ମୁଖ୍ୟମନ୍ତ୍ରୀଙ୍କୁ ପ୍ରଦେଶ କଂଗ୍ରେସର ଚେତାବନୀ

ରାଜନୀତି
  • 2018-10-30 08:47:30
  • 439

କାନଭାସ୍ ଓଡିଶା(ବ୍ୟୁରୋ) : ସଂପ୍ରତି ଓଡିଶାରେ ଓକିଲମାନଙ୍କର ଆନ୍ଦୋଳନ ଦୁଇ ମାସ ଧରି ଚାଲିବା ଫଳରେ ଓଡିଶାବାସୀ ନାହିଁ ନଥିବା ସମସ୍ୟାର ସମ୍ମୁଖିନ ହେଉଛନ୍ତି । ଛୋଟ ଛୋଟ କେଶରେ ଗିରଫ ହୋଇଥିବା ଲୋକମାନେ ଏଥିପାଇଁ ଜେଲରେ ସଢୁଛନ୍ତି । ଓଡିଶାର ବିଚାର ବିଭାଗ ବସ୍ତୁତଃ ଅଚଳ ଏବଂ ସ୍ଥାଣୁ ହୋଇଯାଇଛି କହିଲେ ଅତ୍ୟୁକ୍ତି ହେବ ନାହିଁ । ରାଜ୍ୟର ବିଚାର ବିଭାଗର ଏହି ଅବସ୍ଥା ପାଇଁ ରାଜ୍ୟ ମୁଖ୍ୟମନ୍ତ୍ରୀ ଯିଏକି ଘରୋଇ ବିଭାଗର ଦାୟିତ୍ୱରେ ଅଛନ୍ତି ସିଏ ମୁଖ୍ୟତଃ ଦାୟୀ । ଅତ୍ୟନ୍ତ ଦାୟିତ୍ୱହୀନ ଭାବରେ ଗୃହ ବିଭାଗ ଏବଂ ଆଇନ୍ ବିଭାଗ କାର୍ଯ୍ୟ କରିବାକୁ ପ୍ରଦେଶ କଂଗ୍ରେସ କମିଟି ଘୋର ନିନ୍ଦା କରୁଛି । ଏହା ଶାସକ ଦଳର ନିକମା ପଣିଆ ବ୍ୟତୀତ ଅନ୍ୟ କିଛି ନୁହେଁ । ଏହି ଆନ୍ଦୋଳନ ପରିପ୍ରେକ୍ଷୀରେ ଆଜି ରାଜ୍ୟର ହାଇକୋର୍ଟ ଭିତରେ ଏକ ନିନ୍ଦନୀୟ ଘଟଣା ଘଟିଛି । ସମସ୍ତ ପୋଲିସ ବାହିନୀ ଆଜି ହାଇକୋର୍ଟ ଭିତରେ ପ୍ରବେଶ କରିଛନ୍ତି । ଯାହାକି ଅତ୍ୟନ୍ତ ଦୁର୍ଭାଗ୍ୟଜନକ । ରାଜ୍ୟର ଓକିଲ ସମାଜକୁ ରାଜନୈତିକ ବିଚ୍ଛେଦ ଭିତରକୁ ଶାସକ ଦଳ ଟାଣିବା ଅତ୍ୟନ୍ତ ନିନ୍ଦନୀୟ । ବିଜୁ ଜନତା ଦଳର ଲିଗାଲ୍ ସେଲ୍ ଅତ୍ୟନ୍ତ ଅପରିପକ୍ୱ ବ୍ୟବହାର ପ୍ରଦର୍ଶନ କରିଛନ୍ତି । ସେମାନେ ବିଚାର ବ୍ୟବସ୍ଥାର ଏହି ଅଚଳାବସ୍ଥାକୁ ସୁଧାର ଆଣିବାକୁ ପ୍ରଚେଷ୍ଟା କରିପାରି ଥାଆନ୍ତେ । ମାତ୍ର ତାହା ନକରି ସେମାନେ ଆନ୍ଦୋଳନକୁ ଭିନ୍ନ ମୋଡ ଦେବା ଦୁର୍ଭାଗ୍ୟଜନକ ବୋଲି ବିଧାୟକ ତାରା ପ୍ରସାଦ ବାହିନୀପତି ଆଜି ଏକ ସାମ୍ବାଦିକ ସମ୍ମିଳନୀରେ କହିଛନ୍ତି । ଏହି ସାମ୍ବାଦିକ ସମ୍ମିଳନୀରେ ଗଣମାଧ୍ୟମ ବିଭାଗ ଅଧ୍ୟକ୍ଷ ସତ୍ୟପ୍ରକାଶ ନାୟକ, ମୁଖପାତ୍ର ସର୍ବଶ୍ରୀ ବିଭୁପ୍ରସାଦ ତରାଇ, ସୁଦର୍ଶନ ଦାସ, ହିମାଂଶୁ ଲେଙ୍କା, ମନୋଜ ମହାପାତ୍ର, ନିଶିକାନ୍ତ ମିଶ୍ର, ରଜନୀ ମହାନ୍ତି ଓ ଦୀପକ ମହାପାତ୍ର ପ୍ରମୁଖ ଉପସ୍ଥିତ ଥିଲେ । ସୁଚନାଯୋଗ୍ୟ ଗତ ଅଗଷ୍ଟ ୨୮ରେ ନୂଆବଜାର ଅଞ୍ଚଳର ଦେବୀ ପ୍ରସାଦ ପଟ୍ଟନାୟକ ନାମକ ଜଣେ ଆଇନଜୀବୀଙ୍କୁ ପୁଲିସର ମାଡ ମରାଯିବା ଘଟଣାକୁ ନେଇ ଅଇନଜୀବୀଙ୍କ କାର୍ଯ୍ୟବନ୍ଦ ଆନ୍ଦୋଳନ ୨ମାସରେ ପହଞ୍ଚିଛି । ଅଭିଯୁକ୍ତ ପୋଲିସ କର୍ମଚାରୀଙ୍କୁ ଗିରଫ କରିବା ଦାବିରେ ଆଇନଜୀବୀ ମାନେ ସେମାନଙ୍କ ଜିଦରେ ଅଟଳ ଅଛନ୍ତି । ଏହିି ପ୍ରସଙ୍ଗରେ ଶୁକ୍ରବାର ହାଇକୋର୍ଟ ବାର ଆସୋସିଏସନର ସାଧାରଣ ପରିଷଦ ଓ ଆକ୍ସନ କମିଟି ବୈଠକରେ ଆଲୋଚନା କରାଯାଇ କାର୍ଯ୍ୟବନ୍ଦ ଆନ୍ଦୋଳନର ଅବଧି ସର୍ବସମ୍ମତିକ୍ରମେ ଆଜି ଡେଡଲାଇନ ଦିଆଯିବା ସହ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ କୁଶପୁତ୍ତଳିକା ଦାହ କରାଯିବା ନିମନ୍ତେ ବାର ଆସୋସିଏସନର ସମ୍ପାଦକ ସତ୍ୟବ୍ରତ ମହାନ୍ତି କହିଛନ୍ତି ।