ଆଦିଗୁରୁ ପଙ୍କଜ ଚରଣ ଦାସ ପ୍ରତିଭା ସମ୍ମାନର ପ୍ରଥମ ସଂନ୍ଧ୍ୟା

ମନୋରଞ୍ଜନ
  • 2018-10-31 11:27:48
  • 448

କାନଭାସ୍ ଓଡିଶା(ବ୍ୟୁରୋ) : ଆଦିଗୁରୁ ପଦ୍ମଶ୍ରୀ ପଙ୍କଜ ଚରଣ ଦାସ ଓଡିଶୀ ନୃତ୍ୟ ଜଗତରେ ଏକ ଜଣାଶୁଣା ନାମ । ଶ୍ରୀ ଜଗନ୍ନାଥ କଳା ଓ ସଂସ୍କୃତି ସହିତ ଜଡିତ ମାହାରୀ ସଂପ୍ରଦାୟରେ ତାଙ୍କର ଜନ୍ମ । ଶ୍ରୀମନ୍ଦିରରେ ପରିବେଷଣ କରାଯାଉଥିବା ଏହି ନୃତ୍ୟକୁ ଓଡିଶୀ ନୃତ୍ୟରେ ସମ୍ମିଶ୍ରଣ କରି ଏକ ସ୍ୱତନ୍ତ୍ର ନୃତ୍ୟଶୈଳୀରେ ସେ ହେଉଛନ୍ତି ସ୍ରଷ୍ଟା । ଏହି ଧାରାକୁ ଆଗେଇ ନେବା ପାଇଁ ତାଙ୍କର ନାତୁଣୀ ଓ ପରିବାର ଏକମାତ୍ର ନୃତ୍ୟଶିଳ୍ପୀ ଶ୍ରୀମତୀ ପଲ୍ଲବୀ ଦାସ ନିଜର ପ୍ରୟାସ ଜାରି ରଖିଛନ୍ତି । ଏହି ଅବସରରେ ସ୍ଥାନୀୟ ଭଞ୍ଜକଳା ମଣ୍ଡପଠାରେ ଆଦିଗୁରୁ ପଙ୍କଜ ଚରଣ ଉଡ୍ର ସଂସ୍କୃତି ଏକାଡେମୀ ପକ୍ଷରୁ ଦୁଇ ଦିନିଆ ଆଦିଗୁରୁ ପଙ୍କଜ ଚରଣ ଦାସ ସମ୍ମାନ ପ୍ରଦାନ ଉତ୍ସବରେ ଆଦିଗୁରୁଙ୍କ ରଚନାରୁ ‘ରାଧାରାଣୀ ସଙ୍ଗେ ନାଚେ’ ନୃତ୍ୟାଭିନୟକୁ ଦ୍ୱୈତଭାବେ ପରିବେଷଣ କରିଥିଲେ ଶିଳ୍ପୀ ରୋଜ ଲାକ୍ରା ଏବଂ ପ୍ରଦ୍ୟୁମ୍ନ ମହାନ୍ତି । ଯାହାର ନୃତ୍ୟ ନିର୍ଦେଶନା ଦେଇଥିଲେ ପଲ୍ଲବୀ ଦାସ । ଦଶବତାରରୁ ସଂନ୍ଧ୍ୟା ଆରମ୍ଭ ହୋଇଥିଲା । ଏହାକୁ ଗୁରୁ ପଙ୍କଜ ଚରଣ ଉଡ୍ର ଏକାଡେମୀ ପକ୍ଷରୁ ଦଳଗତଭାବେ ନୃତ୍ୟ ପରିବେଷଣ କରିଥିଲେ । ପରବର୍ତ୍ତୀ ପ୍ରସ୍ତୁତିରେ ମଞ୍ଚର ଶୋଭା ବଢାଇଥିଲେ ଦିପସୀ ପଟ୍ଟନାୟକ । ଏକକ ନୃତ୍ୟରେ ଥିଲା ଶଙ୍କରାଭରଣ ପଲ୍ଲବୀ । ପରେ ତୃପ୍ତିମୟୀ ଧଳସାମନ୍ତଙ୍କ ପରିବେଷଣରେ ଥିଲା ନବଦୁର୍ଗା । ଏହି ମହାନ୍ ନୃତ୍ୟଗୁରୁଙ୍କ ସ୍ମୃତିଚାରଣ ଏବଂ ତାଙ୍କ ଦ୍ୱାରା ସୃଷ୍ଟି ହୋଇଥିବା ଅନନ୍ୟ ନୃତ୍ୟ ଶୈଳୀର ପ୍ରଚାର ଓ ପ୍ରସାର ନିମନ୍ତେ ୨୦୦୬ମସିହାରେ ସ୍ଥାପିତ ହୋଇଥିଲା ଗୁରୁ ପଙ୍କଜ ଉଡ୍ର ସଂସ୍କୃତି ଏକାଡେମୀ । ନିଜ ଜେଜେଙ୍କୁ ଶ୍ରଦ୍ଧାଞ୍ଜଳି ଦେବା ଉଦ୍ଦେଶ୍ୟରେ ପ୍ରତିବର୍ଷ ଏକାଡେମୀ ପକ୍ଷରୁ ଓଡିଶୀ ନୃତ୍ୟରେ ସ୍ୱତନ୍ତ୍ର ପରିଚୟ ସୃଷ୍ଟି କରିଥିବା ଗୁରୁ ଏବଂ ଛାତ୍ରଛାତ୍ରୀମାନଙ୍କୁ ଏକାଠି କରି ଉତ୍ସବ ଆୟୋଜନ କରିବା ହେଉଛି ଏହାର ଲକ୍ଷ୍ୟ । ଏହି ଉତ୍ସବକୁ ସର୍ବଦା ସଫଳ କରିବାରେ ଆଦିଗୁରୁଙ୍କ ଦାୟାଦ ଜ୍ୟେଷ୍ଠ ପୁତ୍ର ବସନ୍ତ କୁମାର ଦାସଙ୍କ ଭୂମିକା ଅଗ୍ରଗଣ୍ୟ । ସମୟାନୁକ୍ରମେ ଏହି ଧାରାକୁ ଆଗେଇ ନେବା ପାଇଁ ମଙ୍ଗ ଧରିଛନ୍ତି ପଲ୍ଲବୀ ଦାସ । ସେ ବସନ୍ତ କୁମାର ଦାସଙ୍କ କନ୍ୟା ହୋଇଥିବା ବେଳେ ସ୍ୱର୍ଗତ ଗୁରୁଙ୍କ ନାତୁଣୀ । ଏହି ସଂସ୍କୃତି ସମ୍ପନ୍ନ ପରିବାରରେ ଜନ୍ମ ହୋଇଥିବାରୁ ପଲ୍ଲବୀ ପିଲାବେଳେ ଏହି ନୃତ୍ୟକଳାକୁ ଆପଣାଇବା ସହ ନିଜସ୍ୱ ପ୍ରତିଭାର ସ୍ୱାକ୍ଷର ବହନ କରିଛନ୍ତି । ଏହି ଅବସରରେ ଶିଳ୍ପୀ ଦିପସୀ ପଟ୍ଟନାୟକ ଏବଂ ସୂର୍ଯ୍ୟାନ୍ସି ମିଶ୍ରଙ୍କୁ ଆଦିଗୁରୁ ପଙ୍କଜ ଚରଣ ଦାସ ପ୍ରତିଭା ପୁରସ୍କାର ପ୍ରଦାନ କରାଯାଇଥିଲା । କାର୍ଯ୍ୟକ୍ରମ ସଂଯୋଜନା କରିଥିଲେ ସାଗର କୁମାର ।