୭ହାତୀ ମୃତ୍ୟୁ ପାଇଁ ଦାୟୀ କିଏ ? କ୍ରାଇମବ୍ରାଞ୍ଚ ତଦନ୍ତ ଆରମ୍ଭ

ତାଜା ଖବର
  • 2018-10-28 09:45:07
  • 437

କାନଭାସ୍ ଓଡିଶା(ବ୍ୟୁରୋ) : ଏପଟେ ଗଜଲକ୍ଷ୍ମୀଙ୍କ ପୂଜା ଚାଲିଥିବା ବେଳେ ସେପଟେ ଗଜରାଜଙ୍କ ଉପରେ ପଡିଲା ବଜ୍ର ଚଡକ । ସରକାରୀ ନିୟମକୁ ଖୋଲାଖୋଲି ଭାବେ ଉଲଙ୍ଘନ କରାଗଲା । ସମସ୍ତେ ଦେଖିକି ବି ଆଖି ବନ୍ଦ କରି ରଖିଲେ । ଫଳ ସ୍ୱରୁପ ୭ହାତୀ ମୃତ୍ୟୁବରଣର ଶିକାର ହେଲେ । ଢେଙ୍କାନାଳ ଜିଲ୍ଲା ଓଡାପଡା ବ୍ଲକ କମଳାଙ୍ଗ ଗାଁ ନିକଟରେ ଉଚ୍ଚ କ୍ଷମତା ସମ୍ପନ୍ନ ୧୧ କେଭି ବିଦ୍ୟୁତ୍ ସସ୍ପର୍ଷରେ ଆସି ୭ଟିହାତୀଙ୍କର ଅକାଳରେ ନିଧନ ହୋଇଯାଇଛି । ସେଥି ମଧ୍ୟରୁ ୫ଟି ମାଈ ହାତୀ, ଗୋଟିଏ ଦନ୍ତା ଏବଂ ଗୋଟିଏ ଛୁଆ ହାତୀ ଥିବା ଜଣାପଡିଛି । ନିକଟସ୍ଥ ରେଲିୱେ ବ୍ରିଜ୍ କାମ ପାଇଁ ସେସୁ ବିଭାଗ ଦ୍ୱାରା ଟଣା ଯାଇଥିଲା ତାର ଯାହାକି ଭୁଇଁ ଠାରୁ ଅଳ୍ପ ଦୂରରେ ଝୁଲି ରହିଥିଲା । ବନବିଭାଗ ହାତୀପଲ ସେହିବାଟେ ଯାଉଥିବାର ଦେଖୁଥିଲେ ମଧ୍ୟ ଘଉଡାଇଲେ ନାହିଁ । ଭୋର ୫ଟା ସମୟରେ ଅଘଟଣ ଘଟିଥିବା ଗ୍ରାମବାସୀ ମାନେ କହିଛନ୍ତି । ପ୍ରାୟ ୨୦ଟିହାତୀ ଏକାଠି ହୋଇ କିଛିଦିନ ହେଲା ତାଳଚେର ଅଞ୍ଚଳରେ ବୁଲୁଥିଲେ । ଦୁର୍ଗାପୁର ଗାଁରୁ କମଳାଙ୍ଗ ଗାଁ ଆଡକୁ ହାତୀପଲ ଯିବା ବାଟରେ କମଳାଙ୍ଗ ଗାଁ ନିକଟରେ ରହି ଇନଫ୍ରାଟେକ୍ କମ୍ପାନି ରେଲୱେର ଓଭରବ୍ରିଜ କାମ ପାଇଁ ସେସୁ ୩ବର୍ଷ ତଳରୁ ୧୧କେଭି ବିଦ୍ୟୁତ ତାରକୁ ଭୂମିଠାରୁ ମାତ୍ର ୩/୪ମିଟର ଉଚ୍ଚତାରେ ଝୁଲି ରହିଥିବା ବିପଦପୂର୍ଣ୍ଣ ତାରକୁ ମରାମତି କରୁନଥିଲା । ଯାହା ଫଳରେ ୨୦ଟି ହାତୀ ମଧ୍ୟରୁ ୧୩ ହାତୀ ମୃତ୍ୟୁ ମୁଖରୁ ବଞ୍ଚି ଯାଇଥିବା ବେଳେ ବାକି ୭ହାତୀଙ୍କର ମୃତ୍ୟୁ ଘଟିଛି । ଏପଟେ ଜିଲ୍ଲାପାଳ ନିଖିଲ ପୱନ କଲ୍ୟାଣ ବନ ବିଭାଗ, ବିଦ୍ୟୁତ ବିଭାଗ ଏବଂ ରେଳ ବିକାଶ ନିଗମକୁ ନୋଟିସ ଜାରି କରିଛନ୍ତି । ରିପୋର୍ଟ ମିଳିବା ପରେ ସଂପୃକ୍ତ ଅଧିକାରୀଙ୍କ ବିରୋଧରେ ଦୃଢ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଜିଲ୍ଲାପାଳ ଶ୍ରୀ କଲ୍ୟାଣ ଗଣମାଧ୍ୟମକୁ କହିଛନ୍ତି । ହାତୀ ମୃତ୍ୟୁ ଘଟଣାର କ୍ରାଇମବ୍ରାଞ୍ଚ୍‌ ତଦନ୍ତ ନିର୍ଦ୍ଦେଶ ଦେଇଛନ୍ତି ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଘଟଣାକୁ ନେଇ ଗଭୀର ଦୁଃଖ ପ୍ରକାଶ କରିବା ସହ ସମ୍ପୃକ୍ତ ଦୋଷୀଙ୍କ ବିରୋଧରେ କଠୋର କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ମୁଖ୍ୟମନ୍ତ୍ରୀ କହିଛନ୍ତି। କ୍ରାଇମବ୍ରାଂଚ ଡିଏସପିଙ୍କ ନେତୃତ୍ୱରେ ଏହି ୫ ଜଣିଆ ଟିମ ଢେଙ୍କାନାଳ କମଳାଙ୍ଗ ଗାଁକୁ ଗସ୍ତ କରିଛନ୍ତି । ତଦନ୍ତ ପରେ ରାଜ୍ୟ ସରକାରଙ୍କୁ ରିପୋର୍ଟ ପ୍ରଦାନ କରିବ ଏହି ଟିମ । ଏହି ଘଟଣାରେ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରି ଉଭୟ ଶକ୍ତି ଏବଂ ଜଙ୍ଗଲ ବିଭାଗ ୬ ଜଣ ଅଧିକାରୀଙ୍କୁ ସସପେଣ୍ଡ ଓ ଜଣେ ଅଧିକାରୀଙ୍କୁ ବହିଷ୍କାର କରିଛନ୍ତି । ଚାକିରିରୁ ବହିଷ୍କୃତ ହୋଇଥିବା ଅଧିକାରୀ ହେଲେ ମେରାମଣ୍ଡଳୀ ଜେଇ ସଂଜୟ ସ୍ୱାଇଁ । ସେସୁର ସୁପରିଟେଣ୍ଡେଂଟ୍ ଇଂଜିନିୟର ନରେଶ ଚନ୍ଦ୍ର ପଟ୍ଟନାୟକ, ସହକାରୀ ଯନ୍ତ୍ରୀ ଆର୍ତତ୍ରାଣ ନାୟକ, ମେରାମଣ୍ଡଳୀ ଲାଇନମ୍ୟାନ୍ ଫିରୋଜ ପଣ୍ଡା, ସଦର ରେଂଜର ପ୍ରସନ୍ନ କୁମାର ବିଶ୍ୱାଳ, ମେରାମଣ୍ଡଳୀ ସେସନ ଫରେଷ୍ଟର ପ୍ରଭାକର ରଣା, ଫରେଷ୍ଟଗାର୍ଡ ଗିରିଶ ଚନ୍ଦ୍ରଙ୍କୁ ନିଲମ୍ବନ କରାଯାଇଛି । ଘଟଣା ପାଇଁ ଜଙ୍ଗଲ ମନ୍ତ୍ରୀ ସେସୁକୁ ଦାୟୀ କରିଛନ୍ତି । ମନ୍ତ୍ରୀ କହିଛନ୍ତି ଖୋଲାଖୋଲି ନିୟମ ଉଲ୍ଲଂଘନ କଲେ। ସବୁ ଆଇନ୍‌ କାନୁନ୍‌କୁ ଜଳାଞ୍ଜଳି ଦେଇ ଦେଲେ। ଏହାର ପରିଣାମ ଭୋଗିଲେ ନିରୀହ ହାତୀ। ଗୋଟିଏ ନୁହେଁ କି ଦୁଇଟି ନୁହେଁ ୭ଟି ହାତୀଙ୍କୁ ଏଥିପାଇଁ ଜୀବନ ହାରିବାକୁ ପଡ଼ିଛି । ନିୟମ ଅନୁସାରେ ବିଦ୍ୟୁତ୍ ତାର ୧୭ ଫୁଟ୍ ଉଚ୍ଚରେ ଟଣାଯିବା କଥା। ହେଲେ ଏଠାରେ ସବୁ ନିୟମକୁ ବେଖାତିର କରି ତାର ମାତ୍ର ୮ ଫୁଟ୍‌ ଉଚ୍ଚରେ ଟଣା ଯାଇଥିଲା। ହାତୀଗୁଡ଼ିକ ଉକ୍ତ ସ୍ଥାନ ଦେଇ ଅତିକ୍ରମ କରିବା ବେଳେ ବିଦ୍ୟୁତ୍‌ ତାର ସଂସ୍ପର୍ଶରେ ଆସି ଯାଇଥିଲେ। ଫଳରେ ଏତେ ବଡ଼ ଦୁର୍ଘଟଣା ହୋଇଗଲା । ବିଭାଗୀୟ ଅଧିକାରୀଙ୍କ ବେପାରୁଆ କାର୍ଯ୍ୟ ପାଇଁ ଏହି ଘଟଣା ଘଟିଗଲା ବୋଲି ମନ୍ତ୍ରୀ କହିଛନ୍ତି ।