ଆରକ୍ଷଣ ବିରୋଧୀଙ୍କ ପକ୍ଷରୁ ଅକ୍ଟୋବର ୩୦ରେ ଭାରତ ବନ୍ଦ ଡାକରା ।

ରାଜ୍ୟ ଖବର
  • 2018-10-28 10:04:55
  • 501

କାନଭାସ୍ ଓଡିଶା(ବ୍ୟୁରୋ) : ଆରକ୍ଷଣ ବିରୋଧୀ ସଂଗଠନମାନଙ୍କ ସହିତ ଅନ୍ୟ ଓବିସି ଓ ସାଧାରଣ ବର୍ଗ ସଙ୍ଗଠନମାନଙ୍କ ପକ୍ଷରୁ ଜାତିଭିତ୍ତିକ ଆଟ୍ରୋସିଟି ଆଇନ ପ୍ରତ୍ୟାହାର ଦାବିରେ ପୁଣି ଥରେ ଅକ୍ଟୋବର ୩୦ ପାଇଁ ଭାରତ ବନ୍ଦ ଡାକରା ଦିଆଯାଇଛି । ସୂଚନାଯୋଗ୍ୟ ଯେ କୌଣସି ବଡ଼ ରାଜନୈତିକ ଦଳ କିମ୍ବା ଆଖିଦୃଶିଆ ବ୍ୟକ୍ତି ବିଶେଷଙ୍କ ବିନା ସହଯୋଗରେ ତିନି ତିନି ଥର ଭାରତ ବନ୍ଦ ହୋଇସାରିଲା ପରେ ଏହା ଏବେ ଏକ ରାଜନୈତିକ ରୂପରେଖ ନେବାରେ ଲାଗିଛି । ବିଶେଷ କରି ଗତ ସେପ୍ଟେମ୍ବର ଛଅ ତାରିଖ ଭାରତ ବନ୍ଦ ପରେ ଆଧ୍ୟାତ୍ମିକ କଥାବାଚକ ଦେବକୀନନ୍ଦନ ମହାରାଜଙ୍କ ଅଭ୍ୟୁଦୟ ଜାତିଭିତ୍ତିକ SC/ST ଆଟ୍ରୋସିଟି ବିରୋଧୀ ଆନ୍ଦୋଳନକୁ ଏକ ନୂଆ ଆୟାମ ପ୍ରଦାନ କରିଛି l କେନ୍ଦ୍ରରେ ବିଶ୍ୱଶକ୍ତି ପାର୍ଟି , ଆରକ୍ଷଣ ବିରୋଧୀ ପାର୍ଟି , ଅନାରକ୍ଷିତ ସମାଜ ପାର୍ଟି , ପବ୍ଲିକ ପଲିଟିକାଲ ପାର୍ଟି ଭଳି ରାଜ୍ୟ ସ୍ତରରେ କଳିଙ୍ଗ ନ୍ୟାସନାଲ ଫ୍ରଣ୍ଟ ଭଳି ଛୋଟ ଟ ରାଜନୈତିକ ଦଳମାନେ ଏଇ ଆନ୍ଦୋଳନ ପଛରେ ଛିଡ଼ା ହେବାକୁ ଆରମ୍ଭ କଲେଣି । ଓବିସି ଓ ସାଧାରଣ ବର୍ଗ ପକ୍ଷରୁ ଜେନେରାଲ ଦୀନବନ୍ଧୁ ଷଡ଼ଙ୍ଗୀ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ଓବିସି ଓ ସାଧାରଣ ବର୍ଗ ବିରୋଧୀ ଆଭିମୁଖ୍ୟର ତୀବ୍ର ସମାଲୋଚନା କରି ଏହାର ପ୍ରତି ଜିଲ୍ଲା ସ୍ତରରେ ଯଥାଶକ୍ତି ମୁକାବିଲା କରିବାକୁ ଆହ୍ୱାନ ଦେଇଛନ୍ତି । ଦେଶର ଏକତା ଓ ଅଖଣ୍ଡତା ବିରୋଧୀ ଜାତିଭିତ୍ତିକ ଆଇନ ବିରୁଦ୍ଧରେ ରୁଦ୍ରନାରାୟଣ ସେନା ତା'ର ଦଳବଳ ନେଇ ରାସ୍ତାକୁ ଓହ୍ଲେଇବ ବୋଲି ସେନାମୁଖ୍ୟ ସୀତାରାମ ଶତପଥୀ ସୂଚନା ଦେଇଛନ୍ତି । ଇଣ୍ଡିଆ ଏଗ୍ନେଷ୍ଟ ରିଜର୍ଭେସନ ପକ୍ଷରୁ ମଧ୍ୟ ଏ ବନ୍ଦ ଆହ୍ୱାନକୁ ସମର୍ଥନ ଦିଆଯାଇଛି ବୋଲି ଏହାର ସଭାପତି ପ୍ରଫୁଲ୍ଲ କୁମାର ଷଡ଼ଙ୍ଗୀ ସୂଚନା ଦେଇଛନ୍ତି ।