧି ନାହାନ୍ତି । ଏପରିସ୍ଥଳେ ରାସ୍ତାଘାଟ, ପାନୀୟ ଜଳ, ସ୍ୱାସ୍ଥ୍ୟାବସ୍ଥା, ନକହିଲେ ଭଲ । ଅତ୍ୟନ୍ତ ବିପର୍ଯ୍ୟୟ ଅବସ୍ଥାରେ ଚଳାଚଳ କରୁଛନ୍ତି ପଞ୍ଚାୟତର ଲୋକେ । ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକର ଗାଜଲମାମୁଡି ପଞ୍ଚାୟତରେ ରହିଛି ଏହି ଗାଁ-ସତୀଗନ୍ଦି ଗାଁ । ଗାଁରେ ୬୦ରୁ ଅଧିକ ପରିବାର ବସବାସ କରୁଛନ୍ତି । ଗାଁର ସମସ୍ତ ଲୋକ ଆଦିବାସୀ ସଂପ୍ରଦାୟର । କୋୟା ସଂପ୍ରଦାୟର ଲୋକେ ଏଠାରେ ବସବାସ କରୁଥିବା ବେଳେ ନିଜର ପାରଂପାରିକ ରୀତି ଅନୁଯାୟୀ ଚଳନ୍ତି । ଅତି କମ ବୟସରେ ପୁଅ ଝିଅଙ୍କୁ ବାହାଘର କରିଦିଅନ୍ତି । ଅଳ୍ପ ବୟସରେ ବାହାଘର ହେଉଥିବାରୁ ଅତି କମ ବୟସରେ ଝିଅମାନେ ମାତୃତ୍ୱ ଲାଭ କରିଥାନ୍ତି । ଯାହା ସେମାନଙ୍କର ସ୍ୱାସ୍ଥ୍ୟବସ୍ଥାକୁ କ୍ଷୁର୍ଣ୍ଣ କରୁଛି । ଫଳରେ ମାତୃ ମୃତ୍ୟୁ ସଂଖ୍ୟା ବଢୁଛି । ପିଲାମାନଙ୍କୁ ଉତ୍ତମ ପୃଷ୍ଟିକର ଖାଦ୍ୟ ଅଭାବରୁ ପୃଷ୍ଟିହୀନତାର ଶିକାର ହୋଇ ପ୍ରତିବର୍ଷ ୨/୩ ଜଣ ଶିଶୁ ମୃତ୍ୟୁବରଣର ଶିକାର ହେଉଥିବା ସରକାରୀ ରେକର୍ଡ କହେ । ଗ୍ରାମଟି ଦୁର୍ଗମ ଏବଂ ଅପହଞ୍ଚ ହୋଇଥିବାରୁ ସ୍ୱାସ୍ଥ୍ୟ ବିଭାଗର ଅଧିକାରୀମାନେ ଏଠାକୁ ଆସିବାକୁ ଅମଙ୍ଗ ହେଉଥିବା ଗ୍ରାମବାସୀ ପ୍ରକାଶ କରିଛନ୍ତି । ସବୁଠାରୁ ବଡ କଥା ହେଲା ଗାଜଲମାମୁଡି ପଞ୍ଚାୟତରେ ପଞ୍ଚାୟତ ନିର୍ବାଚନ ହୋଇନଥିବାରୁ ଏଠାରେ କୌଣସି ସରପଞ୍ଚ କିମ୍ବା ଲୋକ ପ୍ରତିନିଧି ନାହାନ୍ତି। ଯେଉଁ ସରକାରୀ ବାବୁମାନେ ସରପଞ୍ଚ ଦାୟିତ୍ବରେ ଅଛନ୍ତି, ସେମାନଙ୍କର ଦେଖା ମିଳୁ ନାହିଁ। ବିକାଶ କହିଲେ ଏଠାରେ ସ୍ବପ୍ନ। ଏଠାରେ ବିକାଶର ପାଦ ଚିହ୍ନ ଦେଖିବାକୁ ମିଳୁନଥିବା ବେଳେ ନକ୍ସଲ ରାଜ ଚାଲେ। କୌଣସି ସରକାରୀ ବାବୁ କିମ୍ବା ଲୋକ ପ୍ରତିନିଧି ନଥିବାରୁ ଏଠାରେ ଉନ୍ନୟନ ମୂଳକ କାମ ଠପ୍ ହୋଇ ପଡି ରହିଛି। ନକ୍ସଲଙ୍କ ଭୟରେ କୌଣସି ସରକାରୀ ବାବୁ ଏଠାରେ ପାଦ ପକାନ୍ତି ନାହିଁ। ଗୋଟିଏ ପଟେ ନକ୍ସଲ ଏବଂ ଅନ୍ୟ ପଟେ ପୋଲିସର ନିର୍ଯାତନାରେ ଲୋକେ ଅତିଷ୍ଠ । ରାସ୍ତାଘାଟ,ପାନୀୟ ଜଳ,ସ୍ବାସ୍ଥ୍ୟବସ୍ଥା,ଶିକ୍ଷା ଆଜି ବି ଏଠାରେ ଅପହଞ୍ଚ। ଲୋକେ ଭଗବାନଙ୍କ ଭରସାରେ ଏଠାରେ ପଡି ରହିଛନ୍ତି। ବିଦ୍ୟୁତ ଏଠାରେ ସାତ ସପନ। ଲୋକେ ଆଜି ବି ଅନ୍ଧାରରେ ରହୁଛନ୍ତି। ଗ୍ରାମବାସୀ ନିରକ୍ଷର ହୋଇଥିବାରୁ ନକ୍ସଲ ଏମାନଙ୍କୁ ଭୁତାଇବାରେ ସଫଳ ହେଉଛନ୍ତି। ସରକାର ଏବଂ ପୋଲିସ ବିରୁଦ୍ଧରେ ଉସୁକାଉଛନ୍ତି। ଲୋକେ ବାଧ୍ୟ ହୋଇ ନକ୍ସଲଙ୍କ ନିୟମ ମାନୁଛନ୍ତି। REPORT- SURAJ KUMAR BEHERA, MALKANGIRI, ID NO- CO003