ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ

ତାଜା ଖବର
  • 2018-10-29 06:14:30
  • 443

କାନଭାସ୍ ଓଡିଶା(ବ୍ୟୁରୋ) : ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଆଜି ୧୨ ଘଣ୍ଟିଆ ଭଦ୍ରକ ବନ୍ଦ ପାଳନ କରାଯାଉଛି। ସକାଳ ୬ଟାରୁ ସଂଦ୍ଧ୍ୟା ୬ଟା ଯାଏଁ ଏହାର ପ୍ରଭାବ ରହିବ ଯାହା ଫଳରେ ଭଦ୍ରକର ସମସ୍ତ ସ୍କୁଲ, କଲେଜ, ସରକାରୀ ପ୍ରତିଷ୍ଠାନ, ବସ ସେବା, ଟ୍ରେନ ଚଳାଚଳ ବନ୍ଦ ରହିବ । ସହରରେ ଦୋକାନ ବଜାର ଓ ଗାଡି ଚଳାଚଳ ମଧ୍ୟ ବନ୍ଦ ରହିଥିବା ବେଳେ ୧୬ ନମ୍ବର ଜାତୀୟ ରାଜପଥରେ ମଧ୍ୟ ମିଳିତ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ଗାଡି ଚଳାଚଳକୁ ମଧ୍ୟ ବନ୍ଦ କରାଯାଇଛି l ବିଶେଷ କରି ଭଦ୍ରକ ରେଳ ଷ୍ଟେସନରେ ମଧ୍ୟ କ୍ରିୟାନୁଷ୍ଠାନ କମିଟି ପକ୍ଷରୁ ରେଲ ରୋକ କରାଯାଇଛି l ପ୍ରଥମେ ଡିଏମୟୁ ଟ୍ରେନ ଚଳାଚଳକୁ ବନ୍ଦ କରାଯାଇଥିବା ବେଳେ ରେଳ ଧାରଣାରେ ବିକ୍ଷୋଭ ପ୍ରଦର୍ଶନ କରିଥିଲେl ଦୀର୍ଘ ଦୁଇ ମାସରୁ ଅଧିକ ଦିନ ଧରି ମେଡିକାଲ କଲେଜ ପ୍ରତିଷ୍ଠା ଦାବିରେ ଗଣଧାରଣା, ଶୋଭଯାତ୍ରା, ବିକ୍ଷୋଭ ସହ ଜିଲାର ସାତଟି ବ୍ଲକରେ ବିକ୍ଷୋଭ କରାଯାଇଥିଲା। ଜିଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ବରମ୍ବାର ଦାବିପତ୍ର ପ୍ରଦାନ କରାଯାଇଥିଲେ ମଧ୍ୟ ଏ ନେଇ ରାଜ୍ୟ ସରକାର କର୍ଣ୍ଣପାତ କରୁ ନ ଥିବାରୁ ବାଧ୍ୟ ହୋଇ ନିଜର ହକ ଦାବି ରେ ଷୋମବାର ମିଳିତ କ୍ରିୟାନୁଷ୍ଠାନ କମିଟି ରାଜରାସ୍ତାକୁ ଓହ୍ଲାଇବା ସହ ଭଦ୍ରକ ଜିଲ୍ଲା ବନ୍ଦ ଡାକରା ଦିଆଯାଇଛି। ଏହାକୁ ସମର୍ଥନ କରି ସମସ୍ତ ସରକାରୀ ଓ ବେସରକାରୀ ପ୍ରତିଷ୍ଠାନ, ଅନୁଷ୍ଠାନ ସମୁର୍ଣ୍ଣ ବନ୍ଦ ରହିଛି। ଏହି ଦାବିକୁ ସମସ୍ତ ରାଜନୈତିକ ଦଳ ପକ୍ଷରୁ ମଧ୍ୟ ସମର୍ଥନ ଦିଆଯାଇଛି।